ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୌନାବତୀ କଥା

ବିକ୍ରମାଦିତ୍ୟ ରାଜାଙ୍କୁ ସ୍ମରଣ କରି କମଳିନୀ ତ୍ରିବେଣୀ ସଙ୍ଗମରେ ଥିବା କାମ୍ୟକୂପରେ ଝାସଦେଲା । ଦିବ୍ୟକଣ୍ଠ ନୃପତିଙ୍କ ଗୃହରେ କମଳିନୀ ଜନ୍ମ ହେଲା । ରାଜା ତାଙ୍କ କନ୍ୟାର ନାମ ରଖିଲେ ମୌନାବତୀ । ନୀଳୋତ୍ପଳ ପରି ନୟନ, କୁଂଚିତ କୁନ୍ତଳ, ପକ୍ୱବିମ୍ବ ପରି ଅଧର, ଶୁକ୍ଳପକ୍ଷ ଚନ୍ଦ୍ରପରି ଶରୀର କାନ୍ତି । କ୍ରମେ ରାଜକନ୍ୟା ଯୁବତୀ ହେବାଠାରୁ ମୌନାବତୀ ସର୍ବଦା ମୌନ ହୋଇଥାଏ । କାହାରିକୁ କିଛି କଥା କହେ ନାହିଁ । ରାଜା ସମସ୍ତଙ୍କୁ ଜଣାଇଲେ ଯେ ମୋ କନ୍ୟାର ମୌନବ୍ରତ ଯିଏ ଭଗ୍ନ କରିବ ମୋ କନ୍ୟା ତାକୁ ବିବାହ ହେବ । ମୌନାବତୀ ଅତ୍ୟନ୍ତ ରୂପବତୀ, ରତି ମଧ୍ୟ ତାଙ୍କୁ ପ୍ରତିଯୋଗିତାରେ ହାରିଯିବେ । ରାଜା ମହାରାଜାମାନେ ଘୋଷଣା ଶୁଣି ଆସିଲେ, ମାତ୍ର ମୌନାବତୀର ମୌନ ଭାଙ୍ଗି ପାରିଲେ ନାହିଁ । ନିଜ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କଲେ । ଚାର ଯାଇ ବିକ୍ରମାଦିତ୍ୟଙ୍କୁ ଏକଥା ଜଣାଇଲେ । ରାଜା ବିକ୍ରମାଦିତ୍ୟ ଶୁଣିକରି ଆନନ୍ଦ ହେଲେ । ତାଳବେତାଳଙ୍କୁ ମନ ମଧ୍ୟରେ ସ୍ମରଣ କରନ୍ତେ ତାଳବେତାଳ ଦୁହେଁ ଆସି ରାଜାଙ୍କ ନିକଟରେ ପ୍ରବେଶ ହେଲେ । ରାଜା ବିକ୍ରମାଦିତ୍ୟ ତାଳବେତାଳଙ୍କୁ ସଙ୍ଗରେ ଘେନି ଦିବ୍ୟକଣ୍ଠ ରାଜାଙ୍କ ନଗରରେ ପହଁଚିଗଲେ ।

