ସାନଭାଇର ମନ ବଡଭାଇର କଥାରେ ବୁଝିଲାନି । ସେ ପୁଣି କହିଲା – “ନା ଭାଇ! ମାଲିକର ଏପରି ପାତରଅନ୍ତରର କାରଣ ମୁଁ କିଛି ବୁଝିପାରୁନି । ମୁଁ ଏଣିକି ଆଉ ମନ ଦେଇ କାମ କରିବିନି । ତୁମେ ଯାହା କହ ପଛକେ, ମୁଁ ଆଉ ଏତେ କାମ କରିପାରିବିନି ।”
ବୋଧିସତ୍ୱ ବୁଝାଇଲେ – “ତତେ ଯଦି ମୁଁ ସବୁ କଥା ଫିଟାଇ କହିବି, ତେବେ ତୁ ବୁଝିପାରିବୁ । ତୁ ତ ଜାଣିଚୁ କିଛି ଦିନ ପରେ ଆମ ମାଲିକର ଝିଅ ବାହା ହବ ।”
ଚୁଲ୍ଲଲୋହିତ କହିଲା – “ହଁ, ମାଲିକର ଝିଅର ବାହାଘର ହବ ବୋଲି ଶୁଣିଚି । ସେଥିରେ ଆମର କ’ଣ ଅଛି?”
ବୋଧିସତ୍ୱ କହିଲେ – “ ବାହାଘରକୁ ତ ବହୁତ କୁଣିଆ ଆସିବେ । ସେମାନେ ଖାଇବା ପାଇଁ ଭୋଜିଭାତ ହବ । ଭୋଜିରେ ଖାଲି ତ ଭାତ ଡାଲି ଖାଇବେନି – ତାଙ୍କ ପାଇଁ ମାଛ ମାଂସ ତରକାରୀ ହବ । ସେତେବେଳେ ତୁ ବୁଝିପାରିବୁ ଯେ ମୁନିକକୁ ଭଲ ଖାଇବାକୁ ଦେଇ ମାଲିକ କାହିଁକି ମୋଟା କରୁଚି ।”
ଚୁଲ୍ଲଲୋହିତ କହିଲା – “ତା’ହେଲେ କ’ଣ ମୁନିକକୁ ବନ୍ଧୁକୁଣିଆମାନଙ୍କ ଖାଇବା ପାଇଁ ରଖାଯାଇଚି? ସେଇଥିପାଇଁ କ’ଣ ତାକୁ ଏତେ ମୋଟା କରାଯାଉଚି?”
ବୋଧିସତ୍ୱ କହିଲେ – “ଏବେ ବୁଝିଲୁ ତ ତାକୁ ଭଲ ଖାଇବାକୁ ଦେବାର କାରଣ କ’ଣ? ସେଦିନ ଦେଖିବୁ ମୁନିକର କ’ଣ ହେବ?”
ବଡଭାଇର କଥା ଶୁଣି ଚୁଲ୍ଲଲୋହିତ ତୁନି ହେଲା । କିଛି ଦିନ ପରେ ମାଲିକର ଝିଅ ବାହାଘର ହେଲା । କେତେ ବନ୍ଧୁ କୁଣିଆ ଆସିଲେ । ମୁନିକକୁ ମାରି ତା’ର ମାଂସ ତରକାରୀ କରାଗଲା ।
ତାହା ଦେଖି ବୋଧିସତ୍ୱ ଚୁଲ୍ଲଲୋହିତକୁ କହିଲେ – “ଏବେ ଜାଣିଲୁ ତ ମୁନିକକୁ କାହିଁକି ଖୁଆଇ ପିଆଇ ଏତେ ମୋଟା କରାଯାଇଥିଲା? ଯାହା କିଛି ଖାଇ ପାଣିପିଇ ବଂଚିରହିବା ଭଲ – ଭଲ ଜିନିଷ ଖାଇ ଏପରି ଜୀବନ ଦେବା ଭଲନୁହେଁ । ଏବେ ତୁ ମାନିବୁ ଯେ ମାଲିକ ପାତରଅନ୍ତର କରୁନଥିଲା । ଆମକୁ ଯେଉଁ ଶୁଖିଲା କୁଟା ମିଳୁଚି ସେତିକିରେ ଆମେ ଖୁସି ରହିବା ଉଚିତ୍ ।”
ଚୁଲ୍ଲଲୋହିତ ଉତ୍ତର ଦେଲା – “ସତ କଥା କହିଚୁ ଭାଇ । ଭଲ ଖାଇ ଅବେଳରେ ମରିବାଠାରୁ ସାମାନ୍ୟ ଜିନିଷ ଖାଇ ବଂଚିରହିବା ଭଲ । ମୁଁ ଆଉ କେବେ କାହାରିକୁ ଈର୍ଷା କରିବିନାହିଁ କି କାମରେ ହେଳା କରିବିନାହିଁ । ଯାହା ମିଳିବ ତାକୁ ଖାଇ ଶାନ୍ତିରେ ରହିବି ।”