ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

ମହିମା ମେରୁ

                ଖଣ୍ଡପଡା ଗଡରେ ଏକ ମହିମା ମେରୁ ସ୍ଥାପନ କରା ଯାଇ ଥିଲା । ଖଣ୍ଡପଡା ରାଜାଙ୍କ ଆମନ୍ତ୍ରଣ ପାଇ କବି ଯଦୁମଣି ଉଚିତ୍ ସମୟରେ ଆସି ଖଣ୍ଡପଡାରେ ପହଁଚି ଗଲେ । ଖଣ୍ଡପଡାର ରାଜା ଅମାତ୍ୟ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଗହଣରେ ଆସି ମହିମା ମେରୁଙ୍କୁ ଦର୍ଶନ କଲେ । ମହିମା ମେରୁଙ୍କ ପ୍ରତିଷ୍ଠା ଉତ୍ସବ ଖୁବ୍ ଜାକ ଜମକରେ ପାଳନ କରାଯାଉ ଥାଏ । ମହିମା ମେରୁଙ୍କ ପ୍ରତିଷ୍ଠା ଦିବସରେ ‘ବଲ୍ଲଭ ମୁଆଁ’ ମଣୋହି ଭୋଗ ଲାଗି କରା ଯାଇ ଥାଏ ।

ଏହି ସମୟରେ କବି ଯଦୁମଣି ଆସି ସେଠାରେ ପହଁଚିଲେ । ରାଜା କବି ଯଦୁମଣିଙ୍କୁ କହିଲେ, “ମହାଶୟ! ଏ ଦିଅଁଙ୍କ ନାମ ହେଉଛି ମହିମା ମେରୁ ।” ଆପଣଙ୍କୁ ଏହା କିପରି ଲାଗୁଛି ଯଥା ଶୀଘ୍ର ଏହା ସମ୍ପର୍କରେ ମତାମତ ପ୍ରଦାନ କରନ୍ତୁ । ରାଜାଙ୍କ କଥା ଶୁଣି ସାରିବା ପରେ କବି ଯଦୁମଣି ତତ୍କ୍ଷଣାତ୍ ଉତ୍ତର ଦେଲେ, “ମହାରାଜ! ସବୁ ସ୍ଥାନରେ ଗୁଡ ଓ ଖଇ ମିଶି ମୁଆଁ ତିଆରି କରା ଯାଏ । କିନ୍ତୁ ଏଠାରେ ତ’ ତାହା ହେଉ ନାହିଁ ।” କବି ଯଦୁମଣିଙ୍କ କଥା ଶୁଣି ରାଜା କହିଲେ, “ଆଜି ତୁମକୁ କାନ୍ତି ପଶା ଓ ବଲ୍ଲଭ ମୁଆଁ ଖାଇବାକୁ ଦିଆଯିବ ।” ଏହା କହି ରାଜା ତାଙ୍କ ଉଆସ ଅଭିମୁଖେ ଚାଲିଲେ ।

                ରାଜା ଯିବା ପରେ ତାଙ୍କର କର୍ମଚାରୀମାନେ ରାଜା କହିଥିବା ଖାଦ୍ୟ ଧରି କବି ଯଦୁମଣିଙ୍କ ବସାରେ ପହଁଚି ଗଲେ । କବି ଯଦୁମଣି କିନ୍ତୁ ସେ ସବୁ ଖାଦ୍ୟ ନଖାଇ ଉପବାସରେ ବିରକ୍ତ ହୋଇ ନିଦ୍ରା ଗଲେ । କାହିଁକି ନା ରାଜା ଖାଦ୍ୟ ସହିତ କିଛି ଦକ୍ଷିଣା ପଠାଇ ନ ଥାଆନ୍ତି । ତହିଁ ଆର ଦିନ କବି ଯଦୁମଣି ରାଜ ଦରବାରରେ ପହଁଚି ଗଲେ । ରାତିରେ କିଛି ନ ଖାଇ ଥିବାରୁ ତାଙ୍କର ମୁଖ ମଣ୍ଡଳ ପୁରା ଶୁଖିଲା ଦେଖା ଯାଉ ଥାଏ । କଥାବାର୍ତ୍ତା ଖାପ୍ଛଡା ଲାଗୁ ଥାଏ । କବି ଯଦୁମଣିଙ୍କର ଏତାଦୃଶ ବ୍ୟବହାର ଦେଖି ରାଜା କହିଲେ, “କଣ ମହାଶୟ! ଆଜି କାହିଁକି ଆପଣଙ୍କ ମୁଖ ମଣ୍ଡଳ ମଳିନ ପଡି ଯାଇଛି । ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କବି ଯଦୁମଣି ଏକ ସ୍ୱରଚିତ ଛାନ୍ଦ ଆବୃତ୍ତି କଲେ । ଯଥା –

                “କାନ୍ତି କାନ୍ତି ଦେଖି ମନେ ହେଲା ଭ୍ରାନ୍ତି

                                                କେମନ୍ତେ କରିବି ଆହାର

                ଖଣ୍ଡପଡା ନାମ ମୁଖେ ଉଚ୍ଚାରନ୍ତେ

                                                ତତ୍କ୍ଷଣେ ହୋଇଲା ମଧୁର ।

                ତରଚା ବେହେରା ଖରଚା ନ ଦେଇ

                                                ଫରଚା ହୋଇଣ ଗଲା ।

                ଉପବାସୀ କବି ଉପବାସେ ରହି

                                                ତେବେ ନିଶି ନ ପାହିଲା ।

                ଏହାର ମର୍ମ ହେଉଛି – “ମହାରାଜ! ଆପଣଙ୍କ  ପ୍ରଦତ୍ତ ଭ୍ରାନ୍ତି ଉଦୟ ହେଲା । ମୁଆଁ କଥାତ ଛାଡ, ଆଣି ଥିବା ଦ୍ରବ୍ୟ ଦେଇ ବେହେରା ବିନା ଖରଚା ଅର୍ଥାତ୍ ଦକ୍ଷିଣା ନ ଦେଇ ବାହାରି ଗଲା । ଆଉ ମୁଁ ରାତି ଉପବାସରେ କଟାଇଲି । କିଛି ଖାଇ ନ ଥିବାରୁ ରାତିରେ ନିଦ ହେଲା ନାହିଁ । କବି ଯଦୁମଣିଙ୍କର ଦୁଃଖ ଶୁଣିବା ପରେ ରାଜା ଈଷତ୍ ହସି ଦେଇ କବିଙ୍କର ଚର୍ଚ୍ଚାର ସୁବନ୍ଦୋବସ୍ତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