ବହୁତ ଦିନ ତଳର କଥା । ବୁଢାଲୋକଟିଏ ଥାଏ । ତା’ ନାଁ ବୁରୁଙ୍ଗ୍ । ବଣରୁ କାଠ କାଟି, ତାକୁ ବିକି ସେ ଚଳୁଥାଏ । ଦିନେ ବଣରୁ କାଠ କାଟି କାଠ ବିଡାଟି ମୁଣ୍ଡରେ ଥୋଇ ସେ ବୁରୁଙ୍ଗ୍ ଘରକୁ ଫେରୁଥାଏ – ଭାବୁଥାଏ, କାଠ ବିକି କେତେଟଙ୍କା ପାଇବ । ବାଟରେ ତାକୁ ଭାରି ଶୋଷ ହେଲା । କାଠ ବିଡାଟି ତଳେ ଥୋଇ ଝରଣାରୁ ସେ ବୁରୁଙ୍ଗ୍ ପାଣି ପିଇଲା । ପାଣି ପିଇସାରି କାଠ ବିଡାଟି ମୁଣ୍ଡ ଉପରକୁ ଉଠାଇଲା ବେଳକୁ ସେ ବୁଢାକୁ ଖୁବ୍ ହାଲିଆ ଲାଗିଲା । ତେଣୁ ସେ ଭାରି ମନ କଷ୍ଟରେ କହିଲା, ‘ମୋ ପରି ବୁଢା ଲୋକ ବଂଚିରହି କି ଲାଭ? ମୃତ୍ୟୁ ବି ମୋତେ ନେବା ପାଇଁ ଆସୁନାହିଁ ।’
ବୁଢା ଏମିତି କହିବା ପରେ କେହି ଜଣେ ଆସି ତା’ ଆଗରେ ଠିଆ ହେଲା । ଆଉ କହିଲା, ‘ମତେ କାହିଁକି ଡାକିଲୁ?’
ଏକଥା ଶୁଣି ସେ ବୁଢା କହିଲା, ‘ତୁ କିଏ ମୁଁ ତ କାହିଁ ତତେ ଜାଣେ ନାହିଁ । ତାଛଡା ତତେ ମୁଁ ଡାକିବି ବା କାହିଁକି?
ତହୁଁ ବୁଢା ଆଗରେ ଠିଆ ହୋଇଥିବା ସେ ଲୋକଟି କହିଲା, – ‘ମୁଁ ହେଉଛି ମୃତ୍ୟୁ’ । ତୁ ତ ମତେ ଡାକିଲୁ ।’
ଠିକ୍ ସେତିକିବେଳେ ଜଣେ ସ୍ତ୍ରୀ ଲୋକ ଝରଣାରେ ଗାଧୋଉଥାଏ । ମୃତ୍ୟୁ କହିଲା, ‘ତୁ ତ ମୋ କଥାରେ ଆଦୌ ବିଶ୍ୱାସ କରୁନାହୁଁ । ତେବେ ଦେଖ୍ ।’ ଏହା କହି ସେ ମୃତ୍ୟୁ ଗୋଟାଏ ପଥର ସେ ସ୍ତ୍ରୀ ଲୋକ ଉପରକୁ ଫିଙ୍ଗିଦେଲା । ଯଦ୍ୱାରା ସେ ସ୍ତ୍ରୀ ଲୋକଟା ସଙ୍ଗେ ସଙ୍ଗେ ମରିଗଲା । ମୃତ୍ୟୁ କହିଲା, ‘ତା’ର ମରିବା ସମୟ ଆସିଯାଇଥିଲା । ସେଥିପାଇଁ ମୁଁ ତା’ ଉପରକୁ ପଥର ଫିଙ୍ଗି ତାକୁ ମାରିଦେଲି ।’
ଏ ବୁଢା ତ ଖୁବ୍ ଚାଲାକ୍ । ତେଣୁ ସେ ମୃତ୍ୟୁକୁ କହିଲା, ‘କଥା କ’ଣ କି, ଏ କାଠ ବିଡାଟି ମୁଁ ବୋହି ପାରୁନାହିଁ । ସେଥିପାଇଁ ତତେ ଡାକିଥିଲି । ତୁ ଟିକେ ଏହାକୁ ଆମ ଘରଯାଏଁ ବୋହି ନେ ।’