ଦିନକର କଥା । ଗୋଟିଏ ବଡ ସାପ ସେ ନଈକୁ ଆସିଲା । ଏତେ ପ୍ରକାରର ମାଛ ସେ କେବେ ହେଲେ ବି ଅନ୍ୟ ନଈରେ ଦେଖି ନଥିଲା । ହଠାତ୍ ତାକୁ ଗୋଟିଏ ଅଦ୍ଭୁତ ମାଛ ଦେଖାଦେଲା । ସେ ପହଁରୁ ନଥିଲା । କି କାହା ସହିତ ଆଦୌ ମିଶୁ ନଥିଲା । ଏକୁଟିଆ ପହଁରୁଥିଲା । ସେ ମାଛଟିକୁ ଏପରି ଏକୁଟିଆ ପାଇ ବଡ ସାପ ମାଛଟିକୁ ଚୋଟଟିଏ ମାରିଲା । ସେହିକ୍ଷଣି ସେ ମାଛଟି ବି ମରିଗଲା । ସେ ମାଛଟି ମରିବା କ୍ଷଣି ତା ଅତ୍ମା କେଉଟ ପୁଅର ଆତ୍ମା ହୋଇଗଲା । ତାପରେ ତାହାର ଆତ୍ମାକୁ ମୃତ୍ୟୁଦୂତ ମାନେ ମୃତ୍ୟୁପୁରକୁ ବିଚାର ପାଇଁ ନେଇଗଲେ ।
ସେତେବେଳେ ତ ମୃତ୍ୟୁ ମହାରାଜ ସିଂହାସନରେ ବସିଥାନ୍ତି । ମୃତ୍ୟୁ ଗୁମାସ୍ତା ମୃତ୍ୟୁର ପଞ୍ଜିକା ଦେଖୁଥାନ୍ତି । ମୃତ୍ୟୁ ଗୁମାସ୍ତା କହିଲେ – ମହାରାଜ ବଡ ଅଜବ ପରିସ୍ଥିତି ପହଁଚିଛି । ଗୋଟିଏ କେଉଟ ପିଲା ମରିଛି କିନ୍ତୁ ସେ ତ କିଛି ବି ପାପ କରିନି । ତା ପାପ ଘର ପୁରା ଶୂନ । ଏପରି କିପରି ହେଲା । ଏଣେ ତା’ର ମୃତ୍ୟୁର ସମୟ ବି ହୋଇନାହିଁ । ତାପରେ ମୃତ୍ୟୁ ମହାରାଜ ସେ କେଉଟ ପିଲାଟିକୁ ମୃତ୍ୟୁପୁରୀରେ ଦେଖି ହସିବାକୁ ଲାଗିଲେ । କହିଲେ – ତୁମେ ସେହି କେଉଟ ପୁଅନା । ଠିକ୍ ଶାସ୍ତି ପାଇଛୁ । କଲା କର୍ମର ଫଳ ତତେ ମିଳିଛି ।
ଏହା ଶୁଣି ସେ କେଉଟ ପୁଅ ଖାଲି ହସିବାକୁ ଲାଗିଲା । କହିଲା – ମହାରାଜ, ମୁଁ ମରିଛି ସତ କିନ୍ତୁ ମଣିଷ ରୂପରେ ନୁହେଁ ମାଛ ରୂପରେ । ମୁଁ ତ ମୋ ଜୀବନରେ କିଛି ବି ପାପ କରିନି । ଆପଣଙ୍କ ମୃତ୍ୟୁ ପଞ୍ଜିକାରେ ମଧ୍ୟ ତାହା ଲେଖାହୋଇଛି । ଯେହେତୁ ମୋର ମୃତ୍ୟୁ ସମୟ ହୋଇନାହିଁ ତେଣୁ ଆପଣ ଏବେ ମତେ ମର୍ତ୍ତ୍ୟକୁ ଯିବାକୁ ଦିଅନ୍ତୁ ନଚେତ୍ ମୁଁ ସିଧା ଆପଣଙ୍କ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଯିବି । ଏ କଥା ଶୁଣି ମୃତ୍ୟୁ ମହାରାଜ କହିଲେ – ତୁମେ ଏ ମୃତ୍ୟୁପୁରକୁ ଆସିଛ ମାନେ ତୁମର ବିଚାର ମୁ ହିଁ ମୃତ୍ୟୁପୁରରେ କରିବି । ତୁମେ ମୋର ପ୍ରଶ୍ନର ଉତ୍ତର ଦେବ ; ଯଦି ଉତ୍ତର ଠିକ୍ ହୁଏ ତେବେ ଯାଇ ତୁମେ ମର୍ତ୍ତ୍ୟକୁ ଫେରିବ ନଚେତ୍ ପୁଣି ମାଛ ରୂପରେ ନଈରେ ରହିବ । ଏକଥା ଶୁଣି ସେ କେଉଟ ପୁଅ ରାଜି ହୋଇଗଲା । ମୃତ୍ୟୁ ମହାରାଜ ଏଥର ପ୍ରଥମ ପ୍ରଶ୍ନ ପଚାରିଲେ । କେଉଁ ପଦାର୍ଥକୁ କାଟିଲେ ତାହା ସଙ୍ଗେ ସଙ୍ଗେ ଯୋଡି ହୋଇଯାଏ?