ଦୁଇଟି ମନ୍ଦୁରା
ଜନସାଧାରଣଙ୍କ ମତରେ ଏକ ପ୍ରବାଦ ଅଛି – “କବି ମାନେ ଚିର କାଳକୁ ଗରୀବ । ଯାହା ଗାଉଁଲି ଭାଷାରେ କହନ୍ତି –
“ପୁଣି ଗାଉଣି ପର ଛାଉଣି
ୟାକୁ ନମିଳଇ ଦାନା ପାଣି ।”
ଅର୍ଥାତ୍ – ଯେଉଁ ଲୋକ ଗୁଣି ଗାରେଡି କରି ଥାଏ, ସେ ସବୁ ସମୟରେ କାହାର ମଂଗଳ ତ’ କାହାର ଅମଙ୍ଗଳ ପାଂଚିବାରେ ବ୍ୟସ୍ତ ଥାଏ । ନିଜ ପାଇଁ ଦାନା ଯୋଗାଡ କରିବା ପାଇଁ ତା’ ପାଖରେ ସମୟ ନଥାଏ । ଆଉ ଗାଉଣି ଅର୍ଥାତ୍ ଯିଏ ଗୀତ ଗାଇ ଥାଏ, ସେ ମଧ୍ୟ ସଂଗୀତ ମଧ୍ୟରେ ନିଜକୁ ଏତେ ମାତ୍ରାରେ ନିୟୋଜିତ କରି ଥାଏ ଯେ, ଖାଇବା ପିଇବା ମଧ୍ୟ ଭୁଲି ଯାଇ ଥାଏ । ତେଣୁ ଏମାନଙ୍କୁ ଦାନା ମିଳେ ନାହିଁ ।
କବି ଯଦୁମଣି ସେହି ପରି ଏକ ସ୍ୱଭାବର ବ୍ୟକ୍ତି । ଗୀତ ସଂଗୀତ ମଧ୍ୟରେ ସେ ମଧ୍ୟ ନିଜକୁ ଏପରି ନିୟୋଜିତ କରି ରଖି ଥାଆନ୍ତି ଯେ ସେ ଖାଇବା ପିଇବା କଥା ପୁରା ପୁରି ଭୁଲି ଯାଆନ୍ତି । ପ୍ରତ୍ୟହ ଛାନ୍ଦ, ଚଉପଦୀ ରଚନା କରି ଯାହା ଦୁଇ ପଇସା ରୋଜଗାର କରନ୍ତି, ଦୁଇ ପ୍ରାଣୀ ଖାଉ ଖାଉ ସବୁ ଶେଷ ହୋଇ ଯାଏ । ତେଣୁ ଘର କରଣା ଜିନିଷ ମଧ୍ୟ ଖଣ୍ଡେ କରିବା କଷ୍ଟ । ସବୁ ସମୟରେ ସେମାନଙ୍କର ଅନ୍ନ ଚିନ୍ତା ରହି ଥାଏ । ଯେତେ ଅଭାବ ପଡିଲେ ମଧ୍ୟ ସ୍ୱାମୀ ସ୍ତ୍ରୀ ସାଇପଡିଶା କାହା ଆଗରେ କେହି କେବେ କହନ୍ତି ନାହିଁ । ତେଣୁ ବରଷକ ବାର ମାସ ଘରେ ଯାହା ଥାଏ ସେଥିରେ ଚଳାଇ ଦିଅନ୍ତି । ତେଣୁ ଦୁଃଖ କ’ଣ ସେମାନେ ଜାଣନ୍ତି ନାହିଁ । ଖରା ଦିନ, ବର୍ଷା ଦିନ ପରେ ଶୀତ ଋତୁ ଆସିଲା । କବି ଓ କବି ପତ୍ନୀଙ୍କ ପାଖରେ ତ’ ଶୀତ ଦିନେ ଘୋଡାଇ ହେବା ପାଇଁ ଦାମୀ ଗଦି ବା ରେଜେଇ ନଥାଏ । ସ୍ୱାମୀ, ସ୍ତ୍ରୀ ଦୁଇ ଜଣ ଦୁଇଟି ମନ୍ଦୁରା ଘୋଡାଇ ହୋଇ ଶୀତ ଦିନ ଯାକ କଟାଇ ଦିଅନ୍ତି ।
ଦିନେ କବିଙ୍କର ରାଜ ଦରବାରକୁ ଆସୁ ଆସୁ ବିଳମ୍ବ ହୋଇ ଗଲା । ସେଦିନ ପ୍ରବଳ ଜୋର୍ରେ ଶୀତ ପକାଇ ଥାଏ । କବି ଯଦୁମଣି ରାଜ ଦରବାରର କାମ ସାରି ଆସି ଶୀତରେ ଥରି ଥରି କବାଟ ବାଡେଇଲେ । ସ୍ତ୍ରୀ କବାଟ ଖୋଲି ଯେମିତି ଦେଖିଲେ, ସଂଗେ ସଂଗେ ସ୍ୱାମୀଙ୍କୁ ଚୁଲି ପାଖରେ କିଛି ସମୟ ବସିବା ପାଇଁ କହିଲେ । ତା’ ପରେ ଖିଆ ପିଆ ଶେଷ କରି ଶୟନ କକ୍ଷକୁ ଚାଲିଲେ । ଖଟ ଉପରେ ଗଡି ପଡି କବି ଯଦୁମଣି କହିଲେ, ‘ପ୍ରିୟେ ! ଆଜି କେମିତି ଶୀତ ପଡିଛି କହିଲ । ଆଜି ଏଇ ମନ୍ଦୁରାରେ କାମ ଚଳିବନି । ଆଉ ଯଦି କ’ଣ ଅଛି ଆଣ ଘୋଡାଇ ହେବା । ସ୍ତ୍ରୀ ସ୍ୱାମୀଙ୍କ କଥା ଶୁଣି କହିଲେ – ଘରେ କିଛି ନାହିଁ ।
– ଯଦୁମଣି ଏହା ଶୁଣି ଚମକି ପଡିଲେ ।
– ତୁମେ ଆଉ କ’ଣ କେବେ କିଛି ଆଣିଛ ।
– ନା
– ତେବେ ମାଗୁଛ ! ମୁଁ କୋଉଠୁ ଆଣିବି
– ନାଁ ମୋର ଭୁଲ୍ ।
– ହଁ ! ତମକୁ ତମର ଭୁଲ୍ ସ୍ୱୀକାର କରିବାକୁ ପଡିବ
ଏହା ପରେ କବି ଯଦୁମଣି ଆଉ କିଛି ନ କହି ଖଟଟି ଉପରେ ଜାକି ଜୁକି ହୋଇ ଶୋଇ ପଡିଲେ । ଶୀତରେ ରାତି ଯାକ ଶୋଇ ପାରୁ ନଥାନ୍ତି । ଚିନ୍ତା କରୁ ଥାନ୍ତି କଣ କରିବେ । କ୍ରମଶଃ ରାତି ପାହି ସକାଳ ହେଲା । ସକାଳୁ ସକାଳୁ ଉଠି ନିତ୍ୟ କର୍ମ ସାରି କବି ଯଦୁମଣି ରାଜ ଦରବାରକୁ ବାହାରିବା ସମୟରେ ତାଙ୍କୁ ତାଙ୍କ ପତ୍ନୀ କହିଲେ, “କାଲି କ’ଣ ଅବସ୍ଥା ହେଲା ଦେଖିଲତ । ଆଜି ଆସିଲା ବେଳକୁ ଦୁଇଟା ମନ୍ଦୁରା ନେଇ ଆସି ଥିବ ।” ପତ୍ନୀଙ୍କ କଥା ଶୁଣି କବି ଯଦୁମଣି ମନେ ମନେ ଭାବିଲେ ପାଖରେ ତ’ ପଇସାଟିଏ ନାହିଁ ଯୋଡାଏ ମନ୍ଦୁରା ଆଣିବି କେମିତି । ହଉ ସବୁ ପ୍ରଭୁଙ୍କ ଇଚ୍ଛା ।
ଏମିତି କେତେ କ’ଣ କଥା ମନେ ମନେ ଚିନ୍ତା କରି କବି ଦରବାର ଅଭିମୁଖେ ଚାଲିଲେ । ରାଜାଙ୍କ ପାଖରେ ପହଁଚିବା ମାତ୍ରକେ ଗୋଟିଏ ଗୀତ ଆବୃତ୍ତି କରିବା ପାଇଁ ପଡେ । କବି ମନେ ମନେ କିପରି ମନ୍ଦୁରା ପାଇବେ ସେଇ କଥା ଚିନ୍ତା କରି କରି ଏକ ଗୀତ ରଚନା କରି ଥିଲେ । ରାଜାଙ୍କର ଗାଇବା ପାଇଁ ଇଂଗିତ ପାଇବା ମାତ୍ରକେ କବି ଗାଇଲେ । :-
“ଘୋଡା ଘୋଡି ଶୋଇବା ପାଇଁକି
ଘୋଡା ଘୋଡିଙ୍କର ଘର
ଯୋଡିଏ ଲୋଡା ମୋହର
ତୋଡାରୁ ଥୋଡିଏ ଆଜ୍ଞା ହେଉ ମତେ ନବଦୁର୍ଗ ଧନେଶ୍ୱର ।”
କବିତାର ମର୍ମ ବୁଝି ସାରି ରାଜା କବି ଯଦୁମଣିଙ୍କ ଗୃହକୁ କର୍ମଚାରୀ ମାନଙ୍କ ସହାୟତାରେ ଦୁଇଟି ମନ୍ଦୁରା ପଠାଇ ଦେଲେ । ମନ୍ଦୁରା ଦୁଇଟି ଦେଖି କବି ଯଦୁମଣି ଯେତିକି ଖୁସି ନହେଲେ, କବି ଯଦୁମଣିଙ୍କ ପତ୍ନୀ ତାଙ୍କ ଠାରୁ ଆହୁରି ଅଧିକ ଖୁସି ହୋଇ ଗଲେ ।