କମଳପୁର ଗ୍ରାମରେ କୈଳାସ ଶାସ୍ତ୍ରୀ ନାମକ ଜଣେ ଜ୍ୟୋତିଷ ରହୁଥା’ନ୍ତି । ସେ ଭବିଷ୍ୟତ ବିଷୟରେ ଗଣନା କରି କହୁଥିଲେ । ଏବଂ ଗ୍ରହମାନଙ୍କର କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପୂଜା ଅର୍ଚ୍ଚନା ମଧ୍ୟ କରାଉଥିଲେ ।
କଥାରେ କହନ୍ତି ଯେଉଁଠାରେ ଦ୍ରୁମ ନାହିଁ ସେଠାରେ ବରଗଛ ମଧ୍ୟ ନିଜକୁ ଦ୍ରୁମ ବୋଲାଇବ । ସେହି ଦୃଷ୍ଟିରୁ ଦେଖିଲେ ସେଠାରେ ଅନ୍ୟ ଜ୍ୟୋତିଷ ତ ନାହାଁନ୍ତି, ତେଣୁ ସେ ନିଜକୁ ବଡ ଜ୍ୟୋତିଷ ବୋଲି ଜାହିର୍ କରନ୍ତି । କେହି ତାଙ୍କ ପାଖକୁ ଗଲେ ସେ କହନ୍ତି “ମୁଁ ଯାହା କହିବି ସେସବୁ ସତ୍ୟ ହେବ । ମୋ ଉପରେ ପୁରା ବିଶ୍ୱାସ ରଖିବା ଉଚିତ୍ । ସେଥିରେ ଯଦି କିଛି ଗୋଳମାଳ ହୁଏ ମୁଁ ମଧ୍ୟ ଶାପ ଦେଇ ତୁମକୁ ନଷ୍ଟ କରିବି ।”
ଥରେ କ’ଣ ହେଲା ନା ଦୁଇଜଣ ଲୋକ ତାଙ୍କ ବିଦ୍ୟା ଉପରେ ବହୁତ ସମାଲୋଚନା କଲେ । କୈଳାସ ଶାସ୍ତ୍ରୀ ସେମାନଙ୍କୁ ଅଭିଶାପ ଦେଲେ । ଦୁର୍ଭାଗ୍ୟକୁ ସେମାନଙ୍କୁ କିଛିଟା କଷ୍ଟ ସହିବାକୁ ପଡିଲା । ସେହି ଘଟଣା ପରଠାରୁ ଲୋକଙ୍କର ବିଶ୍ୱାସ ହୋଇ ଗଲା କି ତାଙ୍କର କୌଣସି ଐଶୀ ଶକ୍ତି ଅଛି ।
ସେହି ଘଟଣାର ସୁଯୋଗ ନେଇ କୈଳାସ ଶାସ୍ତ୍ରୀ ପ୍ରଚାର କଲେ କି ତାଙ୍କ ବିଶରେ ଜଣେ ପିଶାଚ ଅଛି ତା’ରି ପ୍ରଭାବରୁ ସେ ଜାଣି ପାରନ୍ତି କିଏ ମନରେ କ’ଣ ଭାବେ । ପୁଣି ପ୍ରତିଦିନ ଶିବ ପୂଜା କରିବାରୁ ତାଙ୍କର ବାକ୍ସିଦ୍ଧି ହୋଇଛି । ତେଣୁ ସେ ଯାହାକୁ ଶାପ ବା ବର ଦେବେ ତାହା ନିଶ୍ଚୟ ଫଳିବ । ଲୋକମାନେ ତେଣୁ ତାଙ୍କୁ ଭୟ କରନ୍ତି ।
ସେହି ଗ୍ରାମରେ ରାମନାଥ ନାମକ ଜଣେ ନୂଆ ଲୋକ ଆସି ବସବାସ କଲେ । ସେ କୈଳାଶ ଶାସ୍ତ୍ରୀଙ୍କୁ ବିନୀତ ହୋଇ ଅନୁରୋଧ କଲେ କି ସେ ଥରେ ଯାଇ ତାଙ୍କ ନୂଆଘର ଦେଖି ଆସନ୍ତେ; ଯଦି ସେଠାରେ କୌଣସି ଖରାପ ଶକ୍ତି ଥାଏ । କୈଳାସ ଶାସ୍ତ୍ରୀ ରାଗିଯାଇ କହିଲେ, “ଘର କିଣିବାବେଳେ ମୋତେ ପଚାରିଥିଲ? ମୁଁ ଜ୍ୟୋତିଷଶାସ୍ତ୍ର ବିଶାରଦ । ଏବେ ଡାକୁଛ ଦେଖିବାକୁ? ସତ କହିବାକୁ ଗଲେ ଶାସ୍ତ୍ର ଅନୁସାରେ ଯଦି ତୁମେ ସେ ଘରେ ରହିବ ତେବେ ମାଲିକ ଭାବରେ ତୁମର ମୃତ୍ୟୁ ହେବ । ତେଣୁ ସେ ଘର ଏବେ ଛାଡିଦିଅ ।”
କୈଳାସ ଶାସ୍ତ୍ରୀଙ୍କ କଥା ଶୁଣି ରାମନାଥ ନୀରବ ରହିଲେ । ଅଦୂରରେ ତାଙ୍କ ଶାଶୁ ଠିଆ ହୋଇ ସବୁ ଶୁଣୁଥିଲେ । ସେ ରାଗିଯାଇ କହିଲେ, “କ’ଣ କହିଲ? ଘର ମାଲିକ ହେବାରୁ ତାଙ୍କର ମୃତ୍ୟୁ ହେବ? ଏପରି ଶୁଭ କାର୍ଯ୍ୟରେ ଏପରି ଅଶୁଭକଥା ମୁହଁରେ ଧରୁଛ, ତୁମକୁ ଲଜ୍ଜା ନାହିଁ? ମୁଁ ତ କହିବି ଏପରି କଥା କହିବା ଲୋକର ଗୋଡହାତ ଅଂଟା ସବୁ ଭାଙ୍ଗିଯାଉ ।”