ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

ରାଜାଙ୍କର ନାଶ ଶୁଙ୍ଘା

                ଥରେ କବି ଯଦୁମଣି ବଡମ୍ବା ରାଜାଙ୍କର ଆମନ୍ତ୍ରଣ ରକ୍ଷା କରି ରାଜ ଦରବାରରେ ଉପସ୍ଥିତ ହେଲେ । ଯଦୁମଣିଙ୍କୁ ଦେଖିବା କ୍ଷଣି ବଡମ୍ବା ରାଜା ସଂଗେ ସଂଗେ ଆଦର ଅଭ୍ୟର୍ଥନା କଲେ । କବିଙ୍କର ରହିବା ପାଇଁ ତୃତୀୟ ପାଟଣା ଗ୍ରାମରେ ବନ୍ଦୋବସ୍ତ କରି ଦେଲେ । ରାଜା ଜାଣନ୍ତି ଯେ ଯଦୁମଣି ସ୍ୱହସ୍ତରେ ରୋଷେଇ କରି ଖାଆନ୍ତି । ତେଣୁ ତାଙ୍କର ଖାଦ୍ୟ ପଦାର୍ଥ ସାମଗ୍ରୀର ସୁବନ୍ଦୋବସ୍ତ ପାଇଁ ତୃତୀୟ ପାଟଣା ଗ୍ରାମରେ ଥିବା ଦୋକାନୀ ମାନଙ୍କୁ ଆଗରୁ ଆଦେଶ ଦେଇ ସାରି ଥାଆନ୍ତି । ସବୁ ଦୋକାନୀ ମାନଙ୍କୁ ରାଜା କହି ଥିଲେ, “କବି ଯଦୁମଣିଙ୍କର ଯାହା ଆବଶ୍ୟକ ହେବ ତାଙ୍କୁ ଦେବ । କିନ୍ତୁ ଘୃତ ଦେବ ନାହିଁ । କବି ମହାଶୟ ତ’ ବିନା ଘୃତରେ ଖାଇବା ପତ୍ର ପାଖରେ ବସନ୍ତି ନାହିଁ ।

                କବି ଯେତେବେଳେ ଏକ ଦୋକାନୀ ପାଖରେ ପହଁଚି ରୋଷେଇ ପାଇଁ ଯାହା ଯାହା ଦରକାର କହିଲେ । ଦୋକାନୀ ତତ୍କ୍ଷଣାତ୍ ସବୁ ସଜାଡି ଦେଲା । କିନ୍ତୁ ଘୃତ ଦେଲା ନାହିଁ । କବି ଯଦୁମଣି ସଂଗେ ସଂଗେ ରାଜାଙ୍କ ପାଖରୁ ଘୃତ ମଗାଇ ପଠାଇଲେ । କବି ଯଦୁମଣିଙ୍କୁ ବୋକା ବନାଇବା ପାଇଁ ରାଜା ଗୋଟିଏ ପାତ୍ରରେ କିଛି ଘୋଡା ବିଷ୍ଠା ଗୋଳାଇ ଯଦୁମଣିଙ୍କ ପାଖକୁ ପଠାଇ ଦେଲେ । ଯଦୁମଣି ପାତ୍ରଟିର ମୁହଁ ଖୋଲନ୍ତେ ଘୃତ ପାତ୍ରଟି ପ୍ରବଳ ଗନ୍ଧ ହେଉ ଥାଏ । କବି ଯଦୁମଣି ବଡମ୍ବା ରାଜାଙ୍କ ଚାଲାକି ବୁଝି ପାରି ପାତ୍ରଟିକୁ ରଖିଲେ । ଉକ୍ତ ଘୃତ ଗିନାରୁ ବିଷ୍ଠା ମିଶା ଘୃତ ବାହାର କରି ଗିନାଟି ନେଇ ଦୋକାନୀ ପାଖରେ ବନ୍ଧକ ରଖି କିଛି ଘୃତ ଆଣି ଖାଦ୍ୟ ପ୍ରସ୍ତୁତ କଲେ ।

