ଠିକ ସେହିଭଳି ଅନ୍ୟ ଉଦାହରଣ ଦେଖିଲେ ଜଣାଯାଏ, ସାମାନ୍ୟ ଅମୀନ ପଦବୀରୁ ଆମେରିକାର ମହାମାନ୍ୟ ରାଷ୍ଟ୍ରପତି ପଦ ଲାଭ କରିପାରିଥିଲେ ଜର୍ଜ ୱାଶିଂଟନ୍ । ଜଣେ ସାଧାରଣ ସୈନିକରୁ ନେପୋଲିୟନ୍ ବୋନାପାର୍ଟ ବି ସମ୍ରାଟ୍ ହୋଇପାରିଥିଲେ । ପୁନଶ୍ଚ ଘୋଡା ରଖୁଆଳରୁ ଉଇଲିୟମ୍ ସେକ୍ସପିଅର ଶ୍ରେଷ୍ଠ ନାଟ୍ୟକାରର ମର୍ଯ୍ୟାଦା ହାସଲ କରିପାରିଥିଲେ ।
ଜଣେ ବ୍ୟକ୍ତିଙ୍କୁ ଶିଷ୍ଟାଚାର ଅର୍ଜନ ପାଇଁ କିଛି ବି ଖର୍ଚ୍ଚ କରିବାକୁ ପଡେ ନାହିଁ । ଏହା କେବଳ କ୍ରମାଗତ ଅଭ୍ୟାସ ଦ୍ୱାରା ହିଁ ହାସଲ କରାଯାଇଥାଏ । ଭଲ ହେବାର ଅଭ୍ୟାସରୁ ଉତ୍ତମ ଚରିତ୍ର ଗଠିତ ହୁଏ । ଜଣେ ଶ୍ରେଷ୍ଠ ହେଲେ ତହିଁରୁ ଶ୍ରେଷ୍ଠତା ମିଳେ ।
ବିଶ୍ୱକବି ଉପାଧି ଫେରାଇ ଦେଲେ
“ଗୋରା ଶାସନରେ ଜାଲିଆନାୱାଲାବାଗ୍ଠାରେ ଗଣହତ୍ୟା ଘଟିବା ଜାଣି
ଅଧୈର୍ଯ୍ୟ ହୋଇଲେ ଶୁଣି ବିଶ୍ୱକବି ଉପାଧି ଫେରାଇ ଦେଲେ ତକ୍ଷଣି ।
କହିଦେଲେ ସଫା ତୁମଠୁ ମୋହର ଲୋଡା ନାହିଁ ସନମାନ ଗ୍ରହଣ
ମଣିଷପଣିଆ ନାହିଁ ଯାହାଠାରେ ଯୋଗ୍ୟ ନୁହେଁ ଦେବାକୁ ସନମାନ ।”
୧୯୧୯ ମସିହା ଏପ୍ରିଲ୍ ମାସ ୧୩ ତାରିଖ । ସେଦିନ ପଞ୍ଜାବର ଅମୃତସର ପାଖ ଜାଲିଆନାୱାଲାବାଗ୍ଠାରେ ଗଣହତ୍ୟା ଘଟିଥିଲା । ସ୍ୱାଧୀନତା ଆନ୍ଦୋଳନକୁ ଦମନ କରିବା ଉଦ୍ଧେଶ୍ୟରେ ଗୋରା ସରକାରର ନୃଶଂସ ହତ୍ୟାକାଣ୍ଡ ଥିଲା ଏକ ନଗ୍ନ ନମୁନା । ନରହନ୍ତା ଡାୟାର୍ ସାହେବ ଥିଲେ ଆରକ୍ଷୀ ମୁଖ୍ୟ । ସେ କ୍ଷଣିକପାଇଁ ଜାନୁଆର ପାଲଟିଯାଇ ଅନେକ ନିରୀହ ଇଣ୍ଡିଆନଙ୍କର ଜୀବନଦୀପ ସେଦିନ ଲିଭାଇ ଦେଲେ ।
ଏହି ଖବର ବିଜୁଳି ବେଗରେ ପ୍ରଚାର ହୋଇଗଲା । କବି ରବୀନ୍ଦ୍ରନାଥ ଠାକୁର ମଧ୍ୟ ଶାନ୍ତିନିକେତନଠାରେ ଏ ଖବର ପାଇଲେ ଓ ଅତ୍ୟନ୍ତ ମ୍ରିୟମାଣ ହୋଇପଡିଲେ ।
