ତେନାଲୀରାମା ଯେମିତି ତାଙ୍କ ବିରାଡିକୁ ଏପରି ଅବସ୍ଥାରେ ଦେଖିଲେ, ସେମିତି ସେ ପଡୋଶୀ ଘରର ଭଦ୍ର ବ୍ୟକ୍ତିଙ୍କୁ କହିଲେ, “ଭାଇ! ମୁଁ ଏହି ବିରାଡିଟିକୁ ମୂଷା ମାନଙ୍କର ଉପଦ୍ରବରୁ ରକ୍ଷା ପାଇବାପାଇଁ ହିଁ ପାଳିଛି । ମୁଁ ମାନୁଛି ସେ ଆପଣଙ୍କ ଘରେ ରହୁଥିବା ପାରାଟିକୁ ମାରି ଦେଇଛି । ଏଇଥରକ ପାଇଁ ମୋତେ କ୍ଷମା କରି ଦିଅ ଓ ମୋତେ ମୋ ବିରାଡିଟିକୁ ଫେରାଇ ଦିଅ ।”
ତେନାଲୀରାମାଙ୍କର ଏପରି ଅନୁରୋଧ ଭରା କଥା ଶୁଣି ସେ ବ୍ୟକ୍ତିଟି କହିଲା, “ମୂଷା ମାରିବାପାଇଁ ବିରାଡି ଘରେ ରହିବା କିଛି ବି ଦରକାର ନାହିଁ ମୁଁ ତ’ ବିନା ବିରାଡିରେ ମୂଷା ମାନଙ୍କୁ ମାରି ପାରୁଛି ।” ଏହା କହି ସେ ବ୍ୟକ୍ତିଜଣକ ବିରାଡିକୁ ମାରିଦେଲା । କିଛି ଦିନ ପରେ ସେହି ପଡୋଶୀ ବ୍ୟକ୍ତିଙ୍କୁ ଏକ ସୁନ୍ଦର କାମ କରାଯାଇଥିବା ସିନ୍ଦୁକଟିଏ କେହି ଜଣେ ଉପହାର ସ୍ୱରୂପ ପ୍ରଦାନ କଲେ । ବ୍ୟକ୍ତି ଜଣକ ତାଙ୍କର ଶୋଇବା ଘରକୁ ସେ ସିନ୍ଦୁକଟି ନେଇଲେ । ସେହି ଶୋଇବା ଘରେ ବ୍ୟକ୍ତି ଜଣକର ପତ୍ନୀର ଦାମୀ ଶାଢୀ ସବୁଥାଏ । ବ୍ୟକ୍ତି ଜଣକ ଯେମିତି ସେ ସିନ୍ଦୁକ ଖୋଲିଛନ୍ତି, ଶହ ଶହ ମୂଷା ତା’ଭିତରୁ ବାହାରି ଆସିଲେ । ସେ ଘର ଭିତରେ ସେମାନେ ଖାଲି ଏଣେତେଣେ ଦଉଡିବାକୁ ଲାଗିଲେ ।
ବ୍ୟକ୍ତିଜଣକ ସେମାନଙ୍କୁ ଧରିବାପାଇଁ ମଧ୍ୟ ଧାଁ ଦଉଡ ଆରମ୍ଭ କରିଦେଲେ । କେତେବେଳେ ବାମକୁ ଗଲେ ତ’ କେତେବେଳେ ଡାହାଣକୁ, ପୁଣି କେତେବେଳେ ଡାହାଣକୁ ତ’ କେତେବେଳେ ବାମକୁ ।
ଏହିପରି ଦୀର୍ଘ ଛଅ ଘଂଟା ମୂଷାମାନଙ୍କ ପଛରେ ଲାଗିବାପରେ ମୂଷା ମାନଙ୍କଠାରୁ ସେମାନଙ୍କୁ ନିସ୍ତାର ମିଳିଲା ସତ, ହେଲେ ସେତେବେଳକୁ ସେ ଘର ଭିତରେ ବହୁତ ଜିନିଷ ନଷ୍ଟ ହୋଇ ଯାଇଥିଲା । ଦାମୀ ଜିନିଷ ଉପରେ ମୂଷା ମାନଙ୍କର ରକ୍ତଛିଟା ସବୁ ଲାଗିଥାଏ ।
କେବଳ ସେତିକି ନୁହେଁ, ମୂଷା ମାନଙ୍କୁ ମାରିବା ସମୟରେ ସେ ବ୍ୟକ୍ତି ଜଣକ ଯେଉଁ ବାଡିରେ ପ୍ରହାର କରୁଥିଲେ, ହଠାତ୍ ସେ ବାଡିଟି ଏକ ବହୁମୂଲ୍ୟ ଫୁଲଦାନୀରେ ବାଜିବାରୁ ସେହି ଫୁଲଦାନୀଟି ସେହିକ୍ଷଣି ଭାଙ୍ଗିଗଲା । ବିଚରା ସେ ପଡୋଶୀ ଜଣକ ଏଥର ମନଦୁଃଖରେ କେବଳ ଚିନ୍ତା କଲା ଏହି ସିନ୍ଦୁକକୁ ତା’ପାଖକୁ କିଏ ପଠାଇଛି? ତାହାର ଉତ୍ତର ସେ ମନେ ମନେ ଖୋଜିବାକୁ ଲାଗିଲା । ସିନ୍ଦୁକ ଭିତରକୁ ଭଲ ଭାବରେ ଦେଖିଲାପରେ ତା’ ମଧ୍ୟରୁ ଏକ ଚିଠିଟିଏ ସେ ପଡୋଶୀ ବ୍ୟକ୍ତି ଜଣକ ପାଇଲେ । ଯେଉଁଥିରେ ଲେଖାଥିଲା –
“ଆପଣ କହିଥିଲେ ଯେ ଆପଣ ବିନା ବିରାଡିରେ ମୂଷା ମାନଙ୍କୁ ଅକ୍ତିଆର କରିପାରନ୍ତି । ମୁଁ ଆପଣଙ୍କୁ ହିଁ ପରୀକ୍ଷା କରିବାପାଇଁ ଆପଣଙ୍କ ପାଖକୁ ଏହି ସିନ୍ଦୁକ ଭର୍ତ୍ତି ମୂଷା ପଠାଉଛି ଆପଣ ଏମାନଙ୍କୁ କିପରି ଅକ୍ତିଆର କଲେ ଦୟା କରି ମୋତେ ଜଣାଇବେ ।”
ଆପଣଙ୍କର ଆଜ୍ଞାଧୀନ ସେବକ
‘ତେନାଲୀରାମା’
ଏ ଚିଠିଟି ପାଇସାରିବାପରେ ବିଚରା ପଡୋଶୀ ବ୍ୟକ୍ତିଟି କେବଳ ମନ ଦୁଃଖରେ ନିଜ କପାଳକୁ ନିନ୍ଦି ରହିଲା ।