ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୌନାମୌନୀ

ମହନ୍ତବାବାଙ୍କ ଦଳର ସାଧୁସଂଖ୍ୟା ପ୍ରାୟ ପଚିଶ । ସେଥିମଧ୍ୟରୁ ମଧ୍ୟ ସମୟ ସମୟରେ ଆଠ ଦଶଜଣ ନୂଆ ପୁରୁଣା ହୋଇଥା’ନ୍ତି, ଅର୍ଥାତ୍ ଥୋକେ ସାଧୁ ବାହାରି ଯିବାମାତ୍ରେ ନୂତନ ସାଧୁ ଆସି ସେଇ ସ୍ଥାନ ପୂର୍ଣ୍ଣ କରନ୍ତି । ଆଶ୍ଚର୍ଯ୍ୟର ବିଷୟ, ପ୍ରାୟ ସମସ୍ତ ସାଧୁ ସମାନ ବୟସ୍କ, ଆକାର ତୁଲ୍ୟରୂପେ ବେଶଭୂଷଣ । ସମସ୍ତ ବନ୍ୟ ବରାହବତ୍ ବଳିଷ୍ଠ ଓ ନିରଳସ । ମସ୍ତକ ନିର୍ଜଟ, କ୍ଷୁଦ୍ର ବା ବାବୁରି କେଶମଣ୍ଡିତ । କ୍ଷୁଦ୍ରାକାର ଶ୍ମଶ୍ରୁବିଶିଷ୍ଟ, ସମସ୍ତଙ୍କ ଦେହରେ ଗୈରିକ ଅଙ୍ଗା ଆକଣ୍ଠପଦଲମ୍ବିତ । ସେମାନଙ୍କର ସ୍ୱଭାବ ଓ କଥୋପକଥନ ନିତାନ୍ତ କର୍କଶ । ଦୃଷ୍ଟି ତୀବ୍ର ଓ ଭୟବିଭ୍ରମବ୍ୟଞ୍ଜକ । ସାଧୁମାନଙ୍କ କଥିତ ଭାଷା ହିନ୍ଦୀ । ୟୁରୋପ ଖଣ୍ଡରେ ଫରାସୀ ଯେପରି ସାର୍ବଭୌମ ଭାଷା, ଭାରତରେ ଠିକ୍ ସେହିପରି ହିନ୍ଦୀଭାଷା ସର୍ବସ୍ଥାନବ୍ୟାପୀ । ସାଧୁ ସନ୍ନ୍ୟାସୀମାନେ ଭାରତରେ ସର୍ବସ୍ଥାନରେ ଭ୍ରମଣ କରନ୍ତି ସୁତରାଂ ବାଧ୍ୟ ହୋଇ ସେମାନଙ୍କୁ ହିନ୍ଦୀ ବୋଲିବାକୁ ହୁଏ । ଯାହାର ମାତୃଭାଷା ହିନ୍ଦୀ, ତାହାକୁ ଅସୁବିଧା ଭୋଗ କରିବାକୁ ହୁଏ ନାହିଁ ।

ଆମ୍ଭମାନଙ୍କ ସାଧୁ ଦଳର ଭାଷା ନୀଚ ଶ୍ରେଣୀ କଥିତ ବଙ୍ଗଳା ଅଥବା ବଙ୍ଗ-ହିନ୍ଦୀ ଭାଷାର କଦର୍ଯ୍ୟ ସଂମିଶ୍ରଣ । ଏହି ସାଧୁଦଳ ଭଜନପୂଜନ ବିଷୟରେ ନିଯୁକ୍ତ ଥିବାର କଦାଚିତ୍ ଦେଖାଯାଏ । ଗଞ୍ଜିକା ଟିପ୍ପନ, ସେବନ ଓ ପଙ୍ଗତ ସାମଗ୍ରୀ ଆୟୋଜନରେ ସର୍ବଦା ବ୍ୟସ୍ତ ଥା’ନ୍ତି । ସମସ୍ତ ସାଧୁ ସେ ମହନ୍ତବାବାଙ୍କର ନିତାନ୍ତ ଅନୁଗତ ।

