ଯଦୁମଣିଙ୍କ ଶ୍ୱଶୁର ଘର ଗସ୍ତ
ଥରେ କବି ଯଦୁମଣି ତାଙ୍କ ଶ୍ୱଶୁର ଘରକୁ ଯାଇ ଥିଲେ । କବି ଯଦୁମଣି ଚତୁର ସ୍ୱଭାବର ବୋଲି ତ’ ସମସ୍ତେ ଜାଣନ୍ତି । ଯଥା ସମୟରେ ରସିକ କବି ଯଦୁମଣି ଯାଇ ତାଙ୍କ ଶ୍ୱଶୁର ଘରେ ପହଁଚିଲେ । ଶ୍ୱଶୁର ଘରେ ମଧ୍ୟ ଜ୍ୱାଇଁଙ୍କୁ ବହୁ ଆଦର ସମ୍ମାନ ପ୍ରଦର୍ଶନ କଲେ । ଜ୍ୱାଇଁଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରାଯିବା ପରେ ଜ୍ୱାଇଁ ଚାଲିଲେ ଶୟନ କକ୍ଷକୁ । କବି ଯଦୁମଣିଙ୍କର ଏକ ମାତ୍ର ଶାଳୀଟିଏ ଥାଏ । ତାର ନାମ ଝଟକ ମଣି । ନାମ ଯେମିତି ରୂପ ମଧ୍ୟ ଠିକ୍ ସେମିତି । କବି ଯଦୁମଣିଙ୍କର ଝଟକ ମଣି ସହିତ ଦେଖା ହୋଇ ଦୁଇ ପଦ ମଧୁର କଥା ହେବା ପାଇଁ ଭାରି ମନ ଥାଏ । ହେଲେ ସେ ଆସିବା ବେଳୁଁ କାହିଁ ତାକୁ ଦେଖୁ ନଥାନ୍ତି ।
କବି ଯଦୁମଣିଙ୍କ ରସିକ ପଣ କଥା ଜାଣି ପାରି କବି ଯଦୁମଣିଙ୍କ ଶ୍ୱଶୁର ତାଙ୍କ ସ୍ତ୍ରୀଙ୍କୁ କଡା ତାଗିଦ୍ ଦେଇ ଥାଆନ୍ତି ଯେପରି ଝଟକ ମଣି ସହିତ ସେ କବି ଯଦୁମଣିଙ୍କର ଦେଖା ସାକ୍ଷାତ ନ ହୁଏ । ଝଟକ ମଣିକୁ ମା’ ତାର ଦିନ ରାତି ଗୋଡେ ଗୋଡେ ଜଗି ଥାଏ । ଏହା ଦେଖି କବି ଯଦୁମଣି ମନେ ମନେ ଖୁବ୍ ବ୍ୟସ୍ତ ହୋଇ ପଡିଲେ । କିପରି ସୁନ୍ଦରୀ ଶାଳୀ ସହିତ ଦୁଇ ପଦ ମିଠା କଥା ହେବେ ମନେ ମନେ ଯୋଜନା ପ୍ରସ୍ତୁତ କଲେ ।
ଶ୍ୱଶୁର ଘରକୁ ଗୋଟେ ଧାଈ ବରାବର ଆସୁ ଥାଏ । ଶ୍ୱଶୁର ତାକୁ ଜ୍ୱାଇଁଙ୍କ ପଦ ସେବା କରିବା ପାଇଁ ଆଦେଶ ଦେଇ ଥାଆନ୍ତି । ଧାଈ ପାଦ ମୋଡିବା ସମୟରେ ଯଦୁମଣି ତା’ ନିକଟରେ ମନର କଥା ପ୍ରକାଶ କଲେ ଓ କହିଲେ ଯଦି ଗୁପ୍ତରେ ତା’ ସହିତ ସାକ୍ଷାତ କରାଇ ଦେଇ ପାରିବ ତା’ହେଲେ ସେ ତାକୁ ପାଂଚଟି ରୌପ୍ୟମୁଦ୍ରା ଦେବେ । ରୌପ୍ୟ ମୁଦ୍ରା ପାଇବାର ଲୋଭରେ ଧାଈଟି ହଁ ଭରିଲା ।
ତହିଁ ଆର ଦିନ କବି ଯଦୁମଣି ଖାଇ ସାରି ବିଶ୍ରାମ ନେବାକୁ ବାହାରିଲେ । ଏଣେ ଶାଳୀକୁ ସାକ୍ଷାତ କରିବାକୁ ମନ ବ୍ୟଗ୍ର ହୋଇ ଉଠୁ ଥାଏ । ଏହି ସମୟରେ ଧାଈ ଜଣକ ଆସି କହିଲା, “ଝଟକ ମଣି ଆପଣଙ୍କୁ ଘୋଡା ଶାଳରେ ଅପେକ୍ଷା କରିଛନ୍ତି ।” ଧାଈର କଥା ଶୁଣିବା ମାତ୍ରକେ କବି ଯଦୁମଣି ଧାଇଁଲେ ଝଟକ ମଣିଙ୍କୁ ଦେଖିବା ପାଇଁ । ଘୋଡା ଶାଳରେ ପହଁଚି ଶାଳୀଙ୍କ ସହିତ କିଛି ସମୟ ଥଟ୍ଟା ପରିହାସ କରିବା ପରେ ପ୍ରୀତ ହୋଇ ଶୟନ କକ୍ଷକୁ ଆସିଲେ । ପର ଦିନ ଶାଳୀଙ୍କ ସହିତ ହୋଇଥିବା ସାକ୍ଷାତ ବିଷୟରେ ଶ୍ୱଶୁରଙ୍କ ଉଦ୍ଧେଶ୍ୟରେ କବି ଯଦୁମଣି ଏକ କବିତାଟି ଲେଖିଲେ –
“ଝଟକ ମଣିକୁ ଅଟକ ଯା କଲେ
ଛଟକରେ ତାକୁ ଦେଖିଲି
ଘୋଟକ ଶାଳାରେ ବିନୟ ହୋଇଣ
ପରିହାସ କେତେ କଲି ।”
କବିତାଟି ପଢି ସାରିବା ପରେ କବି ଯଦୁମଣିଙ୍କର ଶ୍ୱଶୁର ମହାଶୟ ଜ୍ୱାଇଁଙ୍କର ଚତୁରତାର ପରିଚୟ ପାଇ ପାରିଲେ ।