ବଢେଇର ପତ୍ନୀ କହିଲା, “ଆରେ ବାଃ… ଏହା କ’ଣ କହିବା କଥା । ତୁମକୁ କ’ଣ ଜଣା ନାହିଁକି ମୁଁ ମୋର ସ୍ୱାମୀଙ୍କୁ ବିବାହ କରିବା ପୂର୍ବରୁ ପ୍ରେମ କରୁଥିଲି । ଏବେ ବିବାହ ପରେ ତ’ ମୁଁ ତାଙ୍କୁ ଭଗବାନ ପରି ପୂଜା କରୁଛି । ଆଜି ଯେତେବେଳେ ସେ ଗାଁରୁ ବାହାରକୁ ଯାଇଛନ୍ତି ସେଥିପାଇଁ ମୋ ମନ ବହୁତ ଦୁଃଖ । ମୋର ତ’ ସବୁ ସମୟରେ କେବଳ ତାଙ୍କରି ଚିନ୍ତା । ବାହାରେ କେଉଁଠାରେ କ’ଣ ଖାଉଥିବେ, କେମିତି ରହୁଥିବେ କେଜାଣି, ଭଗବାନ ତାଙ୍କୁ ଭଲରେ ମୋ ପାଖକୁ ପୁଣି ଫେରାଇ ଆଣନ୍ତୁ ।”
ବଢେଇ ପତ୍ନୀର ଏକଥା ଶୁଣି ତା’ର ପ୍ରେମିକ ତାକୁ ପଚାରିଲା – “ସତରେ ତୁମେ କ’ଣ ତୁମ ସ୍ୱାମୀଙ୍କୁ ଏତେ ଭଲପାଅ?”
ପ୍ରେମିକର କଥା ଶୁଣି ବଢେଇ ପତ୍ନୀ କହିଲା – “ଆରେ ଏ ମୂର୍ଖ । ଏତିକି କଥା ମନେରଖ ପ୍ରକୃତ ପତ୍ନୀ ସେହି ଭଳି ଏକ ନାରୀକୁ କୁହାଯାଏ ଯିଏ ତା’ର ସ୍ୱାମୀକୁ ଭଗବାନ ସମାନ ପୂଜା କରେ । ଏପରିକି ସ୍ୱାମୀର ଗାଳି ଗୁଲଜ୍ ଖାଇବା ପରେ ମଧ୍ୟ ସ୍ୱାମୀକୁ ପ୍ରେମ କରେ, ସେ ହିଁ ଯଥାର୍ଥ ପତ୍ନୀ ପଦବାଚ୍ୟ ଏବଂ ଆଉ ଗୋଟିଏ କଥା ମଧ୍ୟ ମନେରଖ – “ପତିଦେବଘରେ ରହନ୍ତୁ କିମ୍ବା ଜଙ୍ଗଲରେ ରୁହନ୍ତୁ, ପାପୀ ହୋଇ ଥାଆନ୍ତୁ କିମ୍ବା ଧାର୍ମିକ ହୋଇଥାଆନ୍ତୁ, ଯେଉଁ ପତ୍ନୀ ତାର ସ୍ୱାମୀକୁ ପ୍ରାଣଭରି ଭଲପାଏ, ତା’ର ସେବାକରେ, ସେପରି ପତ୍ନୀର ସ୍ୱର୍ଗପ୍ରାପ୍ତି ହୋଇଥାଏ । ସ୍ୱାମୀ ଯେଉଁ ସ୍ତ୍ରୀକୁ ପ୍ରାଣ ଭରି ଭଲ ପାଉଥିବ ସେହି ସ୍ତ୍ରୀ ବିନା ଅଳଙ୍କାରରେ ମଧ୍ୟ ରୂପବତୀ ଦେଖାଯାଏ । ନାରୀର ସବୁଠାରୁ ବଡ ଅଳଙ୍କାର ହେଉଛି ତାର ସ୍ୱାମୀ ।
ଆଉ ତୁମେ ଏକ ସ୍ୱାର୍ଥପର ପ୍ରେମିକ, ତୁମେ ଯେକୌଣସି ନାରୀ ପ୍ରତି ସଦା ଆସକ୍ତ । ମୁଁ ଏକ ପତିବ୍ରତା ନାରୀ । ମୁଁ ମୋର ସ୍ୱାମୀଙ୍କୁ ପ୍ରାଣଭରି ଭଲପାଏ । ସେ ହୁଏତ ମୋତେ ବିକ୍ରୀ କରିଦେଇ ପାରନ୍ତି କିମ୍ବା କାହାକୁ ଦାନ ଦେଇ ଦେଲେ ମଧ୍ୟ ମୋତେ ଖରାପ ଲାଗିବ ନାହିଁ । ଯେପର୍ଯ୍ୟନ୍ତ ମୋ ଠାରେ ଜୀବନ ଅଛି । ସେ ପର୍ଯ୍ୟନ୍ତ ମୁଁ ତାଙ୍କରି ପାଦ ତଳେ ହିଁ ପଡି ରହିଥିବି । ସତୀ ନାରୀ ମାନଙ୍କ ସଂପର୍କରେ ଯେପରି ବିଦ୍ୱାନ ମାନେ କହିଛନ୍ତି – “ଯେପରି ସାପୁଆ କେଳା ନାଗେଶ୍ୱରୀ ବାଦନ କରି ସାପକୁ ଗାତ ମଧ୍ୟରୁ ବାହାରକୁ ଆଣିପାରେ ସେହିପରି ସ୍ୱାମୀକୁ ସତୀନାରୀ ନିଜର ବ୍ରତ ବଳରେ ନର୍କରୁ ମଧ୍ୟ ଉଦ୍ଧାର କରିପାରେ ।”
ସ୍ତ୍ରୀର ଏପରି କଥା ଶୁଣି ତଳେ ଲୁଚିଥିବା ବଢେଇ ମନେ ମନେ ଭାବିଲା, “ସତରେ ମୁଁ ବହୁତ ଭାଗ୍ୟଶାଳୀ । ଯାହାର ଭାଗ୍ୟରେ ଏପରି ପତିବ୍ରତା ନାରୀ ଅଛି ତା’ର ପୁଣି ଦୁଃଖ କ’ଣ? ବଢେଇ ସଂଗେ ସଂଗେ ଖଟତଳୁ ବାହାରି ଆସି ଖୁସି ମନରେ ନାଚିବାକୁ ଆରମ୍ଭ କଲା ।