ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମେଷପାଳକର ବୁଦ୍ଧି

ଗୋଟିଏ ଗାଁରେ ଲୋଲା ବୋଲି ଗୋଟିଏ ମେଷପାଳକ ଥାଏ । ଅନେକ ଗୁଡିଏ ମେଣ୍ଢା ସେ ରଖିଥାଏ । ଗାଁ ମୁଣ୍ଡରେ ଘର ବନାଇ ସେମାନଙ୍କୁ ସେ ଜଗି ରହିଥାଏ । କ୍ରମେ ମେଣ୍ଢାମାନଙ୍କ ସଂଖ୍ୟା ବଢିବାରୁ ସେମାନଙ୍କୁ ଏକଲା ଜଗିବାକୁ ତା’ପକ୍ଷେ ଭାରି କଷ୍ଟ ହେଲା । ମଝିରେ ମଝିରେ ହେଟା ଓ ଗଧିଆ ବାଘ ଆସି ଗୋଟାଏ ଦୁଇଟା ମେଣ୍ଢା ମାରି ପକାନ୍ତି ।

                ଏହି ସମସ୍ୟାଟି କଥା ଭାବି ଭାବି ଦିନେ ସେ ଗାଁ ଦୋକାନୀକୁ କହିଲା । ଦୋକାନୀ କହିଲା, “ମୋ କୁକୁରର ଛୁଆ ଗୁଡାଏ ହୋଇଛି । ସେଥିରୁ ଦି’ଟା ନେଇଯା । ମାସକରେ ବଡ ହୋଇଯିବେ, ମେଣ୍ଢା ଜଗିବେ । ହେଲେ ତୁ ସବୁଦିନେ ସେମାନଙ୍କୁ ଗୋଟିଏ ଲେଖାଏଁ ମୂଷା ଖାଇବାକୁ ଦେବୁ ।”

                ଲୋଲା ସେହି ଅନୁସାରେ କାମ କଲା । କୁକୁରଛୁଆ ଦୁଇଟିଙ୍କୁ ନେଇ ସେ ପାଳିଲା; ପ୍ରତିଦିନ ଦୁଇଟି କରି ମଲା ମୂଷା ଯୋଗାଡ କରି ସେ ଆଣି ସେମାନଙ୍କୁ ଦିଏ । ସେମାନେ ମାସକରେ ବଡ ହୋଇଗଲେ । କିନ୍ତୁ ହେଟା ଆସି ମେଣ୍ଢା ନେବାବେଳେ ସେମାନେ ଭୁକନ୍ତି ନାହିଁ । ବଡ ଅଡୁଆ କଥା ହେଲା ତ ଦିନେ ଲୋଲା ଲୁଚି ବସି ଏସବୁ ଦେଖିଲା । ହେଟାବାଘ ମେଣ୍ଢାଟିଏ ନେଇ ଚାଲିଯିବା ପରେ କୁକୁର ଦୁହେଁ ତା’ପଛେ ପଛେ ଗଲେ ସିନା ହେଲେ ଭୁକିଲେ ନାହିଁ । କିଛି ସମୟ ପରେ ସେ କୁକୁର ଦୁହେଁ ଓଠ ଚାଟି ଚାଟି ଫେରୁଛନ୍ତି । ଲୋଲା ଏଥିରୁ ଆଦୌ କିଛି ବି ବୁଝିପାରିଲା ନାହିଁ ।

