ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୌନାମୌନୀ

ଖଣ୍ଡଗିରିବାସୀ ସାଧୁମାନେ ପ୍ରାତଃସ୍ନାୟୀ । ପ୍ରାତଃକାଳରେ ଦେବତାଙ୍କଠାରେ ଯେଉଁ ବାଳଭୋଗ ଲାଗେ, ତାହା ସେବା କରି ଭଜନ ପୂଜନରେ ସେମାନେ ନିଯୁକ୍ତ ହୁଅନ୍ତି । ଅପରାହ୍ନ ସମୟରେ ଥରେ ମାତ୍ର ପଙ୍ଗତ ହୁଏ । ସଂନ୍ଧ୍ୟା ଆଳତି ସମୟ ଘଂଟା, ଭେରୀ, ତୂରୀ ଶବ୍ଦରେ ଖଣ୍ଡଗିରି କମ୍ପିତ ହୋଇଉଠେ । ଆଳତି ଉତାରେ ରାତ୍ରି ପ୍ରହରକ ପର୍ଯ୍ୟନ୍ତ ଭଜନ, କାହିଁ ବା ଖଞ୍ଜଣି ବାଦନ, ଗଞ୍ଜିକା ସେବନ ଇତ୍ୟାଦି । ତଦନନ୍ତର ଗିରି ନିସ୍ତବ୍ଧ ।

ବର୍ଣ୍ଣିତ ସମୟରେ ଖଣ୍ଡଗିରିରେ ଯେଉଁ ସମସ୍ତ ସାଧୁ ସନ୍ନ୍ୟାସୀ ବାସ କରୁଥିଲେ, ସେଥିମଧ୍ୟରୁ ଗୋଟିଏ ଦଳର ବିଷୟ ଏଠାରେ ଉଲ୍ଲେଖଯୋଗ୍ୟ । ହାତୀଗୁମ୍ଫା ସମ୍ମୁଖରେ ଏହି ଦଳର ମହନ୍ତ ମହାରାଜ ଧୁନି ଥାପି ବସିଛନ୍ତି । ଧୁନିର ବିପରୀତ ଦିଗରେ କିଂଚିତ୍ ଦୂରରେ ଗୋଟିଏ କ୍ଷୁଦ୍ର ସିଂହାସନରେ ମହନ୍ତଙ୍କ ସମ୍ମୁଖରେ ମହାବୀରଜୀ ଦେବତା ବିରାଜିତ । ଦେବତାଙ୍କ ଅଳଙ୍କାର ତୈଜସପତ୍ରାଦି ଆଡମ୍ବରଯୁକ୍ତ । ପ୍ରତିଦିନ ପ୍ରାତଃକାଳରେ ଦେବତାଙ୍କଠାରେ ମୋହନଭୋଗ, ବାଳଭୋଗ ଓ ସାୟାହ୍ନ ସମୟରେ ପକକିମାଲ ଅର୍ଥାତ୍ ପୁରି, କତୁରି, କ୍ଷୀରୀ, ଖେଚଡି ଭୋଗ ଲାଗେ । ଦେବତାଙ୍କ ସେବାରେ ଏତେ ବ୍ୟୟ; ମାତ୍ର କାହାରିକୁ କିଛି ଯାଚ୍ଞ୍ଜା ନାହିଁ, ମହାବୀର ମହାପ୍ରଭୁଙ୍କ ମହାମହିମା ବଳରେ ସବୁ ଚଳିଯାଏ । ମହନ୍ତ ମହାରାଜ ତ ନିତାନ୍ତ ନିର୍ଲୋଭ, କେହି ଭକ୍ତ ଦେବତାଙ୍କ କିଛି ପ୍ରଣାମି ଦେଲେ ଟଙ୍କାପଇସା ସେହିଠାରେ ସେମିତି ପଡିରହିଥାଏ, ହେଲେ ସେ ମହନ୍ତ ମହାରାଜ ଥରେ ସୁଦ୍ଧା ସେ ଆଡକୁ ଚାହାନ୍ତି ନାହିଁ । ସାଧାରଣରେ ପ୍ରକାଶ ଯେ, ଦୈନିକ ଦେବସେବାରେ ଉପଯୁକ୍ତ ବ୍ୟୟ ସକାଶେ ମହନ୍ତଙ୍କ ଧୁନିରୁ ସୁନା ବା ରୁପା ବାହାରିଥାଏ । ବାହାରର ବିଶ୍ୱାସୀ କେହି ଭକ୍ତ ଏହା ପ୍ରତ୍ୟକ୍ଷ ଦେଖିଅଛନ୍ତି । ଭୁବନେଶ୍ୱର ପ୍ରଭୃତି ସ୍ଥାନରୁ ବଣିଆମାନେ ଯାଇ ତାହା କିଣିଆଣନ୍ତି । କିଣାବିକା ବେଳେ ଦରଦାମ୍ ନାହିଁ । ସାଧୁଲୋକ, କି କଷାକଷି ଦରଦାମ୍ କରିବେ? କେବଳ ମହନ୍ତବାବା ଏତିକି କଥା ବୋଲି ତୁନି ହୁଅନ୍ତି, “ଦେଓକା ମାଲ, ଦେଓ ଦିଆ । ଦେଓତକା ସେବା, ତୁମାରି ଧରମ୍ ।” ବଣିଆର ଯାହା ଇଚ୍ଛା ଦେଇ ସୁନା, ରୂପା ଘେନିଯାଏ । ଏକଥା ମଧ୍ୟ ଶୁଣାଅଛି, ପ୍ରତିଦିନ ଧୁନିରୁ ଯାହା କିଛି ବି ବାହାରିବ, ପ୍ରତିଦିନ ବ୍ୟୟ କରିବାକୁ ହେବ, ବାସି ରହିଲେ ଆଉ ବାହାରିବ ନାହିଁ । ମହାବୀରକା ଏସା ହୁକୁମ । ବ୍ୟୟ ଊଣା ନୁହେଁ- କେବଳ ଗଞ୍ଜେଇ ପ୍ରତିଦିନ ଅଧସେର ଆଉ ସେଥିର ଉପଯୁକ୍ତ ଧୂଆଁପତ୍ର । ପ୍ରସାଦସେବା ନିମନ୍ତେ ଅନେକ ଗାଉଁଲି ସେଠାରେ ଯାଇ ରୁଣ୍ଡ ହୁଅନ୍ତି । ମହନ୍ତବାବାଙ୍କ ଆସନ ପାଖରେ କଦାଚିତ୍ ରାତ୍ରିରେ ବୋତଲ (କାଚକୁମ୍ଫି) ଦେଖାଯାଏ । ସେଥିରେ ଗଙ୍ଗାଜଳ ଆସିଥାଏ । ସଂନ୍ଧ୍ୟା ଆଳତି ଉତାରେ ମହନ୍ତବାବା ଓ ତାଙ୍କ ଚେଲାମାନେ କିଂଚିତ୍ ଗଙ୍ଗୋଦକ ସେବା କରନ୍ତି । ଗୋଟାଏ ବଡ ଗୁମ୍ଫାରେ ସାଧୁମାନଙ୍କ ସମାନ ପୂର୍ଣ୍ଣ ଥାଏ । ସ୍ୱୟଂ ମହନ୍ତ ଓ ତାହାଙ୍କ ବିଶ୍ୱାସୀ ଦୁଇଜଣ ଚେଲା ଛଡା ସେ ଗୁମ୍ଫା ମଧ୍ୟକୁ ଯିବାର ଅନ୍ୟ କାହାର ବି ଅଧିକାର ନାହିଁ ।

