ନିରଞ୍ଜନର ସ୍ତ୍ରୀ ପ୍ରଭାର ଦେହ ସବୁବେଳେ ଖାଲି ଅସୁସ୍ଥ ରହୁଥାଏ । ସେ ଧିରେ ଧିରେ ଦୁର୍ବଳ ହୋଇଗଲା ଓ ଶେଷକୁ ସେ ଶଯ୍ୟାଶାୟୀ ମଧ୍ୟ ହୋଇଗଲା । ନିରଞ୍ଜନ ଅନେକ ବୈଦ୍ୟ ଡାକ୍ତର ଦେଖାଇଲା; କିନ୍ତୁ କେଉଁଥିରେ କିଛି ହେଲେ ହେଲାନାହିଁ । ସେ ନିରାଶ ହୋଇଥାଏ ।
ପାଖ ଗାଁରେ ଜଣେ ବଡ ଜ୍ୟୋତିଷ ଥା’ନ୍ତି । ଯିଏ କିଛି ଦକ୍ଷିଣା ଓ ପୂଜା ପ୍ରସାଦ ନେଇ ଯାଏ, ତାକୁ ଜ୍ୟୋତିଷ ତା’ର ମନଜାଣି, ତା’ର ସମସ୍ୟାର ସମାଧାନ କରି ଦେଇଥା’ନ୍ତି । ଯଦି ପ୍ରଥମଥର ତା’ଙ୍କ କଥା କେହି ବୁଝି ନପାରେ ତେବେ ସେ ରାଗିଯା’ନ୍ତି ଓ ଗାଳିଗୁଲଜ କରି ପୁଣି ଦ୍ୱିତୀୟଥର ବୁଝାଇ ଦିଅନ୍ତି । ନିରଞ୍ଜନର ଭୟ ଥାଏ କାଳେ ଜ୍ୟୋତିଷ ସମସ୍ତଙ୍କ ଆଗରେ ତାକୁ ଗାଳି ଦେବେ ଯେଉଁଥିରେ କି ତା’ର ସମ୍ମାନରେ ଆଂଚ ଆସିବ । କିନ୍ତୁ ସ୍ତ୍ରୀର ଅବସ୍ଥା ବହୁତ ଖରାପ ହେବାରୁ ଶେଷରେ ସେ ବାଧ୍ୟ ହୋଇ ଜ୍ୟୋତିଷଙ୍କ ପାଖକୁ ଗଲା ।
ତାକୁ ଦେଖିବା ମାତ୍ରେହିଁ ଜ୍ୟୋତିଷ କହିଲେ, “ତୁମରି ନାମ ନିରଞ୍ଜନ? ତୁମ ସ୍ତ୍ରୀ ଶଯ୍ୟାଶାୟୀ ଅଥଚ ନିଜର ଅହଂକାର ଯୋଗୁଁ ତମେ ଏ ପର୍ଯ୍ୟନ୍ତ ଏଠାକୁ ଆସି ନଥିଲ?”
ତା’ପରେ ସେ ଯାହା ସବୁ କହିଲେ ନିରଞ୍ଜନ ଦେଖିଲା ସବୁ ସତ କହୁଛନ୍ତି ଓ ସିଧା ସିଧା କହୁଛନ୍ତି । ମନେ ମନେ ଟିକିଏ ଡରିଗଲା । ତା’ପରେ ସେ ବିନୟପୂର୍ବକ ନିବେଦନ କଲା, “ମହାଶୟ ଆପଣ ତ ସବୁ ସତ କହିଛନ୍ତି । ବର୍ତ୍ତମାନ କୃପା କରି ରୋଗ ଉପଶମର ଉପାୟ କହି ଦିଅନ୍ତୁ । କାରଣ ଔଷଧରେ ସେ ରୋଗ ଭଲ ହେଲା ନାହିଁ ।”
“ମୁଁ ସବୁ ଜାଣେ । ସେଥିପାଇଁ ତ ନିରାଶ ହୋଇ ମୋ ପାଖକୁ ଆଜି ତୁ ଆସିଛୁ । ତୁମ ସ୍ତ୍ରୀର କୌଣସି ରୋଗ ନାହିଁ । ତମେ ପ୍ରକୃତିର ସହଜ ପ୍ରବାହ ବନ୍ଦ କରିବାକୁ ଯାଇ ଗୋଟିଏ ବଡ ବନ୍ଧ ବାନ୍ଧିଛ । ସେଇଟିକି ଭାଙ୍ଗିଦିଅ । ତା’ପରେ ଦେଖିବ ତୁମର ପତ୍ନୀର ସ୍ୱାସ୍ଥ୍ୟ ଆପେ ଆପେ ଭଲ ହୋଇଯିବ । ଔଷଧ କିଣିବାରେ ପଇସା ଢାଳିଲେ କିଛିବି ଲାଭ ହେବ ନାହିଁ ।” ଏତିକି କହିସାରି ସେ ବଡ ପାଟିରେ ଟିକିଏ କହିଲେ, “କ’ଣ ମୁଁ ଯାହା କହିଲି ତମ ମୁଣ୍ଡରେ କିଛି ପଶିଲା?”
