ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଳତୀକୁ ଈଶ୍ୱର ଦେଖାଦେଲେ

ଗୋଟିଏ ଗାଁରେ ଚାଷୀ ପରିବାରଟିଏ ଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ତାର ନାମ ହେଉଛି ମାଳତୀ । ବାପା, ମା’ ନିରକ୍ଷର ଥିଲେ । ତେଣୁ ସେମାନେ ଚାହିଁଲେ ମାଳତୀକୁ ପାଠ ପଢାଇ ମଣିଷ କରିବେ । ତାଙ୍କ ଗାଁରେ ତ ସ୍କୁଲ୍ ନଥିଲା ତେଣୁ ମାଳତୀ ପାଖ ଗାଁ ସ୍କୁଲ୍କୁ ପାଠ ପଢିବାକୁ ଯାଉଥିଲା । ନିଜ ଗାଁ ଠାରୁ ଆର ଗାଁଟି ଟିକିଏ ଦୂର । ମାଳତୀ ପ୍ରତିଦିନ ସକାଳେ ପଖାଳ ଗଣ୍ଡେ ଖାଇ ଦେଇ ସ୍କୁଲ୍କୁ ଯାଏ ଓ ଚାରିଟାବେଳକୁ ପୁଣି ଫେରି ଆସେ । ସ୍କୁଲ୍ ଯିବା ବାଟରେ ଗୋଟିଏ କୁଡିଆଘର ରାସ୍ତାକଡରେ ଥାଏ । ଦୂର ଜାଗାକୁ ଯାଉଥିବା ଲୋକମାନେ ଚାଲି ଚାଲି ଥକି ପଡିଲେ ସେଇଘରେ ବିଶ୍ରାମ ନିଅନ୍ତି । କେହି କେମିତି ରାତିରେ ମଧ୍ୟ ସେଠାରେ ରହି ଯାଆନ୍ତି ।

                ମାଳତୀ ସ୍କୁଲ୍କୁ ଗଲାବେଳେ ଦେଖିଲା ବୁଢାଲୋକଟିଏ ଘର ବାରଣ୍ଡାରେ ଶୋଇଛି । ବିଚରା ଜରରେ ପଡି ଥର ଥର ହୋଇ ଖାଲି କମ୍ପୁଛି । ମାଳତୀ ତାଙ୍କ ପାଖକୁ ଯାଇ ପଚାରିଲା ମଉସା ତୁମର କ’ଣ ହୋଇଛି? ହେଲେ ସେ ବୁଢା ଲୋକଟି କିଛି ବି କହି ପାରିଲା ନାହିଁ । କେବଳ ଲୁହ ଭରା ଆଖିରେ ମାଳତୀ ଆଡେ ଚାହିଁଲା । ମାଳତୀ ଏଥିରୁ ଠିକ୍ ବୁଝିପାରିଲା ଯେ, ସେ ବୁଢା ଲୋକଟିର କେହି ବି ସାହାଭରସା ନାହିଁ । ସେ ବିଚରା ଜରରେ ପଡି ଥରୁଛି । ତା’ପରେ ସେ ମାଳତୀ ଘରକୁ ଦୌଡିଯାଇ ଖଣ୍ଡିଏ ଚାଦର ଆଣି ତାଙ୍କୁ ଘୋଡାଇ ଦେଲା । ବୁଢା ଲୋକଟିର ଗୋଡ ହାତ ଚିପିବାକୁ ଲାଗିଲା । ମାଳତୀର ସେବା ପାଇ ସେ ବୁଢା ଲୋକଟିର ଯନ୍ତ୍ରଣା ଟିକିଏ କମିଗଲା । ମାଳତୀ ଘରକୁ ଫେରି ଆସି ତାଙ୍କ ପାଇଁ ଖାଇବା ଜିନିଷ ଓ ପାଣି ନେଇଗଲା । ବୁଢାକୁ ବିଛଣାରୁ ଉଠାଇ ଖୁଆଇ ଦେଲା । ମୁହଁ ହାତ ତାଙ୍କର ଧୋଇ ଦେଲା । ବିଶ୍ରାମ କରିବାକୁ କହି ମାଳତୀ ସେଠାରୁ ଚାଲି ଆସିଲା । ଏହିପରି ଭାବରେ ସାତଦିନ ସେବା କରିବା ପରେ ବୁଢା ରୋଗ ଶଯ୍ୟାରୁ ଉଠି ଧୀରେ ଧୀରେ ଚାଲିବାକୁ ଲାଗିଲା । ମାଳତୀ ଦିନେ ସକାଳୁ ଯାଇ ଦେଖିଲା ବୁଢାଲୋକଟି ଆଉ ସେ କୁଡିଆ ଘରେ ନାହିଁ । ତେଣୁ ମାଳତୀ ମନ ଭାରି ଖୁସି ହେଲା । ଯାହେଉ ବୁଢାଲୋକଟି ନିଜ ଘରକୁ ଫେରିଯାଇଛି ।