        ରାଜା ବିକ୍ରମାଦିତ୍ୟ ଦିବ୍ୟକଣ୍ଠ ରାଜାଙ୍କ ସଙ୍ଗରେ ମୌନାବତୀ ପୁରରେ ପହଁଚିଲେ । ବିକ୍ରମାଦିତ୍ୟ ମୌନାବତୀକୁ ଦେଖି ରାଜାଙ୍କୁ କହିଲେ ତୁମ୍ଭ କନ୍ୟାର ପଣ କଥା କହନ୍ତୁ । ଦାସୀମାନେ କହିଲେ ରାତ୍ରିର ଚାରି ପ୍ରହରେ ଯେ କଥା କହିପାରିବ ସେ ଜେମାଙ୍କୁ ବିବାହ କରିବ । ରାତ୍ର ପ୍ରହରେ ହୋଇଛି ମୌନାବତୀ ଉଆସରେ ଦୀପ ଜଳୁଛି । ରାଜା ତାଳ ବେତାଳଙ୍କୁ ଡାକି କହିଲେ ତୁମ୍ଭେ ଦୁହେଁ ପ୍ରଦୀପରେ ରହିଥିବ । ମୋର ପ୍ରଶ୍ନ ଶୁଣିଲାମାତ୍ରେ ତା’ର ଓଲଟା ଉତ୍ତର ଦେବ । ରାଜା ବିକ୍ରମାଦିତ୍ୟ ଦୀପକୁ କହିଲେ ହେ ଦୀପରାଜ, ତୁମର ଜେମା କଥା କହୁ ନାହାଁନ୍ତି । ତୁମ୍ଭେ କଥା କୁହ । ତୁତ ଜେମାଙ୍କ ଦୀପ ମୁଁ ତୋତେ ପ୍ରଶ୍ନଟିଏ ପଚାରୁଛି । ବଢେଇ, ତନ୍ତୀ, ସୁନାରୀ ଓ ବ୍ରାହ୍ମଣ ଚାରି ବନ୍ଧୁ । ଚାରିବନ୍ଧୁ ବିଦେଶ କରି ଯାଉ ଯାଉ ଏକ ଅରଣ୍ୟରେ ପହଁଚିଲେ । ରାତ୍ର ବହୁତ ହୁଅନ୍ତେ ଚାରି ବନ୍ଧୁ ବୃକ୍ଷମୂଳେ ବସି ଚିନ୍ତା କଲେ । ଜଣ ଜଣ କରି ଜାଗ୍ରତ ରହିବେ । ପ୍ରଥମେ ବଢେଇର ପାଳି । ସେ ନାରୀମୂର୍ତିଟିଏ ଗଢିଲା । ତା’ର ସମୟ ଶେଷ ହେବାରୁ ସେ ଶୋଇଲା । ଦ୍ୱିତୀୟ ପ୍ରହରରେ ତନ୍ତୀ ବସ୍ତ୍ରଟିଏ ବୁଣି ତାକୁ ପିନ୍ଧାଇ ଦେଲା । ସେ ସମୟ ଶେଷ ହେବାରୁ ଶୟନ କଲା । ତା’ପରେ ପଡିଲା ସୁନାରୀର ପାଳି । ସେ ମୂର୍ତିଟିକୁ ଦେଖି ଆୟ ଅଳଙ୍କାର ଲଗାଇ ଦେଲା । ତା’ର ସମୟ ସରିବାରୁ ସେ ଶୟନ କଲା । ଚତୁର୍ଥ ପ୍ରହରରେ ବ୍ରାହ୍ମଣ ଉଠିଲା । ସେ ସୁନ୍ଦର ମୂର୍ତିଟିକୁ ଦେଖି ଜୀବନ୍ୟାସ ଦେଲା । ହେ ଦୀପ, କହ ଏ ଚାରି ଜଶଙ୍କମଧ୍ୟରୁ ଏ କନ୍ୟାଟି କାହାର । ଦୀପ ଚିନ୍ତାକରି କହିଲେ ହେ ରାଜନ ବଢେଇ ବ୍ରାହ୍ମଣ ଏ ଦୁହିଁଙ୍କ ମଧ୍ୟରୁ ଯେ କେହି ନେବ ।

         ମୌନାବତୀ ଶୁଣି କ୍ରୋଧରେ ଜର ଜର ହୋଇ କହିଲା ମୋର ପ୍ରଦୀପ ହୋଇ ତୁ ଅନ୍ୟାୟ କଥା କହୁଛୁ । ନାଗର ତା’ର ପିତା ସମାନ । ସେ କିପରି ବିବାହ ହେବ । ଯେ ଲଜ୍ୟା ନିବାରଣ କଲେ ସେ ବିଭାହେବ । ଦାସୀମାନେ ଶୁଣି କହିଲେ ଯାହାହେଉ ମୌନାବତୀ କଥା କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