ଜ୍ଞାନୀ ଶମ୍ଭୁନାଥ ଜଣେ ଥିଲେ କଲିକତାନିବାସୀ । ସେ କିଛି ପାଠପଢି କଲିକତାର ଦେୱାନି ଅଦାଲତରେ ଜଣେ ମୋହରିର ରୂପେ କାର୍ଯ୍ୟ ଆରମ୍ଭ କଲେ । ସେତେବେଳେ ତ ଆମ ଦେଶରେ ଗୋରା ଶାସନ ଚାଲିଥାଏ ।
ଶମ୍ଭୁନାଥ ଜଣେ ସଦାଚାରୀ ତଥା ଶୃଙ୍ଖଳିତ ମଣିଷ ଥିଲେ । ଠିକଣା ବେଳରେ ତାଙ୍କ କାର୍ଯ୍ୟ ସମ୍ପାଦନା ଅଭ୍ୟାସ ଥିଲା । ନଥିପତ୍ର ସବୁ ଅତି ଯତ୍ନରେ ସେ ସଜାଡି ରଖୁଥିଲେ । ତାଙ୍କର ସଚ୍ଚୋଟପଣିଆ ଯୋଗୁଁ ଲୋକେ ତାଙ୍କୁ ବହୁତ ବିଶ୍ୱାସ କରୁଥିଲେ । ଫଳରେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ।
ସେତେବେଳେ ଶମ୍ଭୁନାଥ ମାତ୍ର କୋଡିଏ ଟଙ୍କା ଦରମା ପାଉଥିଲେ । ହେଲେ ଆର୍ଥିକ ସମସ୍ୟା ତାଙ୍କର ଉନ୍ନତି ପଥକୁ ଅବରୋଧ କରିପାରି ନ ଥିଲା । ସେଇ ସ୍ୱଳ୍ପ ବେତନରେ ପରିବାର ପ୍ରତିପୋଷଣ କରିବା ସହିତ ରାତି କଲେଜରେ ପାଠପଢି ନିଜର ସାଧନା ବଳରେ ସରକାରୀ ଓକିଲ ହୋଇଗଲେ । ପରବର୍ତ୍ତୀ କାଳରେ ଆଇନ ବିଦ୍ୟାରେ କୁଶଳତା ଯୋଗୁଁ କଲିକତା ପ୍ରେସିଡେନ୍ସି କଲେଜରେ ତାଙ୍କୁ ଅଧ୍ୟାପକ ଚାକିରି ମିଳିଗଲା । ତାଙ୍କର ନ୍ୟାୟପରତା ଓ ବିଚାରଶୀଳତା ତତ୍କାଳୀନ ଶାସକବର୍ଗଙ୍କୁ ମୁଗ୍ଧ କରିଦେଇଥିଲା । ଫଳରେ ସେ କଲିକତା ହାଇକୋର୍ଟରେ ଏକଦା ବିଚାରପତି ଆସନ ଅଳଙ୍କୃତ କରିପାରିଥିଲେ ।
ମାନ୍ୟବର ବିଚାରପତି ଜ୍ଞାନୀ ଶମ୍ଭୁନାଥ ତାଙ୍କ ଜୀବନରେ କେବେ କାହାକୁ କୁଭାଷା ପ୍ରୟୋଗ କରିନଥିଲେ । ଏପରିକି ନିଜ ଘରର ଚାକରବାକରକୁ ମଧ୍ୟ ସମ୍ମାନର ସହିତ ସମ୍ବୋଧନ କରୁଥିଲେ । ତାଙ୍କ ଦ୍ୱାରା ଅର୍ଜିତ ଧନକୁ ସବୁବେଳେ ସେ ସତ୍କାର୍ଯ୍ୟରେ ଲଗାଉଥିଲେ । ସେ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଡାକ୍ତରଖାନାଟିଏ ପ୍ରତିଷ୍ଠା କରିଥିଲେ ।
ପ୍ରବଳ ଇଚ୍ଛାଶକ୍ତି, ପ୍ରଗାଢ ନିଷ୍ଠା ଓ ସାଧୁତା ବଳରେ ଜଣେ ସାଧାରଣ ମଣିଷ ଯେ ଅସାଧାରଣ ହୋଇପାରେ, ଏହା ଜ୍ଞାନୀ ଶମ୍ଭୁନାଥଜୀ ତାଙ୍କର ଜୀବନରେ ଦେଖାଇପାରିଥିଲେ ।