                ଦିନେ ରାସ୍ତାରେ ଜଣେ ବୁଢାକୁ ଦେଖି ଲୋଲା ତା’ ସମସ୍ୟାଟି କହିଲା ତା’ର ସବୁକଥା ଶୁଣି ସେ ବୁଢା କହିଲା, “ଆରେ ବୋକା, ତୁ କଣ ଆଜିଯାଁକେ ତାଙ୍କୁ ମୂଷା ଦେଉଛୁ? ସେମାନେ ତ ଏବେ ବଡ ହୋଇ ଗଲେଣି ଭାତ ମାଛ ମାଂସ ଟିକିଏ ଟିକିଏ ତାଙ୍କୁ ଦେଲେ ସିନା ସେମାନେ ତୋ ବୋଲ କରିବେ । ଏବେ ହେଟା ପଛରେ ଦୌଡି ଦୌଡି ଯାଇ ମେଣ୍ଢାମାଂସ କିଛି ପାଉଛନ୍ତି ବୋଲି, ତା’ସହିତ ସେମାନେ ବନ୍ଧୁତା କରିଛନ୍ତି । ତେଣୁ ଭୁକୁ ନାହାଁନ୍ତି । ତୁ ଏଣିକି ତାଙ୍କୁ ପେଟଭରା ଖାଇବାକୁ ଦେବୁ ଓ ଆଦର କରି ପିଠି ଆଉଁସି ଦେବୁ । ଦେଖିବୁ ଏଥର ସେମାନେ ଭୁକୁଛନ୍ତି କି ନାହିଁ ।”

                ସେହିଦିନଠାରୁ ବୁଢା କଥା ମାନି ଲୋଲା ତା’ କୁକୁରମାନଙ୍କୁ ପେଟଭରା ଖାଇବାକୁ ଦିଏ । ମାଛ, ମାଂସ ସବୁ ଦିଏ । ତେଣୁ କୁକୁରମାନେ ମୁନିବଙ୍କକଥା ମାନି ଏଣିକି ହେଟା ଆସିଲେ ତାକୁ ଭୁକି ଘଉଡାଇ ଦେଲେ । ସତେ ଯେପରି କହୁଥା’ନ୍ତି, “ଏଣିକି ଆଉ ବନ୍ଧୁତା କରିବା କିଛିବି ଦରକାର ନାହିଁ । ଅଇଁଠା ଟିକିଏ ଟିକିଏ ଦେଇ ତମେ ବନ୍ଧୁତା କରିଥିଲ । ମାତ୍ର ଏବେ ଆମ ମୁନିବ ତ ଆମକୁ ଯଥେଷ୍ଟ ଖାଇବାକୁ ଦେଉଛି । ତୁ ଆଉ ମେଣ୍ଢା ନେଇପାରିବୁନି ।”

                ହେଟା ଭାବିଲା, ପୁରୁଣା କୁକୁର ବଦଳରେ କ’ଣ ନୂଆ କୁକୁର ଆସି ଏଠି ରହିଲେଣି? ସେ ଅଦୂରରେ ଠିଆ ହୋଇ ରହି ଲକ୍ଷ୍ୟ କଲା ଦେଖିଲା ନା, ସେ କୁକୁର ଗୁଡିକ ତା’ର ସୁପରିଚିତ ସେହି ପୁରୁଣା କୁକୁର । ସେ ଆଶ୍ଚର୍ଯ୍ୟ ହେଲା । ଭାବିଲା, କୌଣସି ମତେ କୁକୁର ଗୁଡିକୁ ମାରି ପକାଇଲେ ତା’ର ସବୁଠାରୁ ସୁବିଧା ହୁଅନ୍ତା । କିନ୍ତୁ ସେ କ୍ଷୀପ୍ର କୁକୁର ମାନଙ୍କୁ ମାରିବା ଏତେ ସହଜ ନୁହେଁ । ସେମାନେ ଶୋଇଥିବା ବେଳେ ହଠାତ୍ ଯାଇ ଜଣଙ୍କ ବେକକୁ କାମୁଡି ଦେବ କି? କିନ୍ତୁ ଗୋଟିଏ କୁକୁର ହୋଇଥିଲେ ସିନା ତାହା ସମ୍ଭବ ହୁଅନ୍ତା । ସେତ ଗୋଟାକୁ କାମୁଡିବା ବେଳେ ଅନ୍ୟ ଗୋଟିଏ ତ ପିଠି ଉପରକୁ କୁଦା ମାରିବ ଏସବୁ ସମସ୍ୟା ଉପରେ ଚିନ୍ତାକରି ସେ ଟିକିଏ ଅଗ୍ରସର ହୋଇ ଆସନ୍ତେ କୁକୁରମାନେ ଚଟାପଟ ଉଠିପଡି ଭୀଷଣ ଜୋର୍ରେ ଭୁକିଲେ ।

