ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଥାର୍ଥ ସନ୍ତୋଷ

ଚନ୍ଦ୍ରନାଥ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ସର୍ବଦା ସାଧୁସନ୍ଥଙ୍କୁ ଡାକି ନେଇ ତାଙ୍କର ସେବା କରୁଥିଲେ । ଦିନେ ସେ ଜଣେ ସାଧୁଙ୍କୁ ଡାକି ତାଙ୍କର ଖୁବ୍ ସେବାଯତ୍ନ କଲେ । ତାଙ୍କର ସେବାରେ ମୁଗ୍ଧ ହୋଇ ସାଧୁ କହିଲେ, ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛି; ଯଦି ତମେ କିଛି ଚାହଁ, କୁହ ମୁଁ ତୁମ ଇଚ୍ଛା ପୁରଣ କରିବାରେ ସାହାଯ୍ୟ କରିବି ।”

                ଚନ୍ଦ୍ରନାଥ ବଡ ବିନୟରେ କହିଲେ, “ଆଜ୍ଞା, ମୁଁ ଜୀବନରେ ସର୍ବଦା ସନ୍ତୁଷ୍ଟ ଥାଏ । ଭଗବାନଙ୍କ ଦୟାରୁ ମୋର କୌଣସି ପ୍ରକାର କାମନାବାସନା ନାହିଁ । କିନ୍ତୁ ମୋର ସ୍ତ୍ରୀ ଚନ୍ଦ୍ରମୁଖୀ ସଦା ସର୍ବଦା ଅସନ୍ତୋଷ ରୋଗରେ ପୀଡିତ । ମୁଁ ମଧ୍ୟ ଏହାର କାରଣ ଜାଣେ ନାହିଁ । କୃପା କରି ଆପଣ ଯଦି ସେତକ ଦୂର କରି ଦିଅନ୍ତେ, ତେବେ ମୋର ବଡ ଭାଗ୍ୟ ବୋଲି ମୁଁ ଜାଣିବି ।” ସାଧୁ ଅଳ୍ପ ହସି ଚନ୍ଦ୍ରମୁଖୀକୁ ଡକାଇ ତାକୁ ଅନେକ ପ୍ରଶ୍ନ କଲେ ଓ ସେ ମଧ୍ୟ ତା’ର ଉତ୍ତର ଦେଲେ । ତା’ପରେ ସାଧୁ ପଚାରିଲେ, “ସବୁଥିରେ ତମେ ପୂର୍ଣ୍ଣ, ତଥାପି ଏପରି ଅସନ୍ତୋଷ କାହିଁକି?”

                “ସେକଥା ମୁଁ ମଧ୍ୟ ବୁଝି ପାରୁନାହିଁ । ସମସ୍ତ ପୂର୍ଣ୍ଣତା ସତ୍ତ୍ୱେ ମଧ୍ୟ ମୋ ମନରେ ଏ ଅସନ୍ତୋଷ ରହୁଛି କାହିଁକି? ଆମ କୋଠା ପାଖରେ ଗୋଟିଏ ଛୋଟ ଖପରୁଲି ଘର ଅଛି । ସେଠାରେ ବୀରଭଦ୍ର ନାମକ ଜଣେ ବ୍ୟକ୍ତି ଥା’ନ୍ତି । ବଡ କଷ୍ଟରେ ତା’ର ପରିବାର ଚଳେ । ସ୍ୱାମୀ ସ୍ତ୍ରୀ ଦୁହେଁ ପରିଶ୍ରମ କରି ରୋଜଗାର କରି ମଧ୍ୟ ଘର ଚଳାଇବାକୁ ଅଂଟେ ନାହିଁ । ତଥାପି ମଧ୍ୟ ବୀର ଭଦ୍ରର ସ୍ତ୍ରୀ କାନ୍ତା ସଦାପ୍ରସନ୍ନ ରହିଥାଏ ।”

                ସାଧୁ କିଛି ଚିନ୍ତା କରିବା ପରେ କହିଲେ, “ଯେଉଁ ବ୍ୟକ୍ତି କେବଳ ନିଜ ପାଇଁ ବଂଚେ ତା’ର ଆତ୍ମସନ୍ତୋଷ କେବେ ମଧ୍ୟ ହୁଏ ନାହିଁ । କାନ୍ତା କର୍ମର ଫଳ ପ୍ରତି ଆଦୌ କୌଣସି ଆଶା ନରଖି ପରିଶ୍ରମ କରୁଛି, ସେଥିପାଇଁ ସେ ସଦା ସନ୍ତୁଷ୍ଟ ଆନନ୍ଦିତ ଥାଏ । ତୁମେ ମଧ୍ୟ ସେହିପରି କାମ କରିଯାଅ ।”

                ସେତେବେଳେ ସେଠାରେ ଲକ୍ଷ୍ମୀ ଆସି ପହଁଚିଲା । ସେ ଅତ୍ୟନ୍ତ ଗରିବ; ଦୁଇ ତିନି ଘରେ କାମ କରି କୌଣସିମତେ ନିଜର ପେଟ ପୋଷିବା ପାଇଁ ଏଠାକୁ ଆସିଥିଲା ଯେ କେବଳ ବୀରଭଦ୍ର ଘରେ ତାକୁ ଗୋଟାଏ କାମ ମିଳିଛି । ଥରେ ସେ ଚନ୍ଦ୍ରମୁଖୀ ସହିତ କଥାବାର୍ତ୍ତା କରିଥିଲା । କିନ୍ତୁ ସେ “ପରେ ଦେଖିବା” କହି ତାକୁ ସେଠାରୁ ଫେରାଇ ଦେଇଥିଲା । ସେହି କାମ ପାଇଁ ଲକ୍ଷ୍ମୀ ଆଜି ଚନ୍ଦ୍ରମୁଖୀ ଘରକୁ ଆସିଛି । ଚନ୍ଦ୍ରମୁଖୀ ନିରାଶ ଭାବ ଦେଖାଇ କହିଲା, “ଏବେ ଆମ ଘରେ ଥିବା ଚାକରକୁ ମଧ୍ୟ ମୁଁ ପୁରାକାମ ଦେଇ ପାରୁନାହିଁ ତ ତୋତେ ରଖି କ’ଣ କରିବି?”

ଲକ୍ଷ୍ମୀ ଫେରିଯାଉଥିବାର ଦେଖି ସାଧୁ କହିଲେ, “ଆଚ୍ଛା, ତମେ ବୀରଭଦ୍ର ଘରେ କାମ କରୁଛ? ତାଙ୍କର ତ ପଇସା ଅଂଟେନାହିଁ । ସେ ପୁଣି କିପରି ଚାକରାଣୀ ରଖିଛନ୍ତି?”

ଲକ୍ଷ୍ମୀ ସାଧୁଙ୍କୁ କହିଲା, “ସେମାନେ ମୋତେ ଏଇଥିପାଇଁ ରଖିଛନ୍ତି ଯେ ମୋ ପାଇଁ ସାହାଯ୍ୟ ହେବ ଏବଂ ତାଙ୍କ କାମ ମଧ୍ୟ ହୋଇଯିବ । ମୁଁ ତ ବୁଝିପାରୁନାହିଁ ଯେ ସେମାନଙ୍କର କ’ଣ କଷ୍ଟ? ସେମାନେ ତ ଯାହା ଖାଆନ୍ତି, ମୋତେ ବି ସେଇ ଖାଦ୍ୟ ଦିଅନ୍ତି । ମୁଁ ସେମାନଙ୍କୁ ଗୋଟିଏ ମୋହର ଦେବାକୁ କହିଥିଲି । କିନ୍ତୁ ସେମାନେ ଦୁଇଟି ମୋହର ଦେଉଛନ୍ତି, ଯେପର୍ଯ୍ୟନ୍ତ ମୋତେ କାମ ମିଳିନାହିଁ । ପୁଣି ସେଇଠି ତ ଖାଉଛି । ସେଇଠି ଶୋଉଛି ମଧ୍ୟ । ଏହା ମଧ୍ୟରେ ଯଦି କୌଣସି କାମ ମିଳିଯାଏ ତ ଭଲ । ଦୁଇ ତିନି ଘରେ କାମ ମିଳିଗଲେ ରହିବାର ବନ୍ଦୋବସ୍ତ ମଧ୍ୟ କରିଦେବି । ସେଇକଥା ଭାବି ତ ମୁଁ ଆଜି ଏଠାକୁ ଆସିଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