ଊନବିଂଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ରଚିତ ହୋଇ ଥିବା କାବ୍ୟ ଗୁଡିକରେ ମୌଳିକତା ପରିଲକ୍ଷିତ ହେଉ ନଥିଲା କିନ୍ତୁ କବି ଯଦୁମଣି ପ୍ରଥମେ ସଂପୂର୍ଣ୍ଣ ମୌଳିକ ରୀତିରେ ହାସ୍ୟ ରସର ଅଫୁରନ୍ତ ଝରଣା ପ୍ରବାହିତ କରିବାରେ ସକ୍ଷମ ହୋଇ ପାରି ଥିଲେ । ତାଙ୍କର ଭକ୍ତି ଚାତୁର୍ଯ୍ୟ, ବିଦ୍ରୁପପୂର୍ଣ୍ଣ ଶୈଳୀ ବହୁ ଉଦ୍ଧତ କ୍ଷମତା ଧାରୀ ମାନଙ୍କୁ ପ୍ରଚଣ୍ଡ ଆଘାତ କରିଛି । ସେହି ପରି ରହସ୍ୟମୟ ପ୍ରହେଳିକାରେ ପାଠକ ମାନଙ୍କୁ ବିଭ୍ରାନ୍ତ କରିଛି । ଏକଦା ଯଦୁମଣି ପଡୋଶୀ ରାଜ୍ୟକୁ ବୁଲିବା ପାଇଁ ଯାଇ ଥାଆନ୍ତି । ସେ ପଡୋଶୀ ରାଜ୍ୟର ରାଜାଙ୍କ ଠାରୁ ଯଥା ଯୋଗ୍ୟ ସମ୍ମାନ ପାଇଲେ ନାହିଁ । କବି ମନର କ୍ଷୋଭକୁ କାବ୍ୟିକ ରୀତିରେ ପ୍ରକାଶ କରିବାକୁ ଯାଇ ସେ କହି ଛନ୍ତି –
“ଅନ୍ଧ ଦେଶକୁ ଗଲି ଦର୍ପଣ ବିକି
କନ୍ଧ ହାତରେ ଦେଲି ଗୋଦାନ ଟେକି ।
ଜଡା ସଂଗତେ କଲି ଖଡା ରନ୍ଧନ
କାମୁଡା ଘୋଡା ମୁଖେ ଦେଲି ଚୁମ୍ବନ ।”
ଦିନେ କବି ଯଦୁମଣି ରାଜାନୁଗ୍ରହ ପ୍ରାର୍ଥୀ ହୋଇ ଖଣ୍ଡପଡା ଯାଇ ଥିଲେ । ସେଠାରେ ପ୍ରଥମେ ତାଙ୍କୁ ଲିଆ ବା ଖଇ ଖାଇବାକୁ ଦିଆ ଯାଇ ଥିଲା; ତାହା ସୁମିଷ୍ଟ ନଥିଲା । ଆଶୁ କବି ସଂଗେ ସଂଗେ ଗୀତଟିଏ ଲେଖି ଗାଇଲେ…
“କାନ୍ତି କାନ୍ତି ଦେଖି ମନେ ହେଲା ଭ୍ରାନ୍ତି
କେମନ୍ତେ କରିବି ଆହାର
ଖଣ୍ଡପଡା ନାମ ମୁଖେ ଉଚ୍ଚାରନ୍ତି
ତକ୍ଷଣେ ହୋଇଲା ମଧୁର ।”
ଦଶପଲ୍ଲା ରାଜା ଦଶପଲ୍ଲାରେ ଜଗନ୍ନାଥ ମନ୍ଦିରଟିଏ ପ୍ରତିଷ୍ଠା କରୁ ଥିଲେ । କବି ଯଦୁମଣି ଦଶପଲ୍ଲା ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ସେଠାକୁ ଯାଇ ଥାଆନ୍ତି । ରାଜାଙ୍କର କବି ଯଦୁମଣିଙ୍କ ପ୍ରତି ଆଦର ଅଭ୍ୟର୍ଥନାକୁ ଲକ୍ଷ୍ୟ କରି; କବି ସଂଗେ ସଂଗେ ଗାଇଲେ –
“କୁଂଜ ବନେ ଜଗନ୍ନାଥ ନ ହେବ ଗୋସାଇଁ
ରଥ ବୋଲି ଭଣ୍ଡି ନେଲା ଶଗଡେ ବସାଇ ।
ଭୋଗ ବୋଲି ଖଂଜି ଦେଲା ଜଡିକିଆ ମୂଆଁ
ଧୂପ ବୋଲି ମାଡି ଦେଲା ନିଆଁ ଖୁଂଟା ଧୂଆଁ ।”
ଭଂଜ ଯୁଗୀୟ କବିତ୍ୱରେ ପରିଲକ୍ଷିତ ହେଉ ଥିବା ଅଳଂକାରର ଆଡମ୍ବରକୁ ଉପେକ୍ଷା କରି କବି ଯଦୁମଣି ଆଶୁ ରଚନା ଓ ଚାଟୁଳୋକ୍ତି ପାଇଁ ଓଡିଶାର ଜନ ଜୀବନରେ ଏବେ ବି ମଧ୍ୟ ଜୀବନ୍ତ । କାବ୍ୟ କବିତା ମାଧ୍ୟମରେ ହାସ୍ୟରସ ସୃଷ୍ଟି କରୁ ଥିବା ଏହି ମହାନ ସ୍ରଷ୍ଟା ୧୮୬୬ ମସିହାରେ ମୃତ୍ୟୁ ବରଣ କରି ଥିଲେ ।