ହାତୀଗୁମ୍ଫା ସମୀପବର୍ତ୍ତୀ ଆଉ ଗୋଟିଏ କ୍ଷୁଦ୍ର ଗୁମ୍ଫାରେ ଗୋଟିଏ ସାଧୁ ଦମ୍ପତି ଆଶ୍ରମ ସ୍ଥାପନ କରିଥିଲେ । ବାବାଜିଙ୍କ ବୟସ ଆନୁମାନିକ ତିରିଶ ବା ବତ୍ରିଶ । ଦେହ ସୁସ୍ଥ ଓ ସବଳ । ଯେପରି ଗଠିତ ହେଲେ ଲୋକେ ସୁନ୍ଦର ପୁରୁଷ ବୋଲାନ୍ତି, ଏହାଙ୍କ ଦେହ ଠିକ୍ ସେହିପରି । ଦୃଷ୍ଟିପାତ ବ୍ୟାଧ-ଭୀତ ମୃଗବତ୍ ଚକିତ ଓ ଭୀତିବ୍ୟଞ୍ଜକ । ସର୍ବଦା ଲୋକନେତ୍ର ଅନ୍ତରାଳରେ ଗୁମ୍ଫା ମଧ୍ୟରେ ଆସୀନ, ସଯତ୍ନାଦୃତବସନା ମାତାଟିର ବୟସ ବା ରୂପକାନ୍ତି ନିର୍ଣ୍ଣୟ କରିବା କିଂଚିତ୍ ଅସାଧ୍ୟ ବ୍ୟାପାର । ମାତ୍ର ତାଙ୍କ ପୃଷ୍ଠବ୍ୟାପୀ ନିତମ୍ବସ୍ପର୍ଶୀ ନବୀନ ନୀରଦ ସଦୃଶ କେଶରାଶି, ସଂକୀର୍ଣ୍ଣ ମଧ୍ୟଭାଗ ଏବଂ ପଦଯୁଗଳର ବର୍ଣ୍ଣ ଓ ଗତିର ଠାଣି ଦେଖିଲେ ଜଣାଯାଏ ମାତାଟି ପରମାସୁନ୍ଦରୀ ଓ ପୂର୍ଣ୍ଣ ଯୌବନାବିଶିଷ୍ଟା । ଏହି ସାଧୁଦମ୍ପତି ପଦାକୁ ମୋଟେ ବାହାରନ୍ତି ନାହିଁ, ସର୍ବଦା ସେମାନେ ଖାଲି ତାଙ୍କ ଗୁମ୍ଫା ମଧ୍ୟରେ ରହିଥାନ୍ତି । କାହାରି ସହିତ କିଛି ମାତ୍ର କଥା ବି ବୋଲନ୍ତି ନାହିଁ, ଏଥିସକାଶେ ଲୋକମାନେ ଏହାକୁ ମୌନା ବାବାଜି ଓ ମୌନୀ ମାତା ବୋଲନ୍ତି । ସାଧୁ ଅନ୍ୟ ସାଧୁର ସହାୟ । ଆମ୍ଭମାନଙ୍କର ଉଲ୍ଲିଖିତ ମହନ୍ତବାବା ମୌନାମୌନୀଙ୍କ ଆବଶ୍ୟକ ଦ୍ରବ୍ୟାଦି ସଂଗ୍ରହ କରିଦେବାର ଦେଖାଯାଏ ।