ନିରଞ୍ଜନ ତାଙ୍କ କଥାରୁ ତିଳେହେଲେ ମଧ୍ୟ ବୁଝିପାରିଲା ନାହିଁ । କିନ୍ତୁ ତାଙ୍କର ଗାଳିଗୁଲଜକୁ ଡରି ସେ କିଛି ନ ବିଚାରି ମୁଣ୍ଡ ହଲାଇ “ଆଜ୍ଞା, ହଁ” ବୋଲି କହିଦେଲା ।
ଘରେ ପହଁଚି ଜ୍ୟୋତିଷଙ୍କ କଥା ସେ ଭାବିବାକୁ ଲାଗିଲା । ହେଲେ ତା’ର କିଛିବି କୂଳ କିନାରା ସେ ପାଇଲା ନାହିଁ । ବହୁତ ସମୟ ଭାବିବାରୁ ତା’ର ଗୋଟାଏ କଥା ମନେ ପଡିଲା । ଗତବର୍ଷ କେନାଲ୍ରୁ ପାଣି ସେ ତା’ କ୍ଷେତକୁ ଆଣି ବନ୍ଧ ପକାଇ ଦେବାରୁ ପଡୋଶୀ ବଚ୍ଚୁ ସିଂର ଜମି ଶୁଖିଲା ପଡିଲା । ତେଣୁ ନିରଞ୍ଜନ ଭାବିଲା, “କେନାଲ ପାଣି ପ୍ରକୃତିର ସହଜ ପ୍ରବାହ ସେଥିରେ ସମସ୍ତିଙ୍କର ଅଧିକାର ଅଛି । କେବଳ ମୁଁ ତା’ ସହିତ ଶତୃତା କରି ପାଣି ବନ୍ଦ କରି ଦେଇଥିଲି । ମୋ କ୍ଷେତ ଛଡା ସେ ଆଉ ଅନ୍ୟ ବାଟେ ପାଣି ଦେବାର କୌଣସି ଉପାୟ ନାହିଁ । ସୁତରାଂ ମୋର ନିଶ୍ଚୟ ଭୁଲ୍ ହୋଇଛି । ଏଇକଥାରୁ ବୋଧହୁଏ ଜ୍ୟୋତିଷ କହିଲେ ଯେ ପ୍ରାକୃତିକ ପ୍ରବାହକୁ ବନ୍ଦ କରିବା ଆଦୌ ଉଚିତ୍ ନୁହେଁ ।”
ମନ ଭିତରେ ଏପରି ବିଚାର ଆସିବା ମାତ୍ରେ ସେ ତୁରନ୍ତ ବଚ୍ଚୁ ସିଂଙ୍କୁ ଡକେଇ ପଠାଇଲା । ବଚ୍ଚୁ ସିଂ ଆସିବାରୁ ସେ ତାକୁ କହିଲା, “ଗଲାବର୍ଷ ତୁମ ଜମିରେ ପାଣି ନ ଯିବାପାଇଁ ମୁହିଁ ବନ୍ଧ କରି ଦେଇଥିଲି । ସେଥିପାଇଁ ମୁଁ ଏବେ ବହୁତ ମନସ୍ତାପ କରୁଛି । ଏପରି ଛୋଟ ଛୋଟ କଥା ଜୀବନରେ ତ ଘଟିଥାଏ, ପୁଣି ସେ ସମୟ ଚାଲିଗଲେ ମନ ନିଜର ଦୋଷତୃଟି ଯୋଗୁଁ ଛଟପଟ କରେ । ପୁଣି ମିଳାମିଶା ହେବାକୁ ହେଲେ କାହାକୁ ଜଣକୁ ତ କିଛି ନା କିଛି ତ୍ୟାଗ କରିବାକୁ ହୁଏ । ଏବେ ତୁମେ ସେକଥା ଭୁଲିଯାଅ । ଯାହା ହୋଇଯାଇଛି ଯାଇଛି, ଆଉ ସେପରି କଦାପି ହେବନାହିଁ । ଏବେ ତୁମେ ମୋର ବନ୍ଧୁ ।” ଏକଥା କହି ସେ ତାଙ୍କ ଚାକରକୁ ଡାକି ବନ୍ଧ କଟାଇ ଦେଲା । ବଚ୍ଚୁ ସିଂ ମଧ୍ୟ ଖୁସି ହୋଇ ତା’ଘରକୁ ଫେରିଲା ।