ସାହିତ୍ୟରେ ନୋବେଲ୍ ପୁରସ୍କାର ଗ୍ରହଣ କରିଥିବା ବିଶ୍ୱକବି ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଶାନ୍ତିନିକେତନଠାରୁ କଲିକତା ଚାଲିଆସିଲେ । ସେଠାରେ ସେ ରାଜନୈତିକ ନେତାମାନଙ୍କୁ ଡକାଇ ଏକ ପ୍ରତିବାଦ ସଭାର ଆୟୋଜନ କଲେ । ନିଜେ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ବି ସେଠାରେ ଯାହା କିଛି ଆଲୋଚନା ହେଲା, ତାହା ତାଙ୍କ ମନକୁ ଆଦୌ ପାଇଲା ନାହିଁ । ସୁତରାଂ ସେ ଅନ୍ୟ କିଛି କରିବା ପାଇଁ ଉପାୟ ଖୋଜିଲେ ।
ଶେଷରେ ଇଂରେଜ ସରକାର ବିରୋଧରେ ପଦକ୍ଷେପସ୍ୱରୂପ ବିଶ୍ୱକବି କାହାକୁ ନ ପଚାରି, କାହା ସହିତ ପରାମର୍ଶ ନ କରି ଏକ ଦୃଢସଂକଳ୍ପ ନେଲେ । ପୂର୍ବରୁ ଇଂରେଜ ସରକାର ତରଫରୁ ବିଶ୍ୱକବିଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ‘ନାଇଟ୍’ ଉପାଧିକୁ ଫେରାଇ ଦେବା ପାଇଁ ନିଷ୍ପତି ନେଲେ ।
ସେତେବେଳେ ଇଣ୍ଡିଆର ମୁଖ୍ୟ ଶାସକ ଥିଲେ – ଲର୍ଡ ଚେମ୍ସ୍ଫୋର୍ଡ, ଦେଶର ଭାଇସ୍ରାୟ । ତାଙ୍କୁ ୧୯୧୯ ମସିହା ମେ’ ମାସ ୨୯ ତାରିଖରେ ରବୀନ୍ଦ୍ରନାଥ ଠାକୁର ଚିଠି ଲେଖି ‘ନାଇଟ୍’ ଉପାଧି ଫେରାଇଦେଲେ । ତାଙ୍କର ଚିଠିର ଲେଖା ଖବରକାଗଜରେ ପ୍ରକାଶ ପାଇଲା ।
ପ୍ରକାଶିତ ଲେଖାଟି ଥିଲା ଏହିଭଳି –
“ଜାଲିଆନାୱାଲାବାଗ୍ର ଗଣହତ୍ୟା ଏକ ବର୍ବରୋଚିତ କାର୍ଯ୍ୟ । ସଭ୍ୟ ମଣିଷର ଇତିହାସରେ ଏଭଳି ଘଟଣା ଘଟିବାର କୌଣସି ନଜିର ନାହିଁ । ଏଭଳି ନୃଶଂସ ଘଟଣା ଘଟାଇଥିବା ସରକାରଙ୍କର ‘ନାଇଟ୍’ ଉପାଧି କବିଙ୍କୁ ପସନ୍ଦ ଲାଗେ ନାହିଁ । ଅତଏବ ଏହାକୁ ପ୍ରତ୍ୟାଖ୍ୟାନ କରାଗଲା ।”
