“ମନୁଷ୍ୟ ତା’ର ସବୁଶକ୍ତି କେବଳ ନିଜ ପାଇଁ ପ୍ରୟୋଗ ନ କରି ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ପ୍ରୟୋଗ କରିବା ଉଚିତ୍ । ନିଜର ଆବଶ୍ୟକତାର ସୀମା ଟପି ଯାଇ ଅତ୍ୟଧିକ ଦୂରାଶା କରିବାଟା ଅନୁଚିତ୍ । ତେବେ ସେଥିପାଇଁ ନିଜେ ଯାହା ଲାଭ ପାଇଥିବ, ଶେଷରେ ତା’ର ଦଶଗୁଣ କ୍ଷତି ତୁମକୁହିଁ ସହିବାକୁ ପଡିବ । କେହି ଆମକୁ ସାହାଯ୍ୟ କଲା ତ ଆମେ ମଧ୍ୟ ତାକୁ ସାହାଯ୍ୟ କରିବା ଉଚିତ୍ । ତପସ୍ୟା କେବଳ ନିଜ ସ୍ୱାର୍ଥ ପାଇଁ କରାଯାଏ ନାହିଁ, ତାହା ଦେଶ, ଜାତି ବା ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ କରାଯାଏ । ନିଜ ସ୍ୱାର୍ଥ ପାଇଁ ସେସବୁ କଲେ, ତାହା ଆସୁରିକ ତପସ୍ୟା ହୁଏ । ତୁମେ ଏହି ସତ୍ୟକୁ କେବେବି ଭୁଲି ଯିବ ନାହିଁ ।”
ଭଗବାନ୍ଙ୍କ ଏଭଳି କଥାରେ ମୋର ଆଖି ହଠାତ୍ ଖୋଲିଗଲା, ମୁଁ କହିଲି, “ପ୍ରଭୋ, ମୋତେ ଆପଣ ନିଜ ଭିତରକୁ ନେଇ ନିଅ ।”
ଭଗବାନ୍ କହିଲେ “ଯିଏ ପୃଥିବୀ ଉପରେ ଜନ୍ମ ନିଏ, ତାହାର ତ କିଛି ନା କିଛି ଲକ୍ଷ୍ୟ ଥାଏ । ହେଲେ ତୁମେ ଏପର୍ଯ୍ୟନ୍ତ କୌଣସି ଲକ୍ଷ୍ୟପ୍ରାପ୍ତ କରିନାହଁ । ଯେଉଁଦିନ ତୁମେ ନିଜେ ଭଲ ହୋଇଯିବ, ତଥା ତୁମର ଚେତନା ଉଚ୍ଚତର ହେବ, ତୁମେ ଜୀବନର ଲକ୍ଷ୍ୟ ସାଧନ କରିବ, ତା’ପରେ ଯାଇ ମୁଁ ତୁମକୁ ମୋ ଚେତନା ମଧ୍ୟକୁ ନିଶ୍ଚୟ ନେଇନେବି ।” ତା’ପରେ ସେ ସେଠାରୁ ଅନ୍ତର୍ଦ୍ଧାନ ହେଲେ ।
ସେହିଦିନଠାରୁ ମୁଁ ଗ୍ରାମ, ଗ୍ରାମ ଧରି ବୁଲି ବୁଲି ଲୋକମାନଙ୍କର ସେବା କରୁଛି, ସେମାନଙ୍କ ପାଇଁ ଅନେକ ମଙ୍ଗଳ କାର୍ଯ୍ୟବି କରୁଛି ।
ମାତଙ୍ଗଙ୍କର ଜୀବନ କାହାଣୀ ଶୁଣିବା ପରେ ସେ ବୁଝିଗଲା ଯେ ତାର କେଡେ ବଡ ଭୁଲଟାଏ ହୋଇଛି । ସେ ନିଜର ମନ୍ତ୍ର ଜପ କରି କେତେ ଲୋକଙ୍କଠାରୁ ସହାୟତା ପାଇଛି । ତା’ ପିତା ମଧ୍ୟ ସେହି ମନ୍ତ୍ର ଜପ କରି କେତେ ଲୋକଙ୍କଠାରୁ କେତେ କ’ଣ ପାଇଥିବେ, ଦୂରାଶାର ଲୋଭରେ ପଡି ସେ ନିଶ୍ଚୟ ମନ୍ତ୍ରର ଉପଯୋଗ ଆବଶ୍ୟକତାରୁ ଅଧିକ କରିଛନ୍ତି । ଯାହା ପାଇଥିଲେ, ସେସବୁକୁ ଫେରସ୍ତ ଦେବାବେଳକୁ ସେ କଷ୍ଟରେ ପଡିଛନ୍ତି । ସେଥିପାଇଁ ମୃତ୍ୟୁ ପୂର୍ବରୁ ସେ କହିଲେ “ଦୂରାଶା ଯୋଗୁଁ ଆଜି ଆମର ଏପରି ଅବସ୍ଥା ହୋଇଛି ।”
ଚିନ୍ତାଗ୍ରସ୍ଥ ସୀତାରାମକୁ ଦେଖି ମାତଙ୍ଗ କହିଲେ, “ପୁତ୍ର, ତୁମର ବଶୀକରଣ ପାଇଁ କିଛି ଶକ୍ତି ଅଛି । ଯେପର୍ଯ୍ୟନ୍ତ ତୁମେ ମୋର ସହାୟତା ନ ଚାହିଁବ, ସେପର୍ଯ୍ୟନ୍ତ ମୁଁ ଏଠାରୁ ଯାଉନାହିଁ । ତୁମର କୌଣସି ଇଚ୍ଛା ଅଛି ତୁମେ ତାହା ମୋ ନିକଟରେ ବ୍ୟକ୍ତ କର ମୁଁ ତାହା ଅବଶ୍ୟ ପୂର୍ଣ୍ଣ କରିବି ।”
ତହୁଁ ସୀତାରାମ କିଛି ସମୟ ଭାବିବା ପରେ କହିଲା, “ମୁନିବର, ସମ୍ରାଟ ହେବାର ଆକାଂକ୍ଷା ନେଇ ଆପଣ ତପସ୍ୟା କଲେ । ଆପଣ ଲାଭ କରିଥିବା ଅଦ୍ଭୁତ ଶକ୍ତିସବୁ ଦ୍ୱାରା ଜନକଲ୍ୟାଣ କଲେ । ଆପଣ ଯେଉଁଭଳି ମାନବସେବା କରୁଛନ୍ତି, ତାହା ସମ୍ରାଟ ହେବାଠାରୁ ମଧ୍ୟ ଅଧିକ ଉଚ୍ଚରେ । ଏବେ ଆପଣଙ୍କର ସମ୍ରାଟ ହେବାର ଆକାଂକ୍ଷାହିଁ ନାହିଁ ।” ତା’କଥା ଶୁଣି ମାତଙ୍ଗ କହିଲେ, “ହଁ, ତୁମେ ଠିକ୍ କହିଛ ।”
ସୀତାରାମ ନିଜର ଇଚ୍ଛା ପ୍ରକାଶ କରିବାକୁ ଯାଇ କହିଲା “ମୁନିବର, ସମ୍ରାଟ ହେବାପାଇଁ ମୋର କୌଣସି ଇଚ୍ଛା ନାହିଁ । ମୋତେ ଖାଲି ଏହି ଦେଶର ରାଜା କରି ଦିଅନ୍ତୁ ।”
ମାତଙ୍ଗ ପଚାରିଲେ, “ଭଗବାନ୍ଙ୍କ କଥା କ’ଣ ତୁମେ ଭୁଲିଗଲ କି?”
ସୀତାରାମ କହିଲେ “ନାହିଁ ମୁନିବର, ମୁଁ କୌଣସି ରାଜାଙ୍କୁ ତାଙ୍କ ପଦରୁ ବାହାର କରିଦେବାକୁ କହୁନାହିଁ । ସେ ରାଜା ପୁତ୍ରହୀନ । ତାଙ୍କର ଗୋଟିଏ ମାତ୍ର କନ୍ୟା ଅଛି । ସେମାନେ ଯୋଗ୍ୟବର ଖୋଜୁଛନ୍ତି । ମୋତେ ଏହି ବର ଦିଅନ୍ତୁ ମୁଁ ଯେପରି ରାଜକୁମାରୀଙ୍କର ପସନ୍ଦ ପାଇଁ ନିଜକୁ ଯୋଗ୍ୟ କରିପାରେ ।”
ମାତଙ୍ଗ କହିଲେ “ତଥାସ୍ତୁ । ଏବେ ତୁମ ଜୀବନର ଏକ ପ୍ରୟୋଜନ ରହିଛି । ତୁମର ଇଚ୍ଛା ପୂର୍ଣ୍ଣ କରିସାରି ମୁଁ ଭଗବାନ୍ଙ୍କ ସହ ମିଶିଯିବି ।”
ଏହି କାହାଣୀଟି ଶୁଣାଇ ସାରିବା ପରେ ବେତାଳ ବିକ୍ରମାର୍କଙ୍କୁ ପଚାରିଲା, “ରାଜନ୍ ମାତଙ୍ଗ ତପସ୍ୟାଲବ୍ଧ ଅଦ୍ଭୁତ ଶକ୍ତିମାନଙ୍କୁ ପାଇଲେ ଏବଂ ସେମାନଙ୍କ ଯୋଗୁଁ ସେ ସୀତାରାମଙ୍କୁ ରାଜା କରିବାପାଇଁ ବଚନ ଦେଲେ; ଏହା କଣ ଅବିବେକିତାର ପରିଚୟ ଦିଏ ନାହିଁ କି? ସୀତାରାମ ବାଦରାୟଣ ମନ୍ତ୍ର ଦ୍ୱାରା ନିଜର ଇଚ୍ଛା ପୂର୍ଣ୍ଣ କରିପାରୁଛି । ଏପରି ସ୍ୱାର୍ଥପର ଲୋକ ଦେଶର ରାଜା ହେଲେ ତାହା ତ ଦେଶର ଦୁର୍ଭାଗ୍ୟ ହେବ । ରାଜ୍ୟରେ କେତେ ଅବ୍ୟବସ୍ଥା ହେବ । ଏସବୁ ଜାଣି ମଧ୍ୟ ମାତଙ୍ଗ କିପରି ବିଚାର ନକରି ତାକୁ ବର ଦେଇଦେଲେ । ସୀତାରାମର ଜୀବନ ଅନ୍ୟର ଦୟା ଉପରେ ଚଳୁଥିଲା । ସେ ଉଭୟ ସୁସ୍ଥ ଏବଂ ସ୍ୱାର୍ଥୀ ମଧ୍ୟ ଥିଲା । ତଥାପି ମଧ୍ୟ ମୁନି ତାକୁ ବର ଦେଇ, କିପରି ଏଡେ ବଡ ଭୁଲ୍ କଲେ? ମୋର ଏହି ସନ୍ଦେହର ସମାଧାନ କରିବା କଥା ଜାଣି ମଧ୍ୟ ତୁମେ ଯଦି କିଛିବି ଉତ୍ତର ନ ଦେବ ତେବେ ତୁମର ଶିର ଅବଶ୍ୟ ସ୍କନ୍ଧଚ୍ୟୁତ ହେବ ।”
ବିକ୍ରମାର୍କ ଉତ୍ତର ଦେଇ କହିଲେ, “ମାତଙ୍ଗ ଜାଣିଥିଲେ ଯେ ସୀତାରାମ ନିଜେ କୌଣସି କାମ କରୁନାହିଁ । ସେ ମନ୍ତ୍ରର ଶକ୍ତି ଯୋଗୁଁ ଅନ୍ୟମାନଙ୍କଠାରୁ ଲାଭ ଉଠାଉଛି । ମାତଙ୍ଗ ତାକୁ ନିଜର ଜୀବନକାହାଣୀ ଶୁଣାଇଲେ, କାରଣ ତଦ୍ୱାରା ସେ ବୁଝିବ ଯେ ସେପରି କରିବା ପାପ । ସୀତାରାମ ନିଜ ପିତାଙ୍କର ଦୂରାବସ୍ଥା ଓ ମାତଙ୍ଗଙ୍କ କାହାଣୀ ବିଷୟ ଉପଲବ୍ଧି କରିବା ଦ୍ୱାରା ନିଜର ପରିବର୍ତ୍ତନ ହେଲା । ଯେଉଁମାନଙ୍କଠାରୁ ଧନ ନେଇ ସେ ଚଳୁଥିଲା ସେମାନଙ୍କୁ ଫେରାଇବାକୁ ହେବ, ପୁଣି ପିତାଙ୍କର ଋଣ ମଧ୍ୟ ତାକୁ ସୁଝିବାକୁ ହେବ । ସେ ସବୁଥିପାଇଁ କେବଳ ରାଜା ହୋଇପାରିଲେ ଯାଇ ଋଣ ପରିଶୋଧ କରିପାରିବ ଏହା ଭାବି ରାଜା ହେବା ପାଇଁ ସେ ଇଚ୍ଛା କଲା, ମାତ୍ର ଲୋଭରେ ପଡି ନୁହେଁ । ମାତଙ୍ଗ ଜାଣିଲେ ଯେ ତା’ ଭିତରେ ପରିବର୍ତ୍ତନ ହୋଇସାରିଲାଣି, ତେଣୁ ସେ ଖୁସିରେ ତାକୁ ବର ଦେଲେ । ଏକଥା ସତ ଯେ ସୀତାରାମ ଖୁବ୍ ଭଲ ପିଲା, ପୁଣି ବରଲାଭ କରିବା ପରେ ସେ ପ୍ରକୃତରେ ଲୋକହିତକର କାର୍ଯ୍ୟ ଭଲ ଭାବରେ କରିପାରିବ, ଏ ବିଶ୍ୱାସ ମାତଙ୍ଗଙ୍କର ଥିଲା । ତେଣୁ ବର ଅପାତ୍ରରେ ଦିଆ ହୋଇ ନାହିଁ ବା ତାହା ବ୍ୟର୍ଥ ନୁହେଁ ।”
ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ, ପୂର୍ବ ସର୍ତ୍ତ ଅନୁସାରେ ବେତାଳ ଶବସହିତ ଖସିଯାଇ ପୂର୍ବୋକ୍ତ ବୃକ୍ଷରେ ଯାଇ ଝୁଲି ପଡିଲା ।