ବେଶ୍ୟାର ସୌନ୍ଦର୍ଯ୍ୟ
ସବୁ ଦିନ ପରି ସେଦିନ ମଧ୍ୟ ଦରବାର କାର୍ଯ୍ୟ ଆରମ୍ଭ ହୋଇ ଥାଏ । ଦରବାରକୁ ହରେ କୃଷ୍ଣ ପଟ୍ଟନାୟକ ନାମକ ଆଉ ଜଣେ କବି ଆମନ୍ତ୍ରୀତ ହୋଇ ଆସି ଥାଆନ୍ତି । ଦରବାର କାର୍ଯ୍ୟ ଶେଷ ହେବା ପରେ ରାଜା କବି ଯଦୁମଣି ଓ କବି ହରେ କୃଷ୍ଣ ଏକାଠି ହୋଇ ଗୋଟିଏ ଜାଗାରେ ବସି କ’ଣ ସବୁ ଆଲୋଚନା କରୁ ଥାଆନ୍ତି । ଏହି ସମୟରେ ହଠାତ୍ ଜଣେ ବେଶ୍ୟା ଆସି ସେଠାରେ ପହଁଚିଲା । ରାଜା ଦେଖିଲେ ବେଶ୍ୟା ଜଣକ ବାମ ହାତର ତଳକୁ ହରଗଉରା ଫୁଲରେ ରଂଗାଇଛି । ରାଜା ତାର ହାତକୁ ଦେଖି ତାଙ୍କ ମନକୁ ଏକ ପ୍ରଶ୍ନ ଆସିଲା ରାଜା କବି ହରେ କୃଷ୍ଣଙ୍କୁ ଲକ୍ଷ୍ୟ କରି କହିଲେ । “ହେ କବି ମହାଶୟ ! ଆପଣଙ୍କ କବିତ୍ୱର ପରାକାଷ୍ଠା ପ୍ରଦର୍ଶନ କରିବାକୁ ହେଲେ ବେଶ୍ୟାର ହାତର ସୌନ୍ଦର୍ଯ୍ୟକୁ ଲକ୍ଷ୍ୟ କରି ଏକ କବିତା ଗାନ କରନ୍ତୁ ।”
ରାଜାଙ୍କ କଥା ଶୁଣି କବି ହରେ କୃଷ୍ଣ କବିତା ଆବୃତ୍ତି କରିବାକୁ ଲାଗି ପଡିଲେ । କବିତାଟି ହେଲା –
“କି ରଂଗ ହର ଗଉରା ରଂଗରେ
ଅଂଗନାର ବାମ କରତଳ ।
ଟୋପି ଟୋପି କରି ପଚାଇ ଅଛି
ଯେ ଦିଶୁ ଅଛି କେତେ ମଂଜୁଳ ।”
କବି ହରେ କୃଷ୍ଣଙ୍କର କବିତା ଶୁଣି ରାଜା ଏଥର କବି ଯଦୁମଣିଙ୍କୁ ପଚାରିଲେ, “ଆହେ କବି ଯଦୁମଣି ! ମହାଶୟଙ୍କ କବିତାଟି କିପରି ଲାଗୁଛି?” ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କବି ଯଦୁମଣି କହିଲେ, “ମହାରାଜା ! କବିତାର ଭାବ କିଛି ମଧୁର, ଉତ୍ତମ ଜଣା ପଡୁ ନାହିଁ ।”
କବି ଯଦୁମଣିଙ୍କ କଥା ଶୁଣି ମହାରାଜ କହିଲେ, “ତାହେଲେ ତୁମେ ଏହି ଭାବକୁ ଦୃଷ୍ଟି ସମ୍ମୁଖରେ ରଖି କବିତାଟିଏ ଆବୃତ୍ତି କର ।” କବି ଯଦୁମଣି କାଳ ବିଳମ୍ବ ନକରି ତତ୍କ୍ଷଣାତ୍ ରାଜାଙ୍କୁ ଶୁଣାଇଲେ,
ମନ ଭେଦି ସିନା କୁସୁମଶର
କାହିଁ ଭର କାହିଁ ଆଡିଲା କର ।
ଏମନ୍ତ ଧୀଷଣା ହୃଦରେ ରଖି
ହରଗଉରା ଏକ ଠାବେ ଦେଖି ।
ବିନ୍ଧିଛି କି ଶର ତେଣୁ
ରକ୍ତ ବିନ୍ଦୁ ହେଲା ବାହାର ।”
ଆବୃତ୍ତି କରି ସାରିବା ପରେ କବି ଯଦୁମଣି ଏହାର ଅର୍ଥ ବୁଝାଇ ଦେଇ କହିଲେ ମନ ଜାଣି ନବ ଯୌବନା ତରୁଣୀଟି ମଦନ ଶରରେ ଆଘାତ କରିବା କୌଶଳ ଜାଣିଛି । କାରଣ ପଳାସ ରଂଗ ସମ ହାତକୁ ଦେଖି କନ୍ଦର୍ପ (ମଦନ) ଶର ନିକ୍ଷେପ କରିଛି । ଶରର ଆଘାତରେ ହୃଦୟ ବିଦ୍ଧ ହେବାରୁ ବିନ୍ଦୁ ବିନ୍ଦୁ ରକ୍ତ ଝରି ପଡିଛି । କବି ଯଦୁମଣିଙ୍କ ଦ୍ୱାରା ଆବୃତ୍ତି କରା ଯାଇ ଥିବା କବିତାର ମର୍ମ ବୁଝି ସାରିବା ପରେ ସ୍ୱୟଂ କବି ହରେ କୃଷ୍ଣ ପଟ୍ଟନାୟକ ମହାଶୟ ଆଶ୍ଚର୍ଯ୍ୟ ହୋଇ ଯାଇ କହିଲେ, “ବାଃ, ବାଃ କବି ମହାଶୟ ! ବାସ୍ତବିକ ତୁମର ବର୍ଣ୍ଣନା ଅଦ୍ଭୂତ?