ବିଶ୍ୱକବି ନିଜେ ଇଂରାଜୀ ଭାଷାରେ ଲେଖିଥିବା ଚିଠିର ସଂକ୍ଷିପ୍ତ ମର୍ମାନୁବାଦ ନିମ୍ନରେ ପ୍ରଦତ୍ତ ହେଲା – “ମୋ’ ଦେଶର ଅଗଣିତ ଜନଗଣ ଦାରୁଣ ଦୁଃଖରେ ନିର୍ବାକ୍ । ସେମାନଙ୍କ କ୍ଷୋଭ ଓ ପ୍ରତିବାଦର ସ୍ୱର ଉଚ୍ଚାରଣ କରିବାର ପରିଣତିକୁ ସମ୍ମୁଖୀନ ହେବା ପରେ ସାମାନ୍ୟ କାର୍ଯ୍ୟ ଅନ୍ତତଃ ମୁଁ ଦେଶପାଇଁ କରିପାରିବି । ଏପରି ସମୟ ଆସିଛି ଯେତେବେଳେ ପଦପଦବୀ ଲଜ୍ଜାରେ ଆମର ମୁଖ ଅବନତ କରିଦେଇଛି । ତାହା ଏକ ଆଶାଳୀନ ଉପହାସରେ ପରିଣତ ହୋଇଛି । ମୁଁ ମୋର ସବୁ ପଦଗୌରବ ତ୍ୟାଗ କରି ମୋ’ ଦେଶର ସେହି ଜନସାଧାରଣଙ୍କ ସହିତ ସମାନ ହୋଇ ରହିବାକୁ ଚାହେଁ, ଯେଉଁମାନେ ନିଜର ପାରମ୍ପରିକ ସରଳତା ଯୋଗୁଁ ଆଜି ଏପରି ଅମାନବିକ ଅତ୍ୟାଚାରର ଶିକାର ହୋଇଛନ୍ତି ।”
ବିଶ୍ୱକବିଙ୍କର ନାଇଟ୍ପଦ ପ୍ରତ୍ୟାଖ୍ୟାନ ଥିଲା ଏକ ଐତିହାସିକ ଘଟଣା ଓ ଦୁଃସାହସିକ ପଦକ୍ଷେପ । ସେଦିନ ତତ୍କାଳୀନ ଗୋରା ସରକାର କବିଙ୍କର ଚିଠିକୁ ଚରମ ଔଦ୍ଧତ୍ୟର ନମୁନା ବୋଲି ଧରି ନେଇ ଅନୁଭବ କରିଥିଲେ ଯେ, ଇଣ୍ଡିଆରେ ଏଣିକି ମନୋମୁଖୀ ଶାସନ କି ମାତ୍ରାଧିକ ଅତ୍ୟାଚାର କରିହେବ ନାହିଁ ।
ବିଶ୍ୱକବିଙ୍କର ଏହିଭଳି ସାହସିକତା ପଦକ୍ଷେପ ଆଗରେ ଗୋରା ସରକାର ମୁଣ୍ଡ ନୁଆଁଇଥିଲେ । ଫଳସ୍ୱରୂପ ୧୯୪୦ ମସିହା ଅଗଷ୍ଟ ୬ ତାରିଖ ଦିନ ଶାନ୍ତିନିକେତନଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ କବିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, ଯାହା କି ଇଂଲଣ୍ଡରେ ଅବସ୍ଥିତ । ଆଉ ଏହି ଉତ୍ସବରେ ଯୋଗ ଦେଇଥିଲେ ତତ୍କାଳୀନ ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ମରିଶ୍ ଗୟାର, ପ୍ରଫେସର ରାଧାକ୍ରିଷ୍ଣନ୍ ଏବଂ ବିଚାରପତି ହେଣ୍ଡେରସନ୍ ।