କବିଙ୍କର ରଣପୁର ଭ୍ରମଣ
ଥରେ କବି ଯଦୁମଣି ନୟାଗଡ ରାଜାଙ୍କ ଅନୁମତି ନେଇ ରଣପୁର ଭ୍ରମଣରେ ବାହାରି ଗଲେ । କବି ତ’ ଯେତେବେଳେ ଯେଉଁ ଆଡେ ଇଚ୍ଛା କରୁ ଥିଲେ ସିଆଡେ ଭ୍ରମଣ କରିବାକୁ ଚାଲି ଯାଉ ଥିଲେ । କବି ଯଦୁମଣି ରଣପୁରରେ ପହଁଚି ସେଠାକାର ରାଜାଙ୍କୁ ସାକ୍ଷାତ କଲେ । କବି ଯଦୁମଣିଙ୍କର ଖ୍ୟାତି ତ’ ସାରା ଓଡିଶାରେ ବ୍ୟାପୀ ଯାଇ ଥାଏ । ତେଣୁ କବି ମନେ ମନେ ଭାବୁ ଥାଆନ୍ତି ରଣପୁରରେ ପହଁଚିବା ମାତ୍ରକେ ସେଠାକାର ରାଜା ତାଙ୍କର ଉପଯୁକ୍ତ ସତ୍କାର କରି ଥାଆନ୍ତେ ।
କବି ଯଦୁମଣି ଯେତେବେଳେ ସେଠାକାର ରାଜାଙ୍କ ରାଜସଭାରେ ପହଁଚିଲେ ସେତେବେଳେ ରାଜା ତାଙ୍କ କର୍ମଚାରୀ ମାନଙ୍କ ସହିତ ଆଲୋଚନାରେ ବ୍ୟସ୍ତ ଥାଆନ୍ତି କାହିଁକି ନା ତାଙ୍କ ରାଜ୍ୟରେ ମରୁଡି ପଡି ଥାଏ । ମରୁଡିର ପ୍ରତିକାର ପାଇଁ ରାଜା ଯଥା ସାଧ୍ୟ ଉଦ୍ୟମ କରୁ ଥାଆନ୍ତି । ଏହି ସମୟରେ କବି ଯଦୁମଣି ସେଠାରେ ଯାଇ ପହଁଚି ଗଲେ । ରାଜା ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ଥିବାରୁ କବି ଯଦୁମଣିଙ୍କୁ ଉପଯୁକ୍ତ ସତ୍କାର କରି ପାରିଲେ ନାହିଁ । କବି ତ’ ଦୂର ପଥ ଅତିକ୍ରମ କରି ଆସି ଥିବାରୁ କ୍ଳାନ୍ତ ଅନୁଭବ କରୁ ଥାଆନ୍ତି । କ୍ଷୁଧା ତୃଷାରେ ସେ ମଧ୍ୟ ଆତୁର ହୋଇ ପଡି ଥାଆନ୍ତି । ଏଣେ ଏପଟେ ରାଜାଙ୍କର ଅନାଦର ମନୋଭାବ । କବି ଯଦୁମଣି ସଂଗେ ସଂଗେ ରାଜାଙ୍କୁ ଆକ୍ଷେପ କରି ଏକ କବିତା ରଚନା କଲେ । କବିତାଟି ହେଉଛି –
“ପାଶରେ ବସିଣ ବଚନ ଭାଷିଲି
କିଣା ମୁଁ ଆପଣଙ୍କର ।
ମୁଣ୍ଡ ମାଇଲେ ତୁଣ୍ଡରେ
ନ ବୋଲ କି ମୁଁ ଆପଣଙ୍କର ।”
କବି ଯଦୁମଣିଙ୍କ କବିତା ପଢି ସାରିବା ପରେ ରାଜା ଈଷତ୍ ହସି ଦେଇ ସଂଗେ ସଂଗେ କବି ଯଦୁମଣିଙ୍କର ରହିବା ଓ ଖାଇବାର ସୁବନ୍ଦୋବସ୍ତ କରି ଦେଲେ । କବି କିଛି ଦିନ ରଣପୁର ରାଜାଙ୍କ ଆତିଥ୍ୟ ଗ୍ରହଣ କରି ନୟାଗଡ ଫେରି ଆସିଲେ ।