ଗଣପତି ନଗରୀରେ ଶାନ୍ତାବାଇ ନାମକ ଜଣେ ବିଧବା ମହିଳା ଥିଲେ । ତାଙ୍କର ଦୁଇପୁଅଙ୍କର ବିବାହ ହେବା ପରେ ସେ ପାଳି କରି ଦୁଇଜଣଙ୍କ ଘରେ ରହୁଥାନ୍ତି । ବଡ ପୁଅ ଧନୀ ଥିଲା । ସାନ କୌଣସିମତେ ନିଜ ସଂସାର ଚଳାଉଥିଲା । ଏପରି ଅବସ୍ଥାରେ ଥରେ ଶାନ୍ତାବାଇ ଅସୁସ୍ଥ ହୋଇ ପଡିଲେ ଓ ଶେଷକୁ ମରିଗଲେ । ସେତେବେଳେ ସେ ତାଙ୍କ ସାନପୁଅ ଘରେ ଥିଲେ । ଏକଥା ଶୁଣି ବଡପୁଅ ଓ ତାର ପରିବାର ଦେଖିବାକୁ ଆସିଲେ । ବଡପୁଅ ରାମରାଜ ସାନ ସୋମରାଜକୁ କହିଲା, “ଆରେ ସୋମ, ମା’ର ଋଣ ତୁ ପରିଶୋଧ କରିବୁ, କାରଣ ସେ ତାଙ୍କର ଶେଷ ଦିନଗୁଡିକ ତୋ ପାଖରେହିଁ ବିତାଇଲେ । ମୁଁ ବଡପୁଅ । ତେଣୁ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସମସ୍ତ ଖର୍ଚ୍ଚ ମୁଁ ଦେବି ।”
ଏହି ଖବର ଶୁଣି ସେଠାକୁ ଆସିଥିବା ବନ୍ଧୁବାନ୍ଧବମାନେ କହିଲେ, “ପୁଅ ହେବତ ଏପରି ହେବ । ରାମରାଜର ସ୍ୱଭାବ ତ ଶୁଦ୍ଧସୁବର୍ଣ୍ଣ ।” ରାମରାଜ କଥା ତ ଦେଇଦେଲା, ମାତ୍ର ଏଗାର ଦିନ ହେବାରୁ ଖର୍ଚ୍ଚର ତାଲିକା ଦେଖି ସେ ଆଗ ହଠାତ୍ ଡରିଗଲା । ଦୁଇଭାଇ ଅନ୍ତେଷ୍ଟିକ୍ରିୟା ଦିନ ପୁଷ୍କରିଣୀ କୂଳକୁ ଗଲେ । ସ୍ନାନ କଲେ,ମନ୍ତ୍ରପାଠ ହେଲା । ତା’ପରେ ରାମରାଜ ପିଣ୍ଡଦାନ କରି ଭକ୍ତିର ସହିତ ନମସ୍କାର କଲା । କିନ୍ତୁ ପିଣ୍ଡ ନେବାକୁ କାଉମାନେ ମୋଟେ ଆସିଲେ ନାହିଁ । ଏହା ଦେଖି ସମସ୍ତେ ଭାରି ଆଶ୍ଚର୍ଯ୍ୟ ହେଲେ । ବନ୍ଧୁବାନ୍ଧବମାନେ ଯେତେ ପ୍ରଲୋଭନ ଦେଖାଇଲେ ମଧ୍ୟ କାଉମାନେ ଆଦୌ ପାଖକୁ ଆସିଲେ ନାହିଁ । ପିଣ୍ଡ ସ୍ୱୀକାର କରିବା ପାଇଁ ସେମାନେ ପ୍ରାର୍ଥନା କଲେ । ତଥାପି ମଧ୍ୟ ସେମାନେ କେହିବି ଆସିଲେ ନାହିଁ ।
