ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୋହ

                ମରୁଭୂମିରେ ପଥିକଟିଏ ଯାତ୍ରାକଲାବେଳେ ସେ କ୍ଷୁଧାତୃଷାରେ ଅଧିର ହୋଇପଡେ । ଆଗକୁ ଅନାଇଲେ ତାକୁ ଜଣାଯାଏ ଯେପରି ସେଠାରେ ସେ ଛାଇରେ ବିଶ୍ରାମ ନେବ । ଖଜୁରୀ କୋଳି ଖାଇବ ଏବଂ ପୋଖରରୁ ଶୀତଳ ଜଳ ପାନ କରିବ । ଏହି ବିରାଟ ଆଶା ନେଇ ସେ ସେହି ସ୍ଥାନକୁ ଅଗ୍ରସର ହୁଏ । କିନ୍ତୁ ସେଠାରେ ପହଁଚିବା ପରେ ପଥିକକୁ ହତୋତ୍ସାହ ହେବାକୁ ପଡେ । କିଛି ନାହିଁ । ବିରାଟ ଶୂନ୍ୟତା । ଖାଲି ବାଲି ଆଉ ବାଲି । ବିଚରା ପଥିକଟି ଏବେ କ’ଣ କରିବ? ତାର ତ ଦେହମୁଣ୍ଡରେ ଅସହ୍ୟ ଉତ୍ତାପ । ବ୍ୟସ୍ତ ବିବୃତ ହୋଇ ଆଗକୁ ଅନାଇଲେ ତାକୁ ଦିଶିଯାଏ ଅନ୍ୟ ଏକ ମରୁଦ୍ୟାନ । ଯାତ୍ରାପଥରୁ ବିରତ ନ ହୋଇ ଅନେକ ଆଶା ନେଇ ତାକୁ ପୁନର୍ବାର ଆଗେଇବାକୁ ପଡେ । ନିର୍ଦ୍ଦିଷ୍ଟ ସ୍ଥାନରେ ପହଁଚିବାପରେ ପଥିକର ଭ୍ରମ ଦୂର ହୁଏ । ଏହା ତ କୌଣସି ମରୁଦ୍ୟାନ ନୁହେଁ । ବରଂ ମରୀଚିକାର ଏକ ବଳୟ । ସେହିପରି ମଣିଷ ଲୋଭ ମୋହରେ ବଶୀଭୂତ ହୋଇ ସଂସାରର ମରୀଚିକା ପଛରେ ଧାଇଁ ଚାଲେ । କାରଣ କାମନା ତ ଅନ୍ତହୀନ । ଆଜି ଶହେ ଟଙ୍କା ପାଇଥିବା ଲୋକ ସେଥିରେ ସନ୍ତୁଷ୍ଟ ନ ହୋଇ ଆଗାମୀ କାଲିକୁ ଦୁଇଶହ ଟଙ୍କା ପାଇବାର ଲାଳସା ରଖେ । ଏତେ ସବୁ କଲା ପରେ ମଧ୍ୟ ଯେଉଁ ଅଶାନ୍ତିକୁ ସେଇ ଅଶାନ୍ତି ।

                ଧନର ମୋହ ପରି ଆତ୍ମୀୟ ସ୍ୱଜନମାନଙ୍କ ପ୍ରତି ଆମର ମୋହ ବି କିଛି କମ୍ ନାହିଁ । ପୁତ୍ର, କନ୍ୟା, ପତ୍ନୀ, ବାପା, ମା’, ସବୁ ମୋର ଏବଂ ତାଙ୍କୁ କେହି କିଛି ବି କହିପାରିବେ ନାହିଁ । କହିଲେ ମହାଭାରତ ସୃଷ୍ଟି ହେବ । ଏହା ପ୍ରାୟ ସବୁ ମଣିଷ ମନର ଭାବନା ।

                ମୋହ ଏତେ ସହଜରେ କଦାପି ଦୂର ହୋଇପାରେ ନାହିଁ । ଉଦାର ସ୍ୱଭାବର ଲୋକମାନେ ମୋହଠାରୁ ଅନେକ ଦୂରରେ ରୁହନ୍ତି । ନିନ୍ଦା, ପ୍ରଶଂସା, ଜନ୍ମ-ମୃତ୍ୟୁ, ଶୋକ, ଦୁଃଖରେ ସେମାନେ ଏକ ପ୍ରକାର ଅବସ୍ଥା ଅବଲମ୍ବନ କରନ୍ତି । କିନ୍ତୁ ମୋହରେ ବଶ ହୋଇଥିବା ବ୍ୟକ୍ତି ସୁଖରେ ଅତ୍ୟନ୍ତ ଅଧିର ଏବଂ ଦୁଃଖରେ ପୁରାପୁରି ମ୍ରିୟମାଣ ହୋଇପଡେ । ଶିଶୁଟିଏ ଜନ୍ମ ହେଲେ ଆନନ୍ଦ ଉଲ୍ଲାସରେ ମାତିଉଠେ କିନ୍ତୁ ଅସମୟରେ କାହାର ମୃତ୍ୟୁ ହେଲେ ସେ ଆଦୌ ଧୈର୍ଯ୍ୟ ଧରି ପାରେ ନାହିଁ । ସମଗ୍ର ମଣିଷଜାତିକୁ ଭଲ ପାଇବାହିଁ ପ୍ରକୃତ ମଣିଷପଣିଆଁ । ଏଣୁ ଆସ କାମ, କ୍ରୋଧ, ଲୋଭ, ମୋହଠାରୁ ଦୂରରେ ରହି ପରସ୍ପର ସହିତ ବନ୍ଧୁତା ସୂତ୍ରରେ ବାନ୍ଧି ହୋଇଯିବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