ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

ଚଉପଦୀ

                କବି ଯଦୁମଣି ଥରେ ଦଶପଲ୍ଲା ରାଜ୍ୟ ଭ୍ରମଣରେ ଯାଇ ସେଠାରେ ପହଁଚିଲେ । ସେତେବେଳେ ଦଶପଲ୍ଲାର ରାଜା ଥାଆନ୍ତି ‘ବିରେନ୍ଦ୍ର ଦେବ ।’ କବି ଯଦୁମଣି ଦଶପଲ୍ଲାରେ ପହଁଚିବା ପରେ ସେଠାକାର ରାଜା ବିରେନ୍ଦ୍ର ଦେବ କିନ୍ତୁ ତାଙ୍କର ଉପଯୁକ୍ତ ଅତିଥି ସତ୍କାର ବ୍ୟବସ୍ଥା କଲେ ନାହିଁ । ରାଜାଙ୍କ ଠାରୁ ଉପଯୁକ୍ତ ସମ୍ମାନ ନ ପାଇବାରୁ କବି ଯଦୁମଣି ମନେ ମନେ ବହୁତ ଦୁଃଖ କଲେ । ସେହି ସମୟରେ ଦଶପଲ୍ଲାରେ ଏକ ଜଗନ୍ନାଥ ମନ୍ଦିର ନୂଆ କରି ନିର୍ମିତ ହେଉ ଥାଏ । ସେଠାରେ ମହାପ୍ରଭୁଙ୍କର ଦାରୁ ବିଗ୍ରହ ମୂର୍ତ୍ତି ସିଂହାସନରେ ବିଜେ କରା ଯାଉ ଥାଏ । ରାଜା ସେଠାକୁ ଆସି ଥାଆନ୍ତି । କବି ଯଦୁମଣି ମଧ୍ୟ ସେଠାକୁ ଯାଇ ଥିଲେ । ପ୍ରଥମେ ରାଜା ମହାପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ପ୍ରାର୍ଥନା କଲେ । ଏହା ପରେ କବି ଯଦୁମଣି ମଧ୍ୟ ସେଠାରେ ପହଁଚି ଜଗନ୍ନାଥଙ୍କୁ ସ୍ତୁତି କଲେ –

                “କୁଂଜବନେ ଜଗନ୍ନାଥ ନ ହେବା ଗୋସାଇଁ

                ରଥ ବୋଲି ଭଣ୍ଡି ଦେବେ ଶଗଡେ ବସାଇ ।

                ଭୋଗ ବୋଲି ଯାହା ଦେବେ କଡିକିଆ ମୁଆଁ ।

                ଧୂପ ବୋଲି ମାଡି ଦେବେ ନିଆଁ ଖୁଂଟା ଧୂଆଁ ।

                କବି ଯଦୁମଣିଙ୍କ ଏପରି କବିତା ଶୁଣିବା ପରେ ରାଜା ମନେ ମନେ ଖୁବ୍ ଲଜ୍ଜିତ ହେଲେ । ଏପରି ଜଣେ ମହାନ୍ କବିଙ୍କର ଅବମାନନା କରି ଥିବାରୁ ରାଜା ମନେ ମନେ ଦୁଃଖ ପ୍ରକାଶ କଲେ । ରାଜା କବି ଯଦୁମଣିଙ୍କୁ ରାଜସଭାକୁ ସଂଗେ ସଂଗେ ଆମନ୍ତ୍ରୀତ କରାଇ ଆଣି ସମ୍ମାନର ସହିତ ପାଟ ବସ୍ତ୍ର ପ୍ରଦାନ କଲେ ଏବଂ ନିଜେ କରି ଥିବା ଭୁଲ୍ ପାଇଁ ଯେ, ଅନୁତପ୍ତ ସେ ସଂପର୍କରେ ଦୁଃଖ ପ୍ରକାଶ କଲେ । ରାଜା ଯେ କବି ଯଦୁମଣିଙ୍କୁ କେବଳ ପାଟ ବସ୍ତ୍ର ଦାନ କଲେ ତା ନୁହେଁ । ରାଜ କୋଷରୁ ଏକ ହଜାର ମୁଦ୍ରା ଦାନ କରି ତାଙ୍କ ନାମରେ ମଧ୍ୟ କେତେକ ଚଉପଦୀ କରିବା ପାଇଁ କହିଲେ । ଯଦୁମଣି ମଧ୍ୟ ରାଜାଙ୍କ କଥାରେ ସମ୍ମତି ପ୍ରଦାନ କଲେ ।

                ତହିଁ ଆର ଦିନ କବି ମହାଶୟ ଗୋଟେ ଟୋକେଇରେ ଗୁଡିଏ ତାଳ ପତ୍ର ଠୋଲା ତିଆରି କରି ରାଜ ଦରବାରରେ ପହଁଚିଲେ । ରାଜା ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କବି ମହାଶୟ? ଏସବୁ କଣ ଆଣିଛନ୍ତି?” କବି ମହାଶୟ ଉତ୍ତର ଦେବାକୁ ଯାଇ କହିଲେ, “ମହାରାଜ ! ଆପଣ ପରା ମୋତେ ଚଉପଦୀ ଆଣିବା ପାଇଁ କହି ଥିଲେ । ଆପଣଙ୍କ କଥା ଅନୁସାରେ ମୁଁ ଚଉପଦୀ କରି ଆଣିଛି ।”

                ଯଦୁମଣିଙ୍କ ଚତୁରତା ପୂର୍ଣ୍ଣ କଥା ଶୁଣି ରାଜା ପ୍ରୀତ ହୋଇ ଆଉ କିଛି ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ସ୍ୱରୂପ ପ୍ରଦାନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