ଜୀବ ଥିବା ଯାଏଁ ଲୋଭ ସମସ୍ତଙ୍କୁ ଗ୍ରାସ କରେ । ମାୟାର ମୋହରେ ବାନ୍ଧି ହୋଇପଡେ ମଣିଷ । ସବୁ ଜାଣି ସୁଦ୍ଧା ସେ ଅଜ୍ଞ ହୋଇଯାଏ । ଆଖିଥାଇ ଅନ୍ଧ ଏବଂ କାନ ଥାଇ ବଧିର ବି ସେ ପାଲଟେ । ଶିଶୁଟିଏ ଜନ୍ମ ହେବାପରେ ସେ କ୍ରନ୍ଦନ କରେ । ସେହି ସମୟରୁ ହିଁ ତାକୁ ମାୟାର ବନ୍ଧନ କବଳିତ କରେ । ମୋହର ଜାଲରେ ଛନ୍ଦି ହୋଇ ଶେଷରେ ସେ ଅଣନିଃଶ୍ୱାସୀ ହୁଏ । ତାର ଯେତେ ବୟସ ବଢୁଥାଏ, ମୋହ ତାକୁ ସେତେ ଅଧିର କରେ । ମୋ ବାପା, ମା’, ଭାଇ, ଭଉଣୀ ବୋଲି ସେ ଏକ ପାଚେରୀ ଠିଆ କରିଦିଏ । ପାଠ ପଢିବାକୁ ଗଲେ ଶ୍ରେଣୀରେ ନିଜକୁ ସବୁଠାରୁ ଭଲ ପିଲା ବୋଲି ଭାବେ । ଶିକ୍ଷକ ତା’ ବିନା ଆଉ କାହାକୁ ସ୍ନେହ ଶ୍ରଦ୍ଧା କଲେ ସେ ମୋଟେ ସହିପାରେ ନାହିଁ । ଶିକ୍ଷାଲାଭ ପରେ ସଂସାର କ୍ଷେତ୍ରରେ ତାର ଆକର୍ଷଣ ବଢେ । ଅଧିକ ରୋଜଗାର କରି ନିଜେ କିପରି ଭଲରେ ରହିବ, ନିଜ ପିଲାଛୁଆମାନଙ୍କୁ ବଡ ମଣିଷ କରିବ । ଯେତେ ରୋଜଗାର କଲେ ସୁଦ୍ଧା ଅନ୍ୟମାନଙ୍କୁ ସେ କୌଣସି ସାହାଯ୍ୟ କରିବ ନାହିଁ । ଏହା ତା’ର ମନ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ମାଡିବସେ ।
ମୋହର ଅନ୍ୟ ଏକ ନାମ ହେଉଛି ଅଜ୍ଞତା । ଏହା ସଂସାରରେ ଅନେକ ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧିଦିଏ । ମୋହର ଦାସ ହୋଇପଡିଲେ ମଣିଷପଣିଆର ସମ୍ପୂର୍ଣ୍ଣ ରୂପେ ହ୍ରାସ ପାଏ । ଏହା ସମସ୍ତେ ଜାଣନ୍ତି । ସବୁ ସୁବିଧା ସୁଯୋଗ ନିଜେ ପାଇବ । ନିଜେ ବଡ ହେବ । କୋଠାବାଡି ଠିଆ କରିବ । ଶିଳ୍ପପତି ପାଲଟିବ । ଏମିତିକି ଅସତ୍ ଉପାୟରେ ରୋଜଗାର କରି ବଡ ହେବାକୁ ଶ୍ରେୟ ମନେକରେ ସେ । ମୁଁ ବଡ ଏବଂ ମୋଠାରୁ କେହି ବି ବଡ ହୋଇପାରିବେ ନାହିଁ, ଏହା ମୋହଗ୍ରସ୍ତ ମଣିଷର ଏକ ସ୍ୱଭାବ ସୁଲଭ ଚିନ୍ତାଧାରା । ଏହା ମୁଁତ୍ୱକୁ ଜାବୁଡି ଧରି ସେ କେବଳ ନିଜର କ୍ଷତିକରେ ନାହିଁ । ବରଂ ମଣିଷ ଜାତିର ଏକ ପ୍ରତିବନ୍ଧକ ହୋଇ ଛିଡା ହୁଏ । ଅହଂକାରର ବଶବର୍ତ୍ତୀ ହେଲେ ସେ ଯେତେବଡ ଲୋକ ହେଉ ନା କାହିଁକି, ତାହାର ପତନ ଅବଶ୍ୟମ୍ଭାବୀ । ସବୁ ଗର୍ବ, ଦମ୍ଭ, ଅହଂକାର, ମାୟା, ମୋହର ଦିନେ ନା ଦିନେ ପତନ ଘଟେ । ଅତୀତର ବହୁ ଘଟଣାରୁ ଏହାର ସ୍ପଷ୍ଟ ଚିତ୍ର ଉପଲବ୍ଧ ହୁଏ । ତଥାପି ବି ଏ ମଣିଷ ଜାତିର କୌଣସି ପ୍ରତିକ୍ରିୟା ନାହିଁ ।