ହାଲକା ଓଜନିଆ
ସମସ୍ତେ ଜାଣନ୍ତି କବି ଯଦୁମଣି ଖୁବ୍ ରସିକ ସ୍ୱଭାବର ବ୍ୟକ୍ତି ଥିଲେ ଏବଂ ନୟାଗଡ ରାଜାଙ୍କର ଅତ୍ୟନ୍ତ ପ୍ରିୟ ପାତ୍ର ଥିଲେ । କେବଳ ଯେ ନୟାଗଡ ରାଜା ତାଙ୍କୁ ସମ୍ମାନ କରୁ ଥିଲେ, ତାହା ନୁହେଁ, କବି ଯଦୁମଣି ମଧ୍ୟ ରାଜାଙ୍କୁ ପ୍ରଗାଢ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରୁ ଥିଲେ । ରାଜା ଯେଉଁ ଆଡେ ଭ୍ରମଣରେ ଯାଆନ୍ତି କବି ଯଦୁମଣିଙ୍କୁ ସାଂଗରେ ନେଇ ଯାଆନ୍ତି । ଦିନେ ନୟାଗଡ ରାଜା ଓ କବି ଯଦୁମଣି ଭ୍ରମଣରେ ବାହାରି ଥାଆନ୍ତି । ବିଭିନ୍ନ ଜନପଦମାନ ଭ୍ରମଣ କରିବା ସମୟରେ ରାଜା ପ୍ରଜାମାନଙ୍କର ଭଲ ମନ୍ଦ ବୁଝୁ ଥାଆନ୍ତି ।
ଦିନେ ରାଜା ପାଲିଙ୍କି ଚଢି ଗୋଟିଏ ଗାଁକୁ ଯାଉ ଥାଆନ୍ତି । ଏହି ସମୟରେ ସାମ୍ନା ପଟେ ଖଣ୍ଡପଡାର ରାଜା ମଧ୍ୟ ଅନୁରୂପ ଭାବେ ପାଲିଙ୍କି ଚଢି ଆସୁ ଥାଆନ୍ତି । ଖଣ୍ଡପଡା ରାଜାଙ୍କର ହସିବା ଦେଖି ତାଙ୍କ ସାଂଗରେ ଥିବା ମନ୍ତ୍ରୀ ଅନୁଚର ଗଣ ମଧ୍ୟ ହସି ଦେଲେ । ସେମାନଙ୍କର ଏପରି ହସିବା ନୟାଗଡ ରାଜାଙ୍କୁ ଭଲ ଲାଗିଲା ନାହିଁ । ଏହି ସମୟରେ କବି ଯଦୁମଣି ମଧ୍ୟ ନୟାଗଡ ରାଜାଙ୍କ ପାଖରେ ଥାଆନ୍ତି । ଖଣ୍ଡପଡା ରାଜା ଓ ତାଙ୍କ ଅନୁଚର ବର୍ଗଙ୍କର ଏପରି ଆଚରଣ କବି ଯଦୁମଣିଙ୍କୁ ମଧ୍ୟ ଭଲ ଲାଗିଲା ନାହିଁ । ସଂଗେ ସଂଗେ କବି ଯଦୁମଣିଙ୍କ ମୁଣ୍ଡକୁ ଏକ ଅଦ୍ଭୂତ ଖିଆଲ ଜୁଟିଲା । ନୟାଗଡ ରାଜାଙ୍କ ତରଫରୁ ଖଣ୍ଡପଡା ରାଜାଙ୍କ ଉଦ୍ଧେଶ୍ୟରେ କବି ଯଦୁମଣି ଏକ କବିତା ଗାଇଲେ କବିତାଟି ହେଉଛି –
“ନିକିତି ତଉଲ ସାନ ବଡକୁ
ଭାରି ହୁଏ ଯାହା ରହେ ତଳକୁ ।”
ଅର୍ଥାତ୍ ନିକିତିରେ ଓଜନ କରିବା ସମୟରେ ଯାହା ଭାରି ତାହା ତଳକୁ ରହେ ଓ ଯାହା ହାଲୁକା ତାହା ଉପରକୁ ଉଠି ଯାଏ । କବି ଯଦୁମଣିଙ୍କ ଦୃଷ୍ଟିରେ ଖଣ୍ଡପଡା ରାଜା ହାଲୁକା ଓ ନୟାଗଡ ରାଜା ହେଉଛନ୍ତି ଭାରୀ ବା ଓଜନିଆ । କବି ଯଦୁମଣିଙ୍କର ଏପରି ହାସ୍ୟରସାତ୍ମକ କବିତା ଶୁଣି ଖଣ୍ଡପଡାର ରାଜା ନିଜକୁ ଖୁବ୍ ଅପମାନିତ ମନେ କଲେ ।