ଦୁଇମାସ ପରେ; ଥରେ ନନ୍ଦୁ କିଛି ପଇସା ନେଇ ହାଟକୁ ଯିବାର ଥିଲା । ସେ ତା’ର ପୂର୍ବରୁ ଗଚ୍ଛିତ ଧନ ମାଟି ଭିତରେ ରଖିଥିଲା । ତାକୁ କାଢି କିଛିଟା ଧନ ନେଇ ପୁଣି ସେହି କଳସୀକୁ ମାଟି ଭିତରେ ସେ ରଖିଦେଲା । ଗୋଟିଏ ଚୋର ତ ସେହି ଧନ ଉପରେ ଆଗରୁ ଆଖି ରଖିଥିଲା । ନନ୍ଦୁ ବଜାରକୁ ଚାଲିଗଲା ପରେ ପୂର୍ବୋକ୍ତ ଚୋରଟି ଆସି ତା’ କାମ କରିଦେଇ ଗଲା । ନନ୍ଦୁ କିଛି ସମୟ ପରେ ତା’ ଘରକୁ ଫେରି ଆସିଲା । କାଠପେଟି ଭିତରୁ ଯକ୍ଷ ପୁଣି ଅଟ୍ଟହାସ୍ୟ କରୁଥିବାର ସେ ଶୁଣିଲା । ନନ୍ଦୁ ଏଥର ରାଗିଗଲା ଓ ତାକୁ ପେଟିରୁ ବାହାର କରି ପଚାରିଲା, “ତୁମେ ଜଣେ ଜୀବନ୍ତ ପ୍ରାଣୀ; ଦୁଇମାସରୁ ଉଦ୍ଧ୍ୱର୍ ଏହି ପେଟିରେ ମୁଁ ତୁମକୁ ରଖିଲି, କଷ୍ଟ ତ ପାଇଲ ନାହିଁ ଓଲଟା ଗର୍ବ ସହକାରେ ପୁଣି ଅଟ୍ଟହାସ୍ୟ କରୁଛ? ଏପରି ବାରମ୍ବାର ହସିବାର କାରଣ କ’ଣ କୁହ ତ?”
ଯକ୍ଷ ବୁଝାଇ କହିଲା “ତେବେ ଶୁଣ; ତମେ ଜଣେ ବଡ ବୋକା । ତୁମର ବୋକାମି ଦେଖି ମୁଁ ହସୁଛି । ତମେ ଥରେ ଜଙ୍ଗଲରୁ ଆସିବାବେଳେ କାଠଗଡଟିଏ ଦେଖିଲ । ତାକୁ ନେଇ ବଢେଇ ଘରକୁ ଯାଇ ବିକିଦେଲ ଆଉ ଅଳ୍ପ କିଛି ପଇସା ପାଇ ଖୁସି ହୋଇଗଲ । ତା’ ଭିତରେ ସୁନା ରୂପା ଓ ମଣିମାଣିକ୍ୟ ଥିଲା ବୋଲି ତମେ କ’ଣ ଜାଣ? ଦେଖିବ ଯାଅ ବଢେଇ ଘରଟି ଧନୀ ହୋଇଗଲା । ଯେଉଁଦିନ ତାକୁ ହରାଇଲ ମୁଁ ସେଦିନ ହସିଲି । ଦ୍ୱିତୀୟ ଥର ଏତେ ଦିନକରେ ତୁମର ଅତିଥି ଆସିଛନ୍ତି, ତାଙ୍କୁ ସତ୍କାର କ’ଣ କରିବ ଓଲଟି ପଇସା ଲୋଭରେ କହିଲ, “ଖାଇପିଇ ଯାଇଥା’ନ୍ତ ଯେ ରୋଷେଇ ହେବାକୁ ଡେରି ଅଛି ।” ଏସବୁ କେତେ ଦୁଃଖର କଥା କୁହ । ସେଥିପାଇଁ ଫଳ କ’ଣ ହେଲା ତା’ର ବଳଦ ଜଖମ ହେଲା ସେ ନିଜେ ବି ପଡିଗଲେ ଆଉ ତମେ ତାଙ୍କୁ ମାସକ ପାଇଁ ନିଜ ପାଖରେ ରଖିଲ ଓ ତାଙ୍କ ଚିକିତ୍ସା ଭାର ବହନ କଲ । କେତେ ଖର୍ଚ୍ଚାନ୍ତ ହେଲ । ଏଥିରେ କ’ଣ ମୁଁ ହସିବିନି? ତୃତୀୟ ଥର ତମେ ଆନନ୍ଦରେ ଧନ ପୋତିଛ । ଯେତେବେଳେ ଧନ କାଢନ୍ତି ଲୁଚେଇକି ତାହା କରନ୍ତି । ଜଣେ ଚୋର ଆଖି ରଖିଥିଲା ତୁମେ ଯେମିତି ଯାଇଛ ସେ ସବୁ ନେଇ ପଳାଇଛି । ସ୍ତ୍ରୀଠାରୁ ଲୁଚାଇ ରଖିଛ ନା? ତେଣେ ଚୋର ସବୁ ନେଲାଣି । ମୁଁ ଏବେ ସେଇଥିପାଇଁ ହସୁଛି ।”
“ଏଁ କ’ଣ କହିଲ? ସେ ପୋତାଧନ ଚୋର ନେଲା? ହାୟ, ହାୟ” ଏହା କହି ନନ୍ଦୁ ପୋତାଧନ ଦେଖିବାକୁ ଦୌଡିଲା ସେଠାରେ ଯାଇ ସେ ଦେଖିଲା ସେଠାରେ ଖାଲି ଘଡିଟି ଗଡୁଛି । ସେ ଦୁଃଖରେ ବିବଶ ହୋଇ ଫେରି ଦେଖିଲା, ଏଣେ ଯକ୍ଷ ମଧ୍ୟ ଇତିମଧ୍ୟରେ ପଳାଇଛି । ଖାଲି ଗୁଡିଏ ଦୁଃଖ ଓ ଅସନ୍ତୋଷ ନେଇ ନନ୍ଦୁ ତା’ କପାଳ ଆଦରି ରହିଲା । ବୁଝିଲା ଧନକୁ ଆଦର କଲେ ଏପରି ହୁଏ । ଧନ ନିଜେ ଯେତିକି ଭଗବାନଙ୍କ ଦୟାରୁ ଆସିବ, ସେତିକିରେ ସନ୍ତୁଷ୍ଟ ରହିବା ଭଲ ।