ଏବେ ନିରଞ୍ଜନ ଭାବିଲା ଜ୍ୟୋତିଷଙ୍କ କଥା ଅନୁସାରେ କାମ ତ ହୋଇଛି ଏବେ ପ୍ରଭା ଭଲ ହୋଇଯିବ । କିନ୍ତୁ ଭଲ ହେବାର ସେମିତି କିଛି ଲକ୍ଷଣ ଦେଖାଗଲା ନାହିଁ । ତେଣୁ ସେ ଭାବିଲା ବୋଧହୁଏ ଜ୍ୟୋତିଷଙ୍କ କଥା ସେ ଭଲଭାବରେ ବୁଝି ପାରିନାହିଁ । ନିଜେ ନିଜେ ବହୁତ ପ୍ରକାରରେ ବୁଝିବାକୁ ଚେଷ୍ଟା କରି ଯେତେବେଳେ କିଛିବି ବୁଝିପାରିଲା ନାହିଁ, ଭାବିଲା ଆଉ ଥରେ ପୁଣି ସେ ଜ୍ୟୋତିଷଙ୍କ ପାଖକୁ ଯିବ । ସେ ଗଲା ଓ ଜ୍ୟେତିଷ ତାକୁ ଦେଖୁ ଦେଖୁ କହିଲେ, “ତମେ ପୁଣି ଆସିଛ? ବୋଧହୁଏ ମୋ କଥା ଠିକ୍ ଭାବରେ ତମେ ସେଦିନ ଧରି ପାରିଲ ନାହିଁ । ଆଚ୍ଛା ଏଥର ଶୁଣ ।
“ତୁମେ ତୁମର ମିଥ୍ୟା ସମ୍ମାନ ବଜାୟ ରଖିବା ପାଇଁ ତୁମ ସ୍ତ୍ରୀକୁ ତା’ର ବାପଘରକୁ ପଠାଉନାହଁ । ତା’ର ନିଜ ବାପମା’ଙ୍କ ପ୍ରତି ଥିବା ସ୍ନେହ ଶ୍ରଦ୍ଧାର ସହଜ ପ୍ରବାହକୁ ତମେ ରୋକି ଦେଉଛ ବୋଲି ତା’ ମନ ଭିତରେ ବହୁତ ଦୁଃଖ । ସେଥିପାଇଁ ସେ ଭୋଗୁଛି । ମାନସିକ ବେଦନାହିଁ ଶରୀର କଷ୍ଟର ମୁଖ୍ୟ କାରଣ । ତେଣୁ ତୁମେ ତାକୁ କିଛିଦିନ ପାଇଁ ତା’ ବାପଘରକୁ ନେଇଯାଅ ଓ ବୁଲାଇ ନେଇ ଆସ ଦେଖିବ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯିବ ।”
ନିରଞ୍ଜନ ଏଥର ଅତି ସହଜରେ ସବୁ କିଛି ବୁଝିଗଲା ଓ ଠିକ୍ ସେହିପରି କଲା । ପ୍ରଭା ତା’ର ବାପ ମା’, ଭାଇ ଓ ଭଉଣୀଙ୍କ ସହିତ ମିଳିତ ହୋଇ ସେଠାରେ କିଛିଦିନ ରହି ପୁଣି ନିଜ ଶାଶୁଘରକୁ ସେ ଫେରିଲା । ସେତେବେଳକୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲା ।