ସେମାନେ ଯିବାପରେ ଦୁଃଖୀ ରଜନୀ ପୁଅକୁ ସାନ୍ତ୍ୱନା ଦେଇ କହିଲେ, “ପୁଅ, ସମୟ ବଡ ଖରାପ, ଆମ ଉପରେ ବଡ ବିପଦ ପଡିଛି । ଘରର ଆଟୁ ଉପରେ ଆମ ବଂଶର ଅନେକ ପୁରୁଣା ଜିନିଷ ଓ କାଠର ଏକ ପେଟି ଅଛି । ସେଇଟିକି ନେଇ ଆମେ ଚାଲିଯିବା । ଆଉ କିଛି ତ ନେବା କଷ୍ଟ ।”
ମା’ଠାରୁ ଏକଥା ଶୁଣି ସୀତାରାମ ଆଟୁ ଉପରେ ଚଢି ଦେଖିଲା ସେହି କାଠପେଟି ଭିତାରେ ଗୋଟିଏ ମାତ୍ର ପୋଥି ଅଛି । ଆଉ କିଛି ନାହିଁ । ଚାରିପଟେ ଭଙ୍ଗା ଆଜେବାଜେ ଜିନିଷସବୁ ପଡିଛି । ସୀତାରାମ ଆଗ୍ରହୀ ହୋଇ ପୋଥି ଖୋଲି ପଢିଲା । ସେଥିରେ ତାଙ୍କ ବଂଶଲତା ବିଷୟରେ ଲେଖା ଅଛି । ତାଙ୍କ ବଂଶର ଇତିହାସ ଲେଖା ହୋଇଛି । ତାହା ସୀତାରାମ ଜନ୍ମ ପର୍ଯ୍ୟନ୍ତ ଅଛି, ତା’ଠାରୁ ଆଉ ଆଗକୁ ନାହିଁ । କିନ୍ତୁ ଗୋଟିଏ ସ୍ଥାନରେ ଲେଖା ହୋଇଛି ଯେ ‘ବାଦରାୟଣ’ ମନ୍ତ୍ରକୁ ତିନିବାର ଜପିଲେ ସମ୍ମୁଖରେ ଥିବା ବଡ ଶତ୍ରୁ, ମଧ୍ୟ ମିତ୍ରରେ ପରିଣତ ହୋଇଯିବ । ଏହା ଏହି ପରିବାରର ବିଶେଷତ୍ୱ ଓ ମନ୍ତ୍ର ମଧ୍ୟ ।
ଏହା ବ୍ୟତୀତ ସେଥିରେ ଆଉ କିଛି ଲେଖା ନଥିଲା । କିନ୍ତୁ ସେଥିରେ ସାବଧାନ କରିଦିଆଯାଇଥିଲା ଯେ “ବାଦରାୟଣ” ମନ୍ତ୍ର ମୃତ୍ୟୁର ପୂର୍ବ ପର୍ଯ୍ୟନ୍ତ କାହାକୁ ମଧ୍ୟ କହିବ ନାହିଁ । ଏବେ ସୀତାରାମ ବୁଝିଗଲା ଯେ ତା’ର ପିତା ତାକୁ କାହିଁକି ମୃତ୍ୟୁ ପୂର୍ବରୁ ନିଜ ପାଖକୁ ଡାକୁଥିଲେ । ଆଟୁ ଉପରୁ ସୀତାରାମ ବଡ ଗମ୍ଭୀର ହୋଇ ଓହ୍ଲାଇଲା ଓ ସିଧା ଯାଇ ରମଣ ଘରକୁ ଗଲା । ଯିବା ବେଳେ ସେ ମନକୁ ମନ ସେହି ମନ୍ତ୍ରଟିକୁ ତିନିଥର ଉଚ୍ଚାରଣ କଲା ।
ରମଣ ତାକୁ ଦେଖି ଅତି ଆଦରରେ ପାଛୋଟି ନେଲେ ଓ କହିଲେ, “ତୁମ ପିତା ଜଣେ ମହାନ୍ ବ୍ୟକ୍ତି ଥିଲେ, ଅକାରଣରେ ତୁମକୁ ହଇରାଣରେ ପଡିବାକୁ ହେଲା, ମୋତେ କୁହ ତୁମର ଏବେ କ’ଣ ଦରକାର । ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିବି ।”
ସୀତାରାମ କହିଲା “ମୋର କରଜ ସବୁର କିଛି ବନ୍ଦୋବସ୍ତ କରି ସେ କଷ୍ଟରୁ ମୋତେ ଉଦ୍ଧାର କର ।”