ସାଧୁ ଦର୍ଶନାର୍ଥୀ ଯାତ୍ରୀମାନେ ଖଣ୍ଡଗିରିକୁ ଆସି ସେହି ଦିନମାନରେ ଚାଲିଯା’ନ୍ତି, କେହି ରାତ୍ରିବାସ କରେ ନାହିଁ । ମାତ୍ର ଆଜକୁ ମାସାବଧି ଗତ ହେଲା, ଦୁଇଜଣ ବଙ୍ଗଦେଶୀୟ ସାଧୁସେବାପରାୟଣ ଯାତ୍ରୀ ବାସକରି ସେଠାରେ ରହିଅଛନ୍ତି । ସାଧୁମାନେ କେବଳ ଧୁନିର ବିଭୂତି ଦେଇ ଲୋକମାନଙ୍କର ଅନେକ ଉତ୍କଟ ପୀଡା ଆରୋଗ୍ୟ କରିଥାଆନ୍ତି । ଆମ୍ଭମାନଙ୍କର ମହନ୍ତବାବା ମଧ୍ୟ ନେତ୍ର ମୁଦ୍ରିତ କରି ଅନେକ ଲୋକଙ୍କୁ ବିଭୂତି ବିତରଣ କରିବାର ଦେଖାଯାଏ । ଆମ୍ଭମାନଙ୍କ ଭକ୍ତଯୁଗଳ ଅନିଶ୍ଚିତ ଉତ୍କଟପୀଡାରେ ପୀଡିତ । ଆରୋଗ୍ୟ କାମନାରେ ମହନ୍ତବାବା ଓ ଅନ୍ୟାନ୍ୟ ସାଧୁଙ୍କ ସେବାରେ ପ୍ରାତଃକାଳଠାରୁ ରାତ୍ର ପହରକ ପର୍ଯ୍ୟନ୍ତ ସେମାନେ ନିଯୁକ୍ତ ଥା’ନ୍ତି । ନିଜ ବ୍ୟୟରେ ସେମାନେ ଭୁବନେଶ୍ୱର ବଜାରରୁ ଭଲ ଭଲ ଗୋଲ ଗୋଲ ଜଟାବାଲା ଗଞ୍ଜେଇ କ୍ରୟ କରି ଆଣି ସାଧୁମାନଙ୍କୁ ସେବନ କରାଇଥା’ନ୍ତି । ଭଲ ଗଞ୍ଜେଇ ସଂଗ୍ରହ କାମନାରେ ସେମାନଙ୍କୁ କେବେ କେବେ ପୁରୀ ମଧ୍ୟ ଯିବାକୁ ହୁଏ । ସେହି ମୌନା-ମୌନୀ ସାଧୁଦମ୍ପତି ପ୍ରତି ମଧ୍ୟ ଏମାନଙ୍କର ଅଚଳ ଭକ୍ତି । ସେମାନେ ମୌନାବଲମ୍ବନ କରି ରହିଥିଲେ ମଧ୍ୟ ସେମାନଙ୍କୁ ଗୁମ୍ଫାଦ୍ୱାର ନିକଟରେ ଏମାନେ ଚାହିଁ ବସିଥାନ୍ତି, କଦାଚିତ୍ ବାଳଭୋଗ ସକାଶେ ମିଷ୍ଟାନ୍ନ ବା ଫଳମୂଳ କିଣିଆଣି ଦେଇ ସାଧୁଦମ୍ପତିଙ୍କୁ ଦଣ୍ଡବତ କରି ଚାଲିଆସନ୍ତି ।