ମହନ୍ତବାବାଙ୍କ ନାମ ମହାବୀର ଦାସ, ଦୀର୍ଘାକୃତି, ବ୍ୟାୟାମସାଧିତପ୍ରାୟ ମାଂସପେଶୀ ସୁଦୃଢ, ବଳବର୍ଦ୍ଦବତ୍ ବଳିଷ୍ଠ । ମସ୍ତକରେ ତାଙ୍କର ଦୀର୍ଘାକାର ଜଟାଭାର ଅହିରାଜ ଶିଶୁବତ୍ କୁଣ୍ଡଳୀକୃତ ଓ ଦେଶୀଦ୍ୱାରା ସୁଦୃଢରୂପେ ଆବଦ୍ଧ । ଶ୍ମଶ୍ରୁ ଓ ନିଶ ମାତ୍ରା ଅନୁପାତରେ ଦୀର୍ଘାକାର ନୁହେଁ । ଦେହର ବର୍ଣ୍ଣ ବୋଲାଯାଇ ନ ପାରେ, କାରଣ ସ୍ଥୂଳରୂପେ ବିଭୂତିମଣ୍ଡିତ ନେତ୍ର । ଗଞ୍ଜିକା ଧୂମରେ ଜବାକୁସୁମସଙ୍କାଶ ରକ୍ତବର୍ଣ୍ଣ ଏବଂ ଚଂଚଳ । ଦୃଷ୍ଟି ନିତାନ୍ତ ତୀବ୍ର ଓ ଭୟପ୍ରଦ । କେହି ନବାଗତ ଯାତ୍ରୀ ବା ଭକ୍ତ ସେଠାରେ ଉପସ୍ଥିତ ହେଲେ ତାହାକୁ ସେ ତୀବ୍ର ଦୃଷ୍ଟିରେ ଆପାଦମସ୍ତକ ନିରୀକ୍ଷଣ କରିଥା’ନ୍ତି । ସର୍ପବେଷ୍ଟିତ ଅର୍ଦ୍ଧହସ୍ତ ପରିମିତ ଗଞ୍ଜେଇ ଚିଲମଟାଏ ମହନ୍ତଙ୍କ ହସ୍ତରେ ସର୍ବଦା ଶୋଭା ପାଉଥାଏ । ମହନ୍ତବାବାଙ୍କ ବୟସ ଅନୁମାନରେ ପଚାଶ ଲଗାଲଗି; ମାତ୍ର ତପସ୍ୟାରେ ସିଦ୍ଧ ସାଧୁମାନଙ୍କ ବୟସ ଆଦୌ କଳିହୁଏ ନାହିଁ । ତାଙ୍କ ଚେଲାମାନଙ୍କର ମୁଖରୁ ଶୁଣାଯାଏ, ବୟଃକ୍ରମ ଅଢେଇଶ ବରଷ । ମହନ୍ତବାବା ମଧ୍ୟ ଭକ୍ତମାନଙ୍କଠାରେ ସେହି ଭାବରେ କଥାବାର୍ତ୍ତା କରିଥାନ୍ତି । ହଜାରେ ବରଷ ବୟସର ସାଧୁ ଦର୍ଶନ କରିବାକୁ ଯଦି କାହାରି ଇଚ୍ଛା ଥାଏ, ତେବେ ବାଲେଶ୍ୱର ସହର ମଧ୍ୟରେ ଦୁଧପିଆ ବାବାଜିଙ୍କୁ ଦେଖିବାକୁ ଯାଆନ୍ତୁ । ଏହି ବାବାଜି ସ୍ୱୟଂ ସର୍ବଦା ଲୋକମାନଙ୍କଠାରେ ପ୍ରକାଶ କରିଥାନ୍ତି, ସେ ପୁରୀ ମନ୍ଦିର ପ୍ରତିଷ୍ଠାରେ ଭୋଜି ଖାଇଥିଲେ । ମୁଗଲିଆ ଅମଳରେ ସେ ବି ଲଙ୍କାରେ ଥିଲେ । ମାତ୍ର ଦେଖିଲେ ବୟସ ଷାଠିକରୁ ଉର୍ଦ୍ଦ୍ୱ ବୋଧହୁଏ ନାହିଁ । ଏହି ବାବାଜିଙ୍କର ଭାରି ମହିମା ଥିଲା ଦିବାନିଶି ଗଞ୍ଜେଇ ଆଉ ଦୁଧ ଛଡା ଅନ୍ୟ ଦ୍ରବ୍ୟ ସେବା କରୁ ନ ଥିଲେ । ସହର ମଧ୍ୟରେ ବିଶ୍ୱାସୀ ଭକ୍ତବୃନ୍ଦଙ୍କର ଅଭାବ ନାହିଁ । ଦଳ ଦଳ ଅମଲା, ମୁକ୍ତାର ମହାଜନ, ଜମିଦାର ବାବାଜିଙ୍କ ପଦତଳେ ଲୁଣ୍ଠିତ ହେଉଥିଲେ । ରାଜଭୋଗରେ ମଠର ସେବା ଚଳୁଥିଲା, ମାତ୍ର ଆଜକୁ କେତେକ ବରଷ ହେଲା ଶକ୍ତି ପ୍ରଭାବରେ ବାବାଜି ବାଳଗୋପାଳ ଘେନି ଗୃହସ୍ଥାଶ୍ରମ ଅବଲମ୍ବନ କରିଛନ୍ତି । ଭକ୍ତବୃନ୍ଦ ଅନ୍ତର୍ଦ୍ଧାନ । କଥିତ ଅଛି, ସନ୍ନ୍ୟାସୀ ଓ ମୋଗଲମାନଙ୍କ ବୟସ ଜାଣିବା ନିତାନ୍ତ କଠିନ । ଏମାନେ ନିଶ୍ଚୟ ବୟସ ସଂଖ୍ୟାରେ ଯୋଗ ବିୟୋଗ କରିଥାନ୍ତି । ଯେଉଁ ସାଧୁର ବୟସ ପଚାଶ, ସେ ଆଉ ଏକଶତ ସଂଖ୍ୟା ଯୋଗ କରି ଦେଢଶତ କରିବେ । ମୋଗଲଙ୍କର ବୟସ ବିୟୋଗ । ଯାହାର ବୟସ ପଚାଶ, ପଚାରିଲେ, ସେ ପଚିଶ ବିୟୋଗ କରି ବାକି ପଚିଶ ରଖିବେ । ଗୋଟାଏ ପୁରୁଣା କଥା ମନରେ ପଡିଲା, ପାଠକ ମହାଶୟ ବିରକ୍ତ ହୁଅ ନାହିଁ, ସେ କଥାଟା କିନ୍ତୁ ନ ବୋଲି ରହିପାରୁ ନାହିଁ । “କୌଣସି ସ୍ଥାନରେ ଦୁଇଜଣ ବୃଦ୍ଧ ଓ ଜଣେ ବିଂଶତି ବର୍ଷ ବୟସ୍କ ଯୁବା ମୋଗଲ ବସିଥିଲେ । କଥା ପ୍ରସଙ୍ଗରେ ପରସ୍ପର ବୟସ ବିଷୟରେ ପ୍ରଶ୍ନ ହେଲା । ଯାହାର ସତୁରି ବୟସ, ସେ କହିଲେ, ତାଙ୍କର ବୟସ ତିରିଶ ।” ଦ୍ୱିତୀୟ ବୃଦ୍ଧର ବୟସ ଷାଠିକରୁ ଉର୍ଦ୍ଦ୍ୱ , ମାତ୍ର ପ୍ରଶ୍ନର ସେ ଉତ୍ତର ଦେଲେ- “ସାହେବ, ମେରା ଉମର ମୁଜକୁ ମାଲୁମ୍ ନେହିଁ ହେ, ଲେକିନ ମେରା ବଡ ଭାଇକା ଉମର ତିଶକି ନଜଦିକ୍ ।” ଯୁବା ମୋଗଲକୁ ବୟସ ବିଷୟରେ ପ୍ରଶ୍ନ ହେବାରୁ ସେ ଉତ୍ତର ଦେଲା- “ହଜୁର, ଲୋଗ୍ ଉମରକା ଯୋ ହିସାବ ଲଗାଏଁ ହେଁ, ମେରା ପୟଦା ବି ହୁଆ ନାହିଁ ।” ଅର୍ଥାତ୍ ତାହା ବୟସ ସଂଖ୍ୟାରୁ କୋଡିଏ ବାଦ୍ ଦେଲେ ବାକି ଆଉ କିଛି ବି ରହୁ ନାହିଁ । ଯାଉ ସେ ଅଲଣା କଥାଗୁଡାକ ଛାଡ, ଏବେ ପ୍ରକୃତ କଥା ଧରାଯାଉ ।


ଗପ ସାରଣୀ

ତାଲିକାଭୁକ୍ତ ଗପ