ଯକ୍ଷସ୍ଥଳ ନାମକ ରାଜ୍ୟରେ ନନ୍ଦୁ ନାମରେ ଜଣେ ଚାଷୀ ଥାଏ । ଦିନେ ସକାଳୁ ସେ ଗାଈମାନଙ୍କୁ ଖାଇବାକୁ ଦେଇ ନିଜ କ୍ଷେତଆଡକୁ ଯାଉଥିଲା; ବାଟରେ ଛୋଟ ଛୋଟ ବଣବୁଦା ପାଖରେ ଯିବାବେଳେ ସେ ଘୁଙ୍ଗୁଡି ଶବ୍ଦ ଶୁଣିବାକୁ ପାଇଲା । ସେ କୌତୁହଳୀ ହୋଇ ବଣବୁଦା ଭିତରେ ଖୋଜି ଖୋଜି ଶେଷକୁ ଏକ ବିରାଟ ଛତୁଟିଏ ଫୁଟିଥିବାର ଓ ସେହି ଛତୁକୁ ଆଉଜି ଯକ୍ଷଟିଏ ମହା ଆରାମରେ ଶୋଇଥିବାର ଦେଖିଲା । ଦେଖିବାକୁ ସେ ଠିକ୍ ମଣିଷ ପରି, ମାତ୍ର ଚାଖଣ୍ଡେ ତା’ର ଉଚ୍ଚତା ।
ନନ୍ଦୁ ତ ଆଗରୁ ଶୁଣିଥିଲା କି ଯକ୍ଷମାନେ ମଣିଷଙ୍କୁ ବହୁ ଦିଗରୁ ସାହାଯ୍ୟ କରନ୍ତି ବୋଲି । ସେ କାଳରେ ଯକ୍ଷମାନେ ମଣିଷଙ୍କ ସହିତ କଥାବାର୍ତ୍ତା କରୁଥିଲେ । ନନ୍ଦୁ ଭାବିଲା ଯଦି କୌଣସି ମତେ ସେହି ଯକ୍ଷଟିକୁ ନିଜ ପାଖରେ ସେ ରଖିପାରିବ ହୁଏତ ଦିନେ ସେ କୌଣସି ପୋତାଧନର ସନ୍ଧାନ ବି ଦେଇପାରିବ । ଏହିପରି ଭାବି ସେ ଚୁପ୍ଚାପ୍ ଯାଇ ହଠାତ୍ ତାକୁ ଧରିନେଲା । ନନ୍ଦୁର ହାତ ସ୍ପର୍ଶ ପାଇ ଯକ୍ଷର ନିଦ ହଠାତ୍ ଭାଙ୍ଗିଗଲା । ସେ ବିରକ୍ତ ହୋଇ କହିଲା, “ତୁମେ କାହିଁକି ମୋତେ ଧରିଲ? ଛାଡିଦିଅ ।”
ନନ୍ଦୁ କହିଲା “ବଡ ଭାଗ୍ୟ ଯୋଗୁଁ ତୁମକୁ ପାଇଛି । ପୁଣି ଛାଡିଦେବି? ତୁମେ ମୋତେ କିଛି ଧନ କରାଇ ଦିଅ ତେବେ ଯାଇ ଛାଡିବି ।”
ଯକ୍ଷ ବିରକ୍ତ ହୋଇ କହିଲା “ଧନ? ସେସବୁ ବିଷୟରେ ମୁଁ ତ କିଛିବି ଜାଣେନି ।”
“ଆଚ୍ଛା? ତେବେ ତମେ କହିବ ନାହିଁ ନା? ଦେଖିବି ତୁମେ ଆଉ କେତେଦିନ ନ କହି ରହିବ ।” ଏତିକି କହି ନନ୍ଦୁ ତାକୁ ଗୋଟିଏ ପେଟି ଭିତରେ ବନ୍ଦ କରି ରଖିଲା ।
ଏମିତି ମାସଟିଏ ବିତିଗଲା । ଦିନେ ନନ୍ଦୁ ତା’ କ୍ଷେତରୁ ଫେରୁଛି ଗୋଟାଏ ଶୁଖିଲା କାଠଗଡ ଦେଖିବାକୁ ସେ ପାଇଲା । ଖୁସି ହୋଇ ତାକୁ ଉଠାଇ ନେଇ ସେ ସିଧା ବଢେଇ ଘରକୁ ଗଲା । ବଢେଇ ଦୁଇ ଚାରିଟଙ୍କା ଦେଇ ସେଇଟିକୁ ତତ୍କ୍ଷଣାତ୍ ରଖିନେଲା; ନନ୍ଦୁ ଖୁସି ହୋଇ ଘରକୁ ଫେରିଲା । ଘରେ ପହଁଚି ସେ ଦେଖିଲା କାଠ ପେଟି ଭିତରୁ ସେ ଯକ୍ଷ ଖାଲି ଅଟ୍ଟହାସ୍ୟ କରୁଛି । “କିହୋ କାହିଁକି ଆଜି ତମର ଏତେ ହସ? ମୁଁ ତ ଭାବିଥିଲି ଯେ ତୁମେ କାଠ ପେଟିରେ ନଖାଇ କଷ୍ଟ ପାଇବ ଓ ବାଧ୍ୟ ହୋଇ ମୋତେ କିଛି ଧନ ସମ୍ପଦ ଦେବାର ବ୍ୟବସ୍ଥା କରିବ । ଅବଶ୍ୟ ମୁଁ ଏହା ଭୁଲି ଯାଇଥିଲି କି ଖାଦ୍ୟ ତୁମର ଆଦୌ ଦରକାର ହୁଏନାହିଁ ବୋଲି । ଯାହାହେଉ ତମେ କିଛି ଧନର ସନ୍ଧାନ ଦେଲେ ମୁଁ ତୁମକୁ ମୁକ୍ତି ଦେବି ।”
ଯକ୍ଷ କୌଣସି ଉତ୍ତର ଦେଲା ନାହିଁ । ବରଂ ସେ ଖାଲି ହସିଲା ।
ଦିନେ ନନ୍ଦୁ ଘରକୁ ତା’ର ଜଣେ ଅତିଥି ଆସିଲେ । ନନ୍ଦୁ ତାଙ୍କୁ ଦେଖି କହିଲା, “ଆରେ, କେତେଦିନ ପରେ ଆଜି ଆମର ଦେଖା ହେଲା । ଏପଟେ କୁଆଡେ ଯାଉଛ? କିଛି ସମୟ ଯଦି ରହନ୍ତ ତେବେ ଖିଆପିଆ କରି ଯା’ନ୍ତ, ହେଲେ ରନ୍ଧା ସରିବାକୁ ତ ଆହୁରି ବହୁତ ସମୟ ଲାଗିବ ।”
ଅତିଥି ନନ୍ଦୁର ଉଦ୍ଧେଶ୍ୟ ସହଜରେ ବୁଝିଗଲେ ଓ କହିଲେ, “ଆରେ ଖିଆପିଆ କ’ଣ ଗୋଟାଏ ବଡ କଥା; ଏବେ ତ ମୋତେ ବହୁତ ଦୂରକୁ ଯିବାର ଅଛି । ଟିକେ ଦେଖାକରି ଦେବାକୁ ଆସିଲି । ଏବେ ମୁଁ ଏଠୁ ଯାଉଛି ।” ଏତିକି କହି ସେ ତାଙ୍କ ବଳଦଗାଡି ଉପରେ ବସି ଦଶପାହୁଣ୍ଡ ଯାଇଛନ୍ତି କି ନାହିଁ ଗୋଟାଏ ବଳଦ ରାସ୍ତାରେ ଆଣ୍ଠେଇ ହଠାତ୍ ପଡିଗଲା । ପାଦର ଯନ୍ତ୍ରଣାରେ ସେ ତା’ର ମୁନିବକୁ ସିଙ୍ଗରେ ଫୋପାଡି ଦେଇ ନିଜେ ଦଉଡି ଛିଣ୍ଡାଇ ପଳାଇଲା ।
ନନ୍ଦୁର ଆଉ କିଛି ଉପାୟ ନଥିଲା । ତା’ ଆଖି ଆଗରେ ଏ ଘଟଣା ଘଟିଗଲା । ତେଣୁ ସେ ତା’ର ସେହି ଅତିଥିଙ୍କୁ ଉଠାଇ ଘରକୁ ନେଲା ଓ ତାଙ୍କର ଚିକିତ୍ସା କଲା । ଅତିଥି ସମ୍ପୂର୍ଣ୍ଣ ରୂପେ ଭଲ ହେବା ପର୍ଯ୍ୟନ୍ତ ସେ ପ୍ରାୟ ମାସେ ନନ୍ଦୁ ଘରେ ରହିଲେ । ସେତେବେଳେ ମଧ୍ୟ ଯକ୍ଷ କାଠସିନ୍ଦୁକ ଭିତରେ ଥାଇ ଜୋର୍ରେ ହସିଲା । ନନ୍ଦୁକୁ ଲାଗିଲା ଏ ଅତିଥିଟି ତ ବୋଝ ଆଉ ଯକ୍ଷର ହସଟି ତା’ ଉପରେ ନଳିତାବିଡା ପରି ।