ଅଦ୍ୟ ପ୍ରାତଃକାଳରେ ଖଣ୍ଡଗିରିରେ ଭାରି ହୁଲସ୍ତୁଲ ପଡିଯାଇଛି । ପୁରୀ ଜିଲ୍ଲାର ସ୍ୱୟଂ ମେଜେଷ୍ଟର ସାହେବ ଉପସ୍ଥିତ । ରାତି ନ ପାହୁଣୁ ଖଣ୍ଡଗିରି ସମ୍ମୁଖରେ ଚାରି ପାଂଚଟା ଡେରା ଟଣା ହୋଇଗଲାଣି । ଗୋଟିଏ ବଡ ଡେରାରେ ମେଢ କୁର୍ଚ୍ଚି ଲଗାଇ ସାହେବ କଚେରି କରି ବସିଅଛନ୍ତି । ପୁଣି ତାଙ୍କ ସାଙ୍ଗରେ ଚାରିଜଣ ପୋଲିସ ଦାରୋଗା, ଆଠଜଣ ମୁନ୍ସି, ଗୁଡିଏ ଭଲ ଜମାଦାର, ଶଏ ପର୍ଯ୍ୟନ୍ତ ବରକନ୍ଦାଜ, ଦୁଇ କି ତିନି ଶ’ ଲମ୍ବ ଲମ୍ବ ବାଉଁଶଠେଙ୍ଗାଧାରୀ ଚୌକିଦାର । ପୋଲିସ କର୍ମଚାରୀମାନେ ହାତୀଧରା ଜଗତବେଢ ପରି ଖଣ୍ଡଗିରିଟାକୁ ଘେରିଅଛନ୍ତି, ଯେପରିକି ସେଠାରୁ ବାହାରିବାର ଆଉ କାହାରି ଅଧିକାର ନାହିଁ । ସାଧୁସନ୍ନ୍ୟାସୀମାନେ ଧରାହୋଇ ଆସି ମେଜେଷ୍ଟର ସାହେବଙ୍କ ଡେରା ସମ୍ମୁଖରେ ଖୁଆଡ ହେଲେ । ଦିନଯାକ ତଦନ୍ତ ହେଲା, ଅପରାହ୍ନ ସମୟରେ ଆମ୍ଭମାନଙ୍କ କଥିତ ଭକ୍ତଯୁଗଳଙ୍କ ସନାକ୍ତ ଦେବା ମୁତାବକ ପୂର୍ବବର୍ଣ୍ଣିତ ମହନ୍ତବାବା ମହାବୀର ଦାସ ଓ ତାହାଙ୍କ ସଙ୍ଗୀ ପଚିଶ ଜଣ ସନ୍ନ୍ୟାସୀ, ସେମାନଙ୍କୁ ଛାଡି ଅନ୍ୟ ଦଶ ଜଣ ସାଧୁ ହାତରେ ହାତକଡି ଦିଆଯାଇ ତୁରଙ୍ଗରେ ଠୁଙ୍କି ଦିଆଗଲା । ଆମ୍ଭମାନଙ୍କ ମୌନା ବାବାଜିଙ୍କର ମଧ୍ୟ ସେହି ଦଶା । ମୌନୀ ମାତା ପୋଲିସ୍ ହେପାଜତରେ ରହିଲେ । ମୌନା ବାବାଜିଙ୍କ ଗୁମ୍ଫା ଓ ହାତୀଗୁମ୍ଫାରୁ ଅନେକ ସୁନା ରୁପା ଅଳଙ୍କାର ଓ ଜହରତ୍, ଅନେକ ମୂଲ୍ୟବାନ୍ ଲୁଗା, ଶାଲ ପ୍ରଭୃତି ବରାମଦ ହେଲା । ମେଜେଷ୍ଟର ସାହେବଙ୍କ ହୁକୁମ ଅନୁସାରେ ଅନ୍ୟାନ୍ୟ ସାଧୁସନ୍ନ୍ୟାସୀ ଜଡିତ ହେଲେ । ସେହିଦିନଠାରୁ ଜାଣ ଉତ୍କଳର ନୈମିଷାରଣ୍ୟ ଖଣ୍ଡଗିରି ସାଧୁଶୂନ୍ୟ ହୋଇଅଛି ।

ତା’ ପରଦିନ ପ୍ରାତଃକାଳରେ ମେଜେଷ୍ଟର ସାହେବ ବନ୍ଦୀମାନଙ୍କୁ ଉପଯୁକ୍ତ ପୋଲିସ ହେପାଜତରେ କଲିକତା ଚାଲାଣ ଦେଇ ପୁରୀ ରମାନା ହେଲେ ।

ପଶ୍ଚାତ୍ ପ୍ରକାଶ ପାଇଲା, ଉଲ୍ଲିଖିତ ମହାବୀର ଦାସ ମହନ୍ତ ବଙ୍ଗଦେଶର ପ୍ରସିଦ୍ଧ ଜଗା ଗୁଆଲା ଡକାଏତ ସର୍ଦ୍ଦାର, ଅନ୍ୟାନ୍ୟ ସାଧୁମାନେ ସଙ୍ଗୀ ଡକାଏତ । ଅନ୍ୟ ଦଶଜଣ ସାଧୁ ଅନ୍ୟାନ୍ୟ ଜିଲ୍ଲାର ଫେରାର ଆସାମୀ । ମୌନା ବାବାଜି କଲିକତାର ଜଣେ ପ୍ରସିଦ୍ଧ ବଡଲୋକଙ୍କ ଗୁମାସ୍ତା । ମୌନୀ ମାତା ତାହାଙ୍କ ପରିବାରସ୍ଥ ବିଧବା ବଧୂ । ଉକ୍ତ ବଡଲୋକଙ୍କ ଘରୁ ଚୋରିଯାଇଥିବା ଅନେକ ଅଳଙ୍କାର ଓ ବଙ୍ଗାଦେଶର ଅନେକ ସ୍ଥାନର ଡକାଏତି, ଅନେକ ମାଲ ବରାମଦ ହୋଇଅଛି । କଥିତ ଭକ୍ତଯୁଗଳ ଠଗି କମିଶନରଙ୍କ ଡିଟେକ୍ଟିଭ ପୋଲିସ୍ ଅଟନ୍ତି ।

ଗାଳ୍ପିକ – ଫକୀରମୋହନ ସେନାପତି


ଗପ ସାରଣୀ

ତାଲିକାଭୁକ୍ତ ଗପ