ରମଣ କହିଲେ “ଭଗବାନଙ୍କ କୃପାରୁ ମୋର କିଛି ସମ୍ପତ୍ତି ଅଛି । ମୁଁ ସେଥିରୁ ତୁମର ଛୋଟ ଛୋଟ କରଜ ଶୁଝି ଦେବି । ମୋ କରଜ ଶୁଝିବା ପାଇଁ ତୁମେ ଆଦୌ ବ୍ୟସ୍ତ ହୁଅନା । ଶାନ୍ତିରେ ରହ । ଟଙ୍କା ହାତରେ ହେଲେ ଶୁଝିବ ।”
ଏବେ ତାଙ୍କର ଘର ସୁରକ୍ଷିତ ରହିଲା ଓ କଷ୍ଟରୁ ମଧ୍ୟ ତାଙ୍କୁ ମୁକ୍ତି ମିଳିଲା । ତା’ପରେ ସେ ଗ୍ରାମର ଦୋକାନୀ ମଦନ ପାଖକୁ ଗଲା । ସେତେବେଳେ ବାଟରେ ସେ ମନ୍ତ୍ରଜପ କଲା । ଦୋକାନୀ ତାକୁ ଦେଖୁ ଦେଖୁ ଖୁସିହୋଇ କହିଲା, “ତୁମର ଯାହା ଯେତେବେଳେ ଦରକାର ତାହା ମୁଁ ଦେବି । ପଇସା ପଛେ ପରେ ଦେବ ।”
ଏହିପରି କିଛି ଦିନ ବିତିଗଲା । ଦିନେ ରାତିରେ ସୀତାରାମ ଘରେ ଡାକୁଟିଏ ଆସି ତାକୁ ଛୁରୀ ଦେଖାଇଲା । ସୀତାରାମ କୌଣସି ପ୍ରକାର ଭୟ ନ କରି ସେହି ମନ୍ତ୍ରଟିକୁ ତିନିଥର ଜପି ଅଳ୍ପ ହସିଦେଲା । ଡାକୁ ଅବାକ୍ ହୋଇଗଲା । ତା’ର ହୃଦୟ ସେହିକ୍ଷଣି ପରିବର୍ତ୍ତନ ହେଲା । ସେ କହିଲା, “ମୋର ନିଜର ବୋଲି କେହିବି ନାହିଁ । ଆଜିଠାରୁ ତୁମେ ମୋର ଭାଇ ହେଲ । ମୁଁ ଚୋରୀ ଛାଡିଦେବି ଓ କିଛି କାମ କରି ନିଜ ପେଟ ପୋଷିବି ।” ଏତିକି କହି ସେ ଚୋର ସେଠାରୁ ତତ୍କ୍ଷଣାତ୍ ଚାଲିଗଲା ।
ତା’ପରେ ରଜନୀ ସୀତାରାମକୁ ପଚାରିଲେ, “ମୋତେ ତ ଏ ସବୁକିଛି ବଡ ଅଜବ ଲାଗୁଛି । ତୁ କ’ଣ କେଉଁଠୁ ବଶୀକରଣ ମନ୍ତ୍ର ପାଇଛୁ କି?”
ସୀତାରାମ ମାଙ୍କୁ ବୁଝାଇ କହିଲା “ନାହିଁ ତ? ମୁଁ ସେପରି କିଛି ମନ୍ତ୍ର ଜାଣେନାହିଁ । ମୁଁ ଭାବୁଛି ବୋଧେ ମୋର ସ୍ୱର୍ଗତ ପିତା ଆମର ସହାୟତା କରୁଛନ୍ତି ।”
ଦିନେ ମାତଙ୍ଗ ନାମକ ଜଣେ ତାନ୍ତ୍ରିକ ସେହି ଗ୍ରାମକୁ ଆସିଲେ । ସେ ଅନେକ ଲୋକଙ୍କୁ ନାନା ପ୍ରକାରରେ ସାହାଯ୍ୟ କଲେ । ଲୋକେ କହିଲେ ତାଙ୍କ ଦ୍ୱାରା ଅସାଧ୍ୟ କିଛିବି ନାହିଁ । “ମନ୍ତ୍ର ଜପି ତାନ୍ତ୍ରିକଙ୍କୁ ମୋର ଅଧୀନ କରି ଦେବି ତ ମୋର ଆଉ ଅସାଧ୍ୟ କିଛି ରହିବ ନାହିଁ ।” ଏହିକଥା ମନରେ ସ୍ଥିର କରି ସୀତାରାମ ଦିନେ ସେ ମୁନିଙ୍କ ପାଖରେ ପହଁଚି ବାଦରାୟଣ ମନ୍ତ୍ର ଜପିଲା ।
ମାତଙ୍ଗ ତାକୁ ଅତି ପ୍ରସନ୍ନ ହୋଇ କହିଲେ, “ତୁମେ ତ ବଡ ଭାଗ୍ୟବାନ୍; ତୁମପାଇଁ ମୋର ସହାୟତା କ’ଣ ଦରକାର?”
