ଯଦୁମଣିଙ୍କର ମୁଆଁ ଖିଆ
ଥରେ କବି ଯଦୁମଣି ନିଜର ସମୟ କାଟିବା ପାଇଁ କୁଆଡେ ବୁଲି ଯିବା ପାଇଁ ବାହାରିଲେ । ଘରେ ବସି ବସି ତାଙ୍କୁ ଏତେ ବିରକ୍ତ ଲାଗିଲା ଯେ ସେଦିନ ସେ ଦରବାରକୁ ମଧ୍ୟ ଗଲେ ନାହିଁ । କବି ଯଦୁମଣିଙ୍କର ଏମିତି ବିଷର୍ଣ୍ଣ ବଦନ ଦେଖି ତାଙ୍କୁ ତାଙ୍କ ସ୍ତ୍ରୀ ପଚାରିଲେ, ‘ହଇଓ ! ଆଜି ତୁମର କ’ଣ ହୋଇଛି କି? ଏମିତି କାହିଁକି ମନ ମାରି ବସିଛ, କ’ଣ ଦରବାର ଆଡେ ଆଜି ଯିବ ନାହିଁକି? ପତ୍ନୀଙ୍କ କଥା ଶୁଣି କବି ଯଦୁମଣି କହିଲେ, “ଆଜି କାହିଁକି କୌଣସି କାର୍ଯ୍ୟରେ ମନ ଲାଗୁ ନାହିଁ । ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମୋର ଭାରି ମନ ହେଉଛି ।” ସ୍ୱାମୀଙ୍କ ମନ କଥା ଶୁଣି ସାରି ସ୍ତ୍ରୀ କହିଲେ, “ ଯଦି ନୀଳାଚଳ ଯିବାକୁ ମନ କରୁଛ ତା’ହେଲେ ଜିନିଷ ପତ୍ର ସଜଡା ସଜଡି କରୁନ ।” ସ୍ତ୍ରୀଙ୍କ କଥା ଶୁଣି କବି ଯଦୁମଣି ଜିନିଷ ପତ୍ର ସଜାଡିବାରେ ଲାଗିଲେ ଓ ନାତି ହାତରେ ରାଜାଙ୍କ ଉଆସକୁ ଖବର ପଠାଇ ଦେଇ ପୁରୀ ଅଭିମୁଖେ ଚାଲିଲେ । ଦୁଇ ତିନି ଦିନ ପରେ ପୁରୀରେ ପହଁଚିଲେ । ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ସାରି ଆନନ୍ଦ ବଜାରରେ ଅବଢା ଖାଇ ସ୍ୱର୍ଗଦ୍ୱାର ଭ୍ରମଣ କରିବାକୁ ଚାଲିଲେ ।
ବଡ ଦାଣ୍ଡରେ ଚାଲି ଚାଲି ଯାଉଥିବା ସମୟରେ ଗଜପତି ରାଜାଙ୍କ ଅମାତ୍ୟଙ୍କ ସଂଗେ କବି ଯଦୁମଣିଙ୍କର ସାକ୍ଷାତ ହୋଇ ଗଲା । ଗଜପତି ରାଜାଙ୍କ ଅମାତ୍ୟ କବି ଯଦୁମଣିଙ୍କୁ ଦେଖୁ ଦେଖୁ ସଂଗେ ସଂଗେ ଗଜପତିଙ୍କ ଦରବାରକୁ ନେଇ ଗଲେ । କବି ଯଦୁମଣିଙ୍କୁ ଦେଖି ଗଜପତି ରାଜା ବହୁତ ଖୁସି ହୋଇ ଗଲେ । କୁଶଳ ପ୍ରଶ୍ନ କରିବା ପରେ ନୟାଗଡ ରାଜାଙ୍କ ସମ୍ବନ୍ଧରେ ପଚାରିଲେ । ଏହା ପରେ ବହୁ ସମୟ ଯାଏଁ ଶାସ୍ତ୍ର ଆଲୋଚନା ଚାଲିଲା । କବି ଯଦୁମଣିଙ୍କର ଚାତୁର୍ଯ୍ୟ ପୂର୍ଣ୍ଣ କଥାବାର୍ତ୍ତାରେ ସଭାସଦ୍ମାନେ ମୁଗ୍ଧ ବିଭୋର ହୋଇ ପଡୁ ଥାଆନ୍ତି । ଦରବାରର କାର୍ଯ୍ୟ ଶେଷ ହେବା ପରେ ଗଜପତି ରାଜା କବି ଯଦୁମଣିଙ୍କୁ କିଛି ଦିନ ପୁରୀରେ ରହିବା ପାଇଁ କହିଲେ ।
ତହିଁ ଆର ଦିନ ଥାଏ ଧନୁ ସଂକ୍ରାନ୍ତି । କବି ଯଦୁମଣି ତ’ ପୁରୀରେ ରହି ଥାଆନ୍ତି । ସେଦିନ ଠିକ୍ ସମୟରେ କବି ଯଦୁମଣି ଯାଇ ଗଜପତିଙ୍କ ଦରବାରରେ ପହଁଚି ଗଲେ । କବି ଯଦୁମଣିଙ୍କୁ ଦେଖି ରାଜା ପଚାରିଲେ – “ ଆପଣଙ୍କ ଇଚ୍ଛା କ’ଣ? ଆଜି ମନ ଖୋଲି କରି କୁହନ୍ତୁ?” ରାଜାଙ୍କ କଥା ଶୁଣି କବି ଯଦୁମଣି ଉତ୍ତର ଦେବାକୁ ଯାଇ କବିତା ଛଳରେ ନିଜର ମନୋଭାବକୁ ପ୍ରକାଶ କଲେ । କବିତାଟି ହେଲା –
“ଧନୁ ମାସ ହେଲା ହନୁ ନ ଚଳିଲା
କହିବାକୁ ଲାଗେ ଲାଜ ।
ମୁଁ ଆଁ କରିଛି ମୁଆଁ ଖାଇବାକୁ
ଦେବା ହେଉ ମହାରାଜ ।”
କବି ଯଦୁମଣିଙ୍କର ଧନୁ ସଂକ୍ରାନ୍ତିରେ ମୁଆଁ ଖାଇବାକୁ ଇଚ୍ଛା ହେଉ ଥିବାର କଥା ଗଜପତି ରାଜା ଜାଣି ପାରି କବି ଯଦୁମଣି ରହୁ ଥିବା ବସାକୁ ମୁଆଁ ପଠାଇ ଥିଲେ । ରାଜା ମୁଆଁ ପଠାଇଛନ୍ତି, ଜାଣି ପାରି କବି ଯଦୁମଣି ଖୁବ୍ ଖୁସି ହେଲେ ।