                ଖାଇ ସାରିବା ପରେ କବିଙ୍କ ମନକୁ ଏକ ଅଦ୍ଭୁତ ଖିଆଲ ଜୁଟିଲା । ରାଜାଙ୍କ ଦ୍ୱାରା ପଠା ଯାଇ ଥିବା ବିଷ୍ଠା ମିଶ୍ରିତ ଘୃତରେ କିଛି ଧୂଆଁ ପତ୍ର ମିଶାଇ ଏକ ନାଶ ପ୍ରସ୍ତୁତ କଲେ । ଆଉ ଗୋଟିଏ ପାତ୍ରରେ ସୁଗନ୍ଧିତ ପଦାର୍ଥ ମିଶାଇ ନାଶ ପ୍ରସ୍ତୁତ କରି ରାଜାଙ୍କ ଦରବାର ଅଭିମୁଖେ ଚାଲିଲେ । କବି ଯଦୁମଣିଙ୍କୁ ଦେଖି ରାଜା ପଚାରିଲେ, “କଣ କବି ମହାଶୟ ! ଆଜି ଆପଣ କ’ଣ ଏପରି ସୁଗନ୍ଧିତ ଦ୍ରବ୍ୟ ଶୁଂଘି ଶୁଂଘି ଆସୁଛନ୍ତି । ଆମ୍ଭକୁ ଏହି ପରି ଏକ ସୁଗନ୍ଧିତ ଦ୍ରବ୍ୟ ଶୁଂଘିବାରୁ କାହିଁକି ବଂଚିତ କରୁଛନ୍ତି କହିଲେ?

ରାଜାଙ୍କ କଥା ଶୁଣି ଚତୁର କବି ଯଦୁମଣି କହିଲେ, “ମହାରାଜ ଏହି ଦ୍ରବ୍ୟ ମୋ ଶୁଂଘିବା ଦ୍ୱାରା ମାରା ହୋଇ ଯାଇଛି । ମୁଁ ଆପଣ ମାଗିବେ ବୋଲି ଜାଣି ଆପଣଙ୍କ ପାଇଁ ଏହି ପାତ୍ରରେ ନେଇ ଆସିଛି ।” ଏହା କହି କବି ଯଦୁମଣି ବିଷ୍ଠା ମିଶ୍ରିତ ଘୃତ ପାତ୍ରଟି ରାଜାଙ୍କ ହାତକୁ ବଢାଇ ଦେଲେ । ରାଜା ଯେମିତି ସେହି ପାତ୍ରଟିକୁ ନାକ ପାଖକୁ ନେଇ ଛନ୍ତି, ଅତ୍ୟଧିକ ଦୁର୍ଗନ୍ଧ ହେତୁ ରାଜାଙ୍କୁ ଓଗାଳ ମାଡିଲା । “ରାଜା ବିରକ୍ତ ହୋଇ କହିଲେ, “! ଏଗୁଡା କ’ଣ ଆଣି ମୋତେ ଶୁଙ୍ଘାଇଲ?” ରାଜାଙ୍କ କଥା ଶୁଣି କବି ଯଦୁମଣି କହିଲେ –

“ଯଥା ଛନ୍ଦେ ତୁମେ ସିନା                    ଖାଦ୍ୟ ଦେଇଥିଲ

                      ତୃତୀୟ ପାଟଣା ଆଜ ।

ଗିନା ବନ୍ଧା ଦେଇ                             ଖାଦ୍ୟ ଚଳାଇଲି

                    ଗେନ୍ଧା ଶୁଂଘ ମହାରାଜ ।”

କବିତାଟି ଶୁଣି ସାରିବା ପରେ ରାଜା ପ୍ରକୃତ କଥା ବୁଝି ପାରି କବି ଯଦୁମଣିଙ୍କୁ କହିଲେ, “କବି ଏ ! ତୁମେ ପ୍ରକୃତରେ ଜ୍ଞାନର ଅସରନ୍ତି ଭଣ୍ଡାର । ତୁମ ଚତୁରତାର ତୁଳନା ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