                ଏଣେ ଏ ହେଟା ବାରମ୍ବାର ଫେରିଯାଇ ବୁଦାମୂଳରେ ଛକି ବସିଥାଏ । କୁକୁର ଦି’ଜଣ ଟିକିଏ ଶୋଇଛନ୍ତି କି ନାହିଁ ହେଟା ପୁଣି ମେଣ୍ଢାମାନଙ୍କୁ ଘୋଷାରିଲା । ମେଣ୍ଢା ଓ ତାଙ୍କ ଛୁଆମାନେ ବଡ ବିକଳରେ  ଚିତ୍କାର କଲେ । ଏଥର ଦୁଇ କୁକୁର ଭୀଷଣ  ଚିତ୍କାର କରି ଭୁକିଲେ । ହେଟାବାଘ ତା’ ଶୀକାରକୁ ଘୋଷାରି ନେଉଥାଏ । କୁକୁରମାନେ ମେଣ୍ଢାଛୁଆଙ୍କ ବିକଳ  ଚିତ୍କାର ସହି ନପାରି ହେଟା ପଛରେ ଗୋଡାଇଲେ । ହେଟା ଏବେବି ମଧ୍ୟ ବିଶ୍ୱାସ କରିପାରୁ ନଥାଏ କୁକୁରମାନେ ସତରେ ତା’ ବିରୁଦ୍ଧରେ ଯାଉଛନ୍ତି । କାରଣ କୁକୁରଙ୍କ ସହ ତା’ର ବନ୍ଧୁତା ତ ବହୁଦିନର । ସେ ଅଧେବାଟ ଯାଏ ପୁଣି ଛାଡିଦିଏ । ଏମିତି କୁକୁରମାନେ ମାଲିକଙ୍କୁ ଉଠାଇ ଭୁକିଲେ । ମାଲିକ ଏଭଳି ଅବସ୍ଥା ଦେଖି ବନ୍ଧୁକ ଫୁଟାଇଲା । ପୁଣି କିଛି ସମୟ ପରେ ହେଟା ଦେଖିଲା ମାଲିକ ଶୋଇ ଗଲାଣି କୁକୁରମାନେ ମଧ୍ୟ ଶୋଇଗଲେଣି । ଚୋର ହେଟା ପୁଣି ଥରେ ଆସି ଖୋଜିଲା । ମେଣ୍ଢାମାନେ ପାଟି କଲେ । ଫେର୍ କୁକୁରମାନେ ଭୁକିଲେ । ହେଟା ଏଥର ମେଣ୍ଢାଟି ଘୋଷାରି ନେଇ ପଳାଇ ଯାଉଥିଲା । ମେଣ୍ଢାର ବିକଳ  ଚିତ୍କାର ଶୁଣି ଦୁଇ କୁକୁର ସେ ହେଟାବାଘ ଉପରେ କୁଦିପଡି ତାକୁ କାମୁଡି ମାରିପକାଇଲେ । ସେହିଦିନଠାରୁ ମେଣ୍ଢାମାନଙ୍କ ସଂଖ୍ୟା ବଢିଲା ଓ ବିପଦ କଟିଗଲା । ଦିନେ ଲୋଲା ଯାଇ ତା’ର ହିତୈଷ୍ୟ ଦୋକାନୀକୁ ମେଣ୍ଢାଲୋମରେ ପ୍ରସ୍ତୁତ ଏକ ପୋଷାକ ଉପହାର ଦେଇ କହିଲା, “କେବଳ ତୁମ ପରାମର୍ଶ ଦ୍ୱାରାହିଁ ମୋର ସମୃଦ୍ଧି ସମ୍ଭବପର ହେଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