ଏହାପରେ ରାମରାଜର ମାମୁଁ ସମସ୍ତିଙ୍କୁ ମୌନ ରହିବା ପାଇଁ କହି ସେ ନିଜେ କହିଲେ, “ତୁମ ବଡପୁଅ ସବୁ ଖର୍ଚ୍ଚ କରିବାରୁ ଲୋକମାନେ ତା’ର ବହୁତ ପ୍ରଶଂସା କରୁଛନ୍ତି । ତୁମେ କ’ଣ ସାନ ପୁଅ ପାଇଁ ଦୁଃଖକରୁଛ? ତା’ର ଖର୍ଚ୍ଚ କଥା ମୁଁ ସମସ୍ତିଙ୍କୁ କହିବି । ଏବେ ତୁମେ ଆସି ପିଣ୍ଡ ସ୍ୱୀକାର କର ।” ଏଥର ସେ କାଉମାନେ ସମସ୍ତେ ଏକ ସଙ୍ଗରେ ଉଡିଆସି ଖାଇବାକୁ ଲାଗିଲେ । ଏହା ଦେଖି ସେଠାରେ ଉପସ୍ଥିତ ବନ୍ଧୁବାନ୍ଧବଗଣ ଖୁବ୍ ଆଶ୍ଚର୍ଯ୍ୟ ହେଲେ ।
ସେତେବେଳେ ସେମାନଙ୍କ ମାମୁଁ କହିଲେ, “ଜଣେ ମା’ ପାଇଁ ତାର ସମସ୍ତ ସନ୍ତାନ ସମାନ ହୋଇଥାଆନ୍ତି । ଯେତେବେଳେ ରାମରାଜ ଶ୍ରାଦ୍ଧର ସମସ୍ତ ଖର୍ଚ୍ଚ ବହନ କରିବ ବୋଲି କହିଲା, ସାନ ପୁଅ ସୋମରାଜ ତାର ମା’ ନାମରେ ଏକ ଅନାଥାଶ୍ରମକୁ ବହୁତ ଟଙ୍କାଦେଇଛି ଓ ପ୍ରତିବର୍ଷ ମା’ର ଶ୍ରାଦ୍ଧରେ ଗରିବ ପିଲାଙ୍କୁ ମା’ର ନାମରେ ଦାନ ଦେବ । ତେଣୁ ତଦ୍ୱାରା ସେ ବି ମା ଋଣ ପରିଶୋଧ କରୁଛି ।”
ଏକଥା ଶୁଣି ରାମରାଜ କହିଲା, “ଶୁଣନ୍ତୁ, ମୁଁ ପ୍ରଥମେ ଖର୍ଚ୍ଚର ଆଧିକ୍ୟ ଦେଖି ଟିକିଏ ଡରିଯାଇଥିଲି, କିନ୍ତୁ ମୋ ସାନ ଭାଇ ହାତ ଖାଲି କରି ଦୁଃଖୀ ଦରିଦ୍ରଙ୍କ ପାଇଁ ଟଙ୍କା ଦେଇଛି । କିନ୍ତୁ ଲୋକେ ମୋତେ ପ୍ରଶଂସା କରୁଛନ୍ତି, ସେ ନୀରବରେ ମା’ ପାଇଁ ସବୁ କରୁଛି ।”
ସୋମରାଜ କହିଲା, “ଭାଇ, ମା’ର ଶ୍ରାଦ୍ଧ ଉତ୍ସବ ସକାଶେ ତମେ ସବୁ ଖର୍ଚ୍ଚ କଲ । ଆଉ ମୁଁ ଏହି ଇହଲୋକରେ ମାର ନାମ ରଖିବା ପାଇଁ, ପ୍ରତିବର୍ଷ ଶ୍ରାଦ୍ଧରେ କିଛି ଖର୍ଚ୍ଚ କରିବି । କିନ୍ତୁ ଆମେ ଯେତେ ଯାହା କଲେ ମଧ୍ୟ, ଆମେ କ’ଣ ପୃଥିବୀରେ କେବେବି ମାତୃ ଋଣ ପରିଶୋଧ କରି ପାରିବା? ସବୁ ନିଜ ମନକୁ ସାନ୍ତ୍ୱନା ଦେବା କଥା । ମା’ କେତେ ମହାନ୍ ସେତିକି ଉପଲବ୍ଧି କଲେ ହେଲା ।”