ମୃତ୍ୟୁ କାଠ ବିଡାଟି ବୁଢା ଘରେ ଆଣି ପହଁଚାଇ ଦେଲା । ସେମାନେ ଗଲାବେଳେ ବୁଢା ସେ ମୃତ୍ୟୁକୁ ପଚାରିଲା, ‘ମୁଁ ଆଉ କେତେ ବର୍ଷ ବଂଚିବି?’ ତହୁଁ ସେ ମୃତ୍ୟୁ କହିଲା, ‘ପାଂଚ ବର୍ଷ’ ।
ଏହାପରେ ବୁଢା କୁରାଢୀ ଆଣି ଜଙ୍ଗଲରୁ ଛୋଟ ଗଛଟିଏ କାଟି ନୂଆ ଘରଟିଏ ତିଆରି କଲା । ଘରଟି ତିଆରି କରିବା ପାଇଁ ତାକୁ ଲାଗିଲା ପାଂଚ ବର୍ଷ । ଘରଟି ଏମିତି ମଜବୁତ୍ ହେଲା ଯେ ଝଡ ପବନ ବି ତାକୁ ହଲାଇ ପାରିଲା ନାହିଁ ।
ପାଂଚ ବର୍ଷ ଯୋଉଦିନ ପୂରିଲା, ମୃତ୍ୟୁ ଆସି ସେ ବୁଢା ଘରେ ପହଁଚିଲା । ବୁଢା କହିଲା, ‘ମୁଁ ଗୋଟିଏ ବଢିଆ ନୂଆ ଘର ବନାଇଛି । ତୁ ଆଗେ ସେ ଘରଟି ଦେଖ୍ । ତା’ପରେ ପଛେ ମୋତେ ମାରିବୁ ।’ ମୃତ୍ୟୁ ଏଥିରେ ରାଜି ହେଲା । ତା’ପରେ ସେ ମୃତ୍ୟୁ ବୁଢାର ନୂଆ ଘରଟି ଦେଖିବାକୁ ଗଲା ।
ବୁଢାର ନୂଆ ଘରଟି ଦେଖି ମୃତ୍ୟୁ ଖୁବ୍ ଖୁସୀ ହେଲା । ଏଣେ ସେ ମୃତ୍ୟୁ ଘର ଭିତର ବୁଲି ଦେଖୁଛି; ବୁଢା ପରିସ୍ରା କରିବାକୁ କହି ଘର ବାହାରକୁ ଆସିଲା । ଘରର କବାଟ ବନ୍ଦ କରି ବାହାରୁ ତାଲା ପକାଇ ସେଠାରୁ ପଳାଇଲା ।
ମୃତ୍ୟୁ ବିଚରା ବର୍ତ୍ତମାନ ଆଉ କରେ କ’ଣ? ଫଳରେ ସେ ବନ୍ଦୀ ହୋଇ ରହିଲା ବୁଢାର ନୂଆ ଘରେ । ଆଉ ବାହାରକୁ ଆସି ପାରିଲା ନାହିଁ । ଏହା ଫଳରେ ପୃଥିବୀରେ ଆଉ କେହି ବି ମଲେ ନାହିଁ, କିନ୍ତୁ ପିଲାମାନେ ଜନ୍ମ ହେଲେ ଆଗ ପରି । ଲୋକ ସଂଖ୍ୟା ବଢିବାରେ ଲାଗିଲା । ଲୋକେ ଖାଇବାକୁ ପାଇଲେ ନାହିଁ; ଦୁର୍ଭିକ୍ଷ ପଡିଲା । ସ୍ୱର୍ଗର ଦେବତାମାନେ ଏହା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । କାହିଁକି ଏପରି ହେଲା ବୋଲି ସେମାନେ କିଛିବି ବୁଝିପାରିଲେ ନାହିଁ । ଦିନେ ସବୁ ଦେବତା ଦେବରାଜଙ୍କ ପାଖରେ ପହଁଚିଲେ । କାହିଁକିନା ଦେବରାଜ ତ ପୃଥିବୀ ରକ୍ଷା କରନ୍ତି । ଦେବତାମାନଙ୍କ କଥା ଶୁଣିବା ପରେ ସେ କହିଲେ, ‘ମୁଁ ନିଜେ ପୃଥିବୀକୁ ଯାଇ ଯାହା କରିବାର କଥା କରିବି ।’
ଦେବରାଜ ନିଜେ ଗୋଟିଏ ବୁଢା ବେଶରେ ସେ ବୁରୁଙ୍ଗ୍ ଘରେ ଯାଇ ପହଁଚିଲେ । ବୁରୁଙ୍ଗ୍ ସେତେବେଳକୁ ଅତି ଦୁର୍ବଳ ହୋଇଯାଇଥାଏ; ତା’ ଆଖିକୁ ବି ଆଉ କିଛି ଦିଶୁ ନଥାଏ, ଚମ ଲୋଚାକୋଚା । ଦେବରାଜ ତାକୁ ପଚାରିଲେ, ‘ଏତେ ବୁଢା ହୋଇଗଲୁଣି, ତଥାପି କ’ଣ ତୋର ବଂଚିବାକୁ ଆହୁରି ଇଚ୍ଛା ଅଛି?’ ଏପ୍ରଶ୍ନ ଶୁଣି ସେ ବୁରୁଙ୍ଗ୍ କହିଲା, ‘ଆଉ ବଂଚିବାକୁ ମୋର ଜମାରୁ ଇଚ୍ଛା ନାହିଁ । ହେଲେ ମୃତ୍ୟୁ ଆଉ ମୋ ପାଖକୁ ଆସିପାରୁ ନାହିଁ । କାହିଁକିନା ମୁଁ ତାକୁ ଗୋଟିଏ ଘରେ ବନ୍ଦୀ କରି ଦେଇଛି । ତା’ ପାଖକୁ ଯିବାକୁ ମୋର ବି ଆଉ ବଳ ନାହିଁ ।’
ତା’ପରେ ଦେବରାଜଙ୍କର ସେ ବୁଢା ଉପରେ ଟିକେ ଦୟା ହେଲା । ତେଣୁ ସେ ଦେବରାଜ ବୁରୁଙ୍ଗ୍ କୁ କହିଲେ, ‘ମୁଁ ତୋତେ ତୋ ବଳ ଫେରାଇ ଦେଉଛି । ମୃତ୍ୟୁ ଯେଉଁ ଘରେ ବନ୍ଦୀ ଅଛି, ତୁ ତୁରନ୍ତ ଯାଇ ସେ ଘରର କବାଟ ଖୋଲି ଦେ । ଏତିକି କହିବା ପରେ ଦେବରାଜ ବୁରୁଙ୍ଗ୍ ମୁଣ୍ଡରେ ତାଙ୍କ କମଣ୍ଡଳୁରୁ ଟିକେ ପାଣି ଛିଂଚିଦେଲେ । ଫଳରେ ବୁରୁଙ୍ଗ୍ ତା’ର ବଳ ପୁନଃ ଫେରିପାଇଲା । ସାଙ୍ଗେ ସାଙ୍ଗେ ସେ ବୁରୁଙ୍ଗ୍ ଯାଇ ମୃତ୍ୟୁକୁ ବନ୍ଦୀ କରିଥିବା ଘରର କବାଟ ଖୋଲି ଦେଲା ।