ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଅଙ୍ଗୀକାର କଲେ ଯେମିତି ହେଉ ସେ ସିଂହାସନ ଆରୋହଣ କରିବେ । ପୁତ୍ତଳିକା ମାନଙ୍କର କଥା ଶୁଣିବେନାହିଁ ଯିଏ ବାଧା ଦେବ ବର୍ଦାସ୍ତ କରିବେ ନାହିଁ । ଜର୍ବଦସ୍ତ ସେ ସିଂହାସନରେ ବସିବେ ହିଁ ବସିବେ । ସେ ସିଂହାସନ ପାଖରେ ପହଁଚି ପ୍ରଥମ ପାହାଚରେ ପାଦଦେବା କ୍ଷଣି ଷଡବିଂଶ ପୁତ୍ତଳିକା ମୃଗନୟନୀ ଆସି ତାଙ୍କ ସାମ୍ନାରେ ଛିଡା ହୋଇ କହିଲା, “ମଣିମା! ଆପଣଙ୍କ ମନରେ କ’ଣ ଅଛି ମୁଁ ଜାଣେ । ତେବେ ସିଂହାସନରେ ବସିବାର ଧୃଷ୍ଟତା କରନ୍ତୁ ନାହିଁ । ନହେଲେ ପସ୍ତାଇବାକୁ ବାଧ୍ୟ ହେବେ ।”
ଭୋଜରାଜ କହିଲେ, “ନା, ବହୁତ ହୋଇଗଲା, ମୁଁ ଆଉ କାହାରି କଥା ଶୁଣିବି ନାହିଁ । ତମେମାନେ ସବୁ ମୋତେ କାହାଣି ଶୁଣାଇ ଶୁଣାଇ ମୋର ମାନସିକ ଦୃଢତାକୁ କ୍ଷୂର୍ଣ୍ଣ କରି ସାରିଲଣି । ଆଜି ମୋ ଜିଦ୍ ଅଟଳ । ଯେମିତି ହେଉ ସିଂହାସନରେ ବସିବି । କେହି ମୋତେ ବାଧା ଦେଇପାରିବେନି ।” ଏହା କହି ରାଜା ଯେମିତି ପର ପାହାଚରେ ପାଦ ଦେଇଛନ୍ତି ସଙ୍ଗେ ସଙ୍ଗେ ଏକ ଉଜ୍ଜଳ ଶିଖା ଆସି ତାଙ୍କ ଶରୀରରେ ପ୍ରବେଶ କଲା । ସେ ଆପେ ଆପେ ଅନେକ ଉଚ୍ଚକୁ ଉଠିଯାଇ ପୁଣି ତଳକୁ କଚାଡି ହୋଇ ପଡିଲେ । ତାଙ୍କର ସମସ୍ତ ବଳ, ସାହସ, କୁଆଡେ ଉଭେଇ ଗଲା । ସେ ଦୁର୍ବଳ ପଙ୍ଗୁଟିଏ ପରି ପଡି ରହିଲେ । ଆଉ ଉଠି ପାରିଲେ ନାହିଁ ।
ପୁତ୍ତଳିକା ମାନେ ସମସ୍ତେ ଖିଲ୍ ଖିଲ୍ ହୋଇ ହସି ଉଠିଲେ । ଭୋଜରାଜ ସେମାନଙ୍କୁ ଲକ୍ଷ୍ୟ କରି କାକୁସ୍ଥ ହୋଇ କହିଲେ, “ମୋତେ କ୍ଷମା କରିଦିଅ । ମୁଁ ତମମାନଙ୍କ କଥା ନମାନି ଯେଉଁ ଧୃଷ୍ଟତା କରିଛି ସେଥିପାଇଁ ଲଜ୍ଜିତ । ମୋତେ ଉପାୟ ବତାଇ ଦିଅ କେମିତି ମୁଁ ମୋର ବଳ, ଶକ୍ତି, ସାହସ ପୁଣି ଥରେ ଫେରିପାଇବି ।”
ମୃଗନୟନୀ କହିଲା, “ଆପଣ ଧୈର୍ଯ୍ୟର ସହିତ ପ୍ରତୀକ୍ଷା କରନ୍ତୁ । ଅଯଥାରେ ଅସଫଳ ପ୍ରୟାସ କରନ୍ତୁ ନାହିଁ । ଯେଉଁଦିନ ଯେଉଁ ପୁତ୍ତଳିକାଙ୍କର କାହାଣୀ ଅନୁସାରେ ଆପଣ ବିକ୍ରମାଦିତ୍ୟଙ୍କର କୌଣସି ଗୋଟିଏ ଗୋଟିଏ ଗୁଣ ସହିତ ସମକକ୍ଷ ହୋଇଯିବେ ଏବଂ ସେଇଦିନ ସେ ଆପଣଙ୍କୁ ସିଂହାସନରେ ବସିବାକୁ ଅନୁମତି ଦେବେ । ଆପଣ ବିନାବାଧାରେ ଆରୋହଣ କରିପାରିବେ ।