ଠକର ଏକଥା ଶୁଣି ବ୍ରାହ୍ମଣ ଖୁବ୍ ରାଗିଗଲା । ଆରେ ମୂର୍ଖତୋର ସେଇଟା ଆଖି ନା ଗାଡ଼ିଆ । ଆରେ ମୁଁ ବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ । ମୁଁ କୁକୁରଟାକୁ କାନ୍ଧରେ ପକାଇ ଯିବା କଥା ତୋର ସେହି ମୂର୍ଖ ଆଖିକୁ ଦେଖାଗଲା ।
ଠକ କହିଲା – ଆହେ ଗୋସେଇଁ ମାପୁରୁ । ଆପଣ ତ ବେଶ୍ ଚିତା କାଟିଛନ୍ତି । ନିଜ ମଣିଷଟିଏ ପରି ଦିଶୁଛନ୍ତି । ଆପଣମାନେ ବେଦଜ୍ଞ ବ୍ରାହ୍ମଣ ସହିବାର ଶକ୍ତି ଆପଣଙ୍କ ଠାରେ ବେଶି । ସେଥିପାଇଁ ଆପଣ ସବୁ ଛୋଟ ଜାତି ଆପଣଙ୍କୁ ପଣ୍ଡିତ ଠାକୁର କହି ମାନିଆ ଦେଉଛୁ । ଆପଣ କ’ଣ ମୋର ଶତ୍ରୁ ଯେ ମୁଁ ଆପଣଙ୍କୁ ଛେଳିକୁ କୁକୁର କହୁଛି । ଯାହା ସତ୍ୟ ତାହା ତ କହିଲି ଏଥିରେ ମୋତେ କ୍ଷମା କରିଦେବେ ଆଉ ଏଇଟା ଯଦି ସତରେ କୁକୁର ହୋଇନଥିବ ତୁମେ ଗାଁରେ ପହଞ୍ଚିଲେ ଲୋକେ ପୁଣି କ’ଣ କହିବେ ସେତ ବେଳେ ମୋ କଥା ମନେ ପକାଇବ ।
ଏହି କହି ଠକ ସେହିଠାରେ ରହିଗଲା । ବ୍ରାହ୍ମଣଙ୍କର ମନ ମଧ୍ୟରେ ଏଥର ସନ୍ଦେହ ଆସିଲା । ସତରେ କ’ଣ ଯେଜେମାନ ମୋତେ ଠକାଇ ଦେଲା । ଯଦି ଏଇଟା ଛେଳି ନ ହୋଇ କୁକୁର ହୋଇଥାଏ ତାହାହେଲେ ଯେଜମାନଙ୍କୁ ବ୍ରହ୍ମଶାପ୍ୟ ଲାଗିବ । ଏହାପରେ ବ୍ରାହ୍ମଣ ପୁଣି ନିଜ ମାର୍ଗରେ ଗମନ କରିବାକୁ ଲାଗିଲେ ।
ନିଜ ଗ୍ରାମରେ ପହଞ୍ଚିବାକୁ ଅଳ୍ପ ରାସ୍ତା ଅଛି । ତୃତୀୟ ଠକଟି ପଣ୍ଡିତଙ୍କୁ ପଥରେ ଦେଖି ଓଳଗି ହୋଇ ହସ ହସ ହୋଇ କହିଲା – ହେ ପଣ୍ଡିତ ଆପଣଙ୍କର ଆଜି ବହୁତ ଭାଗ୍ୟ ନା, ଆଜି ରୋଜଗାରଟା ଭଲ ହୋଇଛି । ଗଣ୍ଠିଲି ତ ପୁରା ଓଜନ ଅଛି ।