                ଏମିତି କିଛିଦିନ ଚାଲିଗଲା । ମାଳତୀ ପ୍ରତିଦିନ ସ୍କୁଲ୍କୁ ପଢିବାକୁ ଯାଉଥାଏ ଓ ଚାରିଟାବେଳେ ଫେରୁଥାଏ । ମାଳତୀ ଦିନେ ଦେଖିଲା ସେ କୁଡିଆ ଭିତରେ ଜଣେ ସାଧୁ ଶୋଇଛନ୍ତି । ମାଳତୀ ତାଙ୍କ ପାଖକୁ ଯାଇ ପଚାରିଲା ବାବା ଆପଣ ବହୁତ ବାଟ ଚାଲି ଚାଲି ଥକି ପଡିଛନ୍ତି ଆପଣଙ୍କ ଗୋଡ ଟିକିଏ ମୋଡିଦେବି କି? ଏପରି କଥା ଶୁଣି ସେ ସାଧୁ କହିଲେ ହଁ ଝିଅ ମୋ ଗୋଡ ତ ଭାରି ଜୋର୍ରେ ବିନ୍ଧୁଛି ଟିକିଏ ଘସି ଦେଲେ ଭାରି ଭଲ ହୁଅନ୍ତା । ତା’ପରେ ମାଳତୀ ସାଧୁଙ୍କ ଗୋଡ ଚିପିବାକୁ ଲାଗିଲା । କିଛି ସମୟ ପରେ ସାଧୁ ନିଦରେ ଶୋଇ ପଡିଲେ । ଏଣେ ମାଳତୀ ଘରକୁ ଫେରିଆସିଲା । ପରଦିନ ସକାଳେ ମାଳତୀ ଚୁଡା ଗୁଡ ଓ ପାଣି ନୋଟାଟିଏ ଧରି ସାଧୁଙ୍କ ପାଖରେ ଯାଇ ପହଁଚିଲା । ନେଇଥିବା ଜଳଖିଆ ସାଧୁଙ୍କୁ ଖାଇବାକୁ ଦେଲା । ତାଙ୍କର ସେବା କରି ଘରକୁ ଫେରି ଆସିଲା । ଘରକୁ ଫେରିଲାବେଳେ ସାଧୁ ମାଳତୀକୁ ପଛରୁ ଡାକି କହିଲେ, ମା’ ଆଜି ତ ମୁଁ ତୀର୍ଥ ଭ୍ରମଣରେ ଚାଲିଯାଉଛି ପୁଣି ଦୁଇମାସ ପରେ ଫେରିବି । ତୋର ସେବା କାର୍ଯ୍ୟ ପାଇଁ ମୁଁ ତତେ କିଛି ପୁରସ୍କାର ଦେବି । ଏହା ଶୁଣି ମାଳତୀ କହିଲା ସାଧୁଙ୍କ ଠାରୁ କିପରି ପୁରସ୍କାର ନେବି ସେମାନେ ତ ମାଗି ଯାଚି ଆଣୁଛନ୍ତି । ରୋଗୀର ସେବା କରିବା ତ ମୋର ପରମ ଧର୍ମ । ମୁଁ ତ କେବଳ ତାହା ହିଁ କରୁଛି । ସାଧୁ ମାଳତୀକୁ ଗୋଟିଏ ସୁନା ମୋହର କମଣ୍ଡଳୁ ଭିତରୁ ବାହାର କରି ଦେଲେ ଓ କହିଲେ, ଏଇ ମୋହରଟିକୁ ବାକ୍ସରେ ରଖିବୁ । ତାହେଲେ ଯାଇ ତୋର ଟଙ୍କା ପଇସାରେ ଆଉ ଅଭାବ ହେବ ନାହିଁ । ମାଳତୀ ସାଧୁଙ୍କ ଠାରୁ ସୁନାମୋହରଟି ନେଇ ତା ମା’କୁ ଦେଲା ଏବଂ ସାଧୁଙ୍କ ଉପଦେଶ କଥା ସବୁ କହିଲା । ସତକୁ ସତ ପରଦିନ ମାଳତୀ କାଠ ବାକ୍ସ ଖୋଲି ଦେଖିଲା ତା ବାକ୍ସ ଟଙ୍କାରେ ପୂରି ଯାଇଛି ।

                ଠିକ୍ ସେହିଦିନ ରାତିରେ ମାଳତୀର ମା’ ସ୍ୱପ୍ନ ଦେଖିଲେ ଯେ, ଜଣେ ସାଧୁ ତାଙ୍କୁ କହୁଛନ୍ତି ତୁମ ଝିଅ ଅତି ଆଦରର ସହିତ ବୁଢା ବାଟୋଇର ସେବା କରିଥିବାରୁ ମୁଁ ସାଧୁ ରୂପରେ ଆସି ତାକୁ ପୁରସ୍କାର ଦେଲି ।


ଗପ ସାରଣୀ

ତାଲିକାଭୁକ୍ତ ଗପ