ପିଲାଟିର ଜାତକ ତିଆରି ହେଲା । ଜାତକ ପଢି ଜ୍ୟୋତିଷ କହିଲା, “ଘରସଂସାର କରିବା ଏ ପିଲାର କପାଳରେ ନାହିଁ । ବଡ ହେଲେ ପିଲାଟି ବାବାଜୀ ହୋଇଯିବ ।”
ସତକୁ ସତ ସେ ପିଲାଟି ଛୋଟବେଳେ ତା’ ଦେହରେ ଧୂଳି ବୋଳି ହୋଇ ବାପାଙ୍କୁ କହିଲା, “ବାପା! ମୁଁ ରାଜା ହେବି ନାହିଁ କି ମନ୍ତ୍ରୀ ବି ହେବି ନାହିଁ । ମୁଁ ବାବାଜୀ ହେବି, ହଁ ହଁ ବାବାଜୀ ।”
ପୁଅର ଏଭଳି କଥା ଶୁଣି ଜ୍ୟୋତିଷର କଥା କାଳେ ସତ ହୋଇଯିବ ଭାବି ବାପା ବହୁତ ମନଦୁଃଖ କଲେ । ଦିନକୁ ଦିନ ସେ ପିଲାଟିର ବୟସ ଯେତିକି ବଢିଲା, ସେତିକି ସେତିକି ତା’ର ଧର୍ମ ପ୍ରତି ଆଉ ଠାକୁର ପୂଜା ପ୍ରତି ଆଗ୍ରହ ବି ବଢି ଚାଲିଲା । ଏହା ଛଡା ସେ ପିଲାଟି ପାଖରେ ଏକ ବିଶେଷ ଗୁଣ ବି ଥିଲା । ସେ ଭଲ ପାଠ ପଢୁଥିଲା, ପାଠରେ ସମସ୍ତ ପିଲାଙ୍କୁ ସେ ଟପିଯାଉଥିଲା ।
ବାପା ତ ଓକିଲ ଲୋକ, ସୁତରାଂ ପୁଅର ଭଲ ପାଠପଢା ଦେଖି ସେ ଭାରି ଖୁସି ହୋଇଗଲେ । ମନରେ ତାଙ୍କର ଜମାଟ ବାନ୍ଧି ରହିଥିବା ସବୁ ଦୁଃଖକୁ ସେ ଭୁଲିବାକୁ ଲାଗିଲେ । ତେଣୁ ସେ ତାଙ୍କ ସେଇ ପୁଅ ମୁହଁକୁ ଚାହିଁ ଆଉ ବାହା ହେବେନି ବୋଲି ସିଧା ସିଧା ମନା କରିଦେଲେ । ତା’ପରେ ସେ ମନେ ମନେ ଭାବିଲେ ଯାହାବିହେଉ ପୁଅ ମୋର ବଡ ହେଲେ ମୋ ନାଆଁ ସେ ନିଶ୍ଚୟ ରଖିବ ।
ସେତେବେଳେ ତ ଆମ ସମାଜରେ ବାଲ୍ୟବିବାହର ପ୍ରଥା ଥାଏ । ତେଣୁ ବାପା ତାଙ୍କ ପୁଅଟିକୁ ବାରବର୍ଷ ବୟସବେଳେ ନଅ ବର୍ଷର ମୋତିଦେବୀ ସହିତ ବିବାହ କରାଇଦେଲେ । ସତେ ଯେମିତି ଏହା ଥିଲା ଏକ କଣ୍ଢେଇ ବାହାଘର ।
ଦେହରେ ପାଉଁଶ ବୋଳି, ହାତରେ ଚିମୁଟା ଧରି ମୁଣ୍ଡରେ ଗୁଡାଏ ଜଟ ବାନ୍ଧିବା ଲୋକକୁ ଯେ କେବଳ ବାବାଜୀ କୁହାଯାଏ, ତାହା ନୁହେଁ । ବରଂ ଯାହାର ସଂସାର ପ୍ରତି କୌଣସି ଲୋଭ ନଥାଏ, ଯିଏ ଆଣ୍ଠୁଲୁଚା ଲୁଗା ଖଣ୍ଡିଏ ପିନ୍ଧୁଥାଏ, ସବୁବେଳେ କେବଳ ପରକଥା ଭାବୁଥାଏ ତାକୁ ବି ବାବାଜୀ କୁହାଯାଏ ।
ପିଲାଟି ଏବେ ଘରସଂସାର କଲା ସିନା, ହେଲେ ଘରର ମାୟା ତାକୁ ଚାରିକାନ୍ଥ ଭିତରେ ବାନ୍ଧି ରଖିପାରିଲା ନାହିଁ । ସେ ଉତ୍କଳବାସୀଙ୍କ ସେବାଲାଗି ସତେ ଯେପରି ପାଗଳ ହୋଇଗଲା । ବଢି, ମରୁଡି, ହଇଜା, ମହାମାରୀରେ ପୀଡିତଙ୍କ ସେବା ଲାଗି ସ୍ୱେଚ୍ଛାସେବୀ ଦଳ ଧରି ଅଂଟାଭିଡି ସେ ଠିଆ ହେଲା ।
ସେ ପିଲାଟି ତ ପିଲାଦିନେ ପୁରାଣ ପୋଥି ପଢେ ତେଣୁ ସେ ଜାଣିଥିଲା, ସକଳ ଘଟରେ ଈଶ୍ୱର ଅଛନ୍ତି ବୋଲି । ତେଣୁ ସମସ୍ତେ ସମାନ । ଲୋକଙ୍କ ଭିତରେ କେବଳ ଅମଣିଷପଣିଆ ହିଁ ଭେଦଭାବ ସୃଷ୍ଟି କରିଥାଏ । ସୁତରାଂ ସେ ଛୁଆଁ-ଅଛୁଆଁ ଭେଦଭାବ ଭୁଲି ସମସ୍ତଙ୍କୁ ଭଲ ପାଇ ବସିଲା । ହରିଜନ ପିଲାଙ୍କ ନାକରେ ସିଙ୍ଘାଣି ଦେଖିଲେ ତାକୁ ସେ ପୋଛି ପକାଇଲା ।
ଜନମଠାରୁ ମରଣଯାଏଁ ପର ପାଇଁ ସିଏ ଖାଲି କାନ୍ଦିଲା । ତାର ସେବା, ପର ଉପକାର, ଆପଣାର ଭାବ ପାଇଁ ପିଲାଟିକୁ ବାପା ଡାକୁଥିଲେ – ସାଧୁଚରଣ । ମାତ୍ର ସ୍କୁଲରେ ତା’ର ନାମ ଲେଖା ହେଲା ଗୋପବନ୍ଧୁ, ଯାହାଙ୍କୁକି ଶେଷରେ ଏ ସାରା ଦୁନିଆର ଲୋକ ଡାକିଲେ ଉତ୍କଳମଣି ବୋଲି ।
ପିଲାଦିନେ ସେହି ପିଲାଟିର ଏହିଭଳି ସ୍ୱଭାବ ଦେଖି ଈର୍ଷାଳୁମାନେ ଥଟ୍ଟା କରି କହୁଥିଲେ, “ଏ ଗୋପ ଦେଶଟାକୁ ଯେମନ୍ତ ଟେକି ଧରିବ ପରା?” ମାତ୍ର ଶେଷରେ ସେହିମାନେ ହିଁ ଦେଖିଲେ ତାଙ୍କ ଗାଆଁର ପୁଅ ଗୋପବନ୍ଧୁ ଦାସ ଦିନେ ଟେକ ରଖିଦେଲା ।