ସୀତାରାମ ହାତଯୋଡି ବିନୀତ ହୋଇ କହିଲା “ମହାନୁଭବ, ମୋର ସାଧାରଣ ଇଚ୍ଛାସବୁ ତ ସାଧାରଣ ଲୋକମାନେ ପୂର୍ଣ୍ଣ କରିବାରେ ସହାୟତା କରୁଛନ୍ତି । କିନ୍ତୁ ଆପଣଙ୍କ ପରି ମହାପୁରୁଷ, ମୋର ସହାୟତା କଲେ ମୋର ଅସାଧାରଣ ଇଚ୍ଛାସବୁ ମଧ୍ୟ ପୂର୍ଣ୍ଣ ହୋଇ ପାରିବ ।”
ତାଙ୍କର ଏଭଳି କଥାରେ ସେ ତାନ୍ତ୍ରିକ ଅଳ୍ପ ହସି କହିଲେ, “ତା’ ପୂର୍ବରୁ ମୋର ଜୀବନ କାହାଣୀ ଶୁଣ । ମୁଁ ଏହି ପୃଥିବୀର ସମ୍ରାଟ ହେବାକୁ ଚାହିଁଥିଲି । ତେଣୁ ହିମାଳୟକୁ ଯାଇ ସେଠାରେ ଘୋର ତପସ୍ୟା କଲି । ଭଗବାନ୍ ପ୍ରତ୍ୟକ୍ଷ ହେଲେ । ତା’ପରେ ମୁଁ ମୋର ଇଚ୍ଛା ତାଙ୍କ ଆଗରେ ପ୍ରକାଶ କଲି ।
ମୋକଥା ଶୁଣି ଭଗବାନ୍ କହିଲେ, “ଏବେ ଯିଏ ସମ୍ରାଟ ଅଛନ୍ତି ସେ ବଡ ଭଲ ଲୋକ । ସେ ସେଥିପାଇଁ ଯୋଗ୍ୟ ମଧ୍ୟ । ତୁମ ପାଇଁ ତାହା କେବେବି ନ୍ୟାୟସଙ୍ଗତ ହେବ ନାହିଁ ।”
ତାଙ୍କ କଥା ଶୁଣି ମୁଁ କହିଲି “ମୁଁ ମଧ୍ୟ ଜଣେ ଭଲ ଲୋକ, ମୁଁ ବି ସେହି ପଦ ପାଇଁ ଯୋଗ୍ୟ ।”
ଭଗବାନ୍ ମୋତେ କହିଲେ “ତୁମେ ଯେ ଜଣେ ଭଲ ମଣିଷ, ତା’ର ତ କିଛି ପ୍ରମାଣ ନାହିଁ । ତୁମେ ତ ସମ୍ରାଟ ହେବାର ଇଚ୍ଛା ନେଇ ତପସ୍ୟା କରିଛ ମାତ୍ର ସମ୍ରାଟ ହେବାର ମାର୍ଗ ତପସ୍ୟା ନୁହେଁ । ଶକ୍ତି ସାମର୍ଥ୍ୟ ଯୋଗୁଁ କେହି ହେଲେ ମଧ୍ୟ ସେଥିପାଇଁ ଯୋଗ୍ୟ ହୁଏ । ସେଥିପାଇଁ ସାଧନ ତପସ୍ୟାର ମାର୍ଗ ତୃଟିପୂର୍ଣ୍ଣ ।” ତା’ପରେ ମୁଁ ପଚାରିଲି, “ତେବେ ମୋର ଏହି ତପସ୍ୟାର ପ୍ରୟୋଜନ କ’ଣ?”
ଏକଥା ଶୁଣି ଭଗବାନ କହିଲେ, “ଏହି ତପସ୍ୟାରୁ ତୁମକୁ ଅନେକ ଅଦ୍ଭୁତ ଶକ୍ତି ସବୁ ମିଳି ସାରିଛି ।”
ମୁଁ କହିଲି “ତେବେ ସେହିସବୁ ଅଦ୍ଭୁତ ଶକ୍ତିକୁ ପ୍ରୟୋଗ କରି ମୁଁ ସମ୍ରାଟ ହେବି ।”