ମହାରଥିଙ୍କ ପତ୍ନୀ
ଦିନକର କଥା । କବି ଯଦୁମଣି ଦେହ ଖରାପ ଅଛି ବୋଲି କହି ରାଜ ଦରବାରରୁ ସପ୍ତାହକ ପାଇଁ ଛୁଟି ଆଣି ଥାଆନ୍ତି । ରାଜା ମଧ୍ୟ ସଂଗେ ସଂଗେ କବିଙ୍କର ଆଶୁ ଆରୋଗ୍ୟ କାମନା କରି ଛୁଟି ମଂଜୁର କରି ଦେଇ ଥାଆନ୍ତି । ତା’ ସହିତ କିଛି ଅର୍ଥ ମଧ୍ୟ ଦାନ କରି ଥାଆନ୍ତି । ଛୁଟି ପାଇ ଥିବାରୁ କବି ଯଦୁମଣି ମହା ଆନନ୍ଦରେ ଘରକୁ ଫେରି ଥାଆନ୍ତି । ଛୁଟି ଥିବାରୁ ତହିଁ ଆର ଦିନ କବି ମହାଶୟ ଟିକିଏ ବିଳମ୍ବରେ ଉଠିଲେ । ବ୍ୟସ୍ତ ନ ହୋଇ ଧୀରେ ସୁସ୍ଥେ ନିତ୍ୟ କର୍ମ ଶେଷ କଲେ । ଏହା ପରେ ପୋଥି ଖଣ୍ଡିଏ ଧରି ଯାଇ ଦାଣ୍ଡ ପିଣ୍ଡାରେ ବସି ପଡିଲେ । କବି ଯଦୁମଣିଙ୍କୁ ଏପରି କରିବାର ଦେଖି ତାଙ୍କୁ ତାଙ୍କ ସ୍ତ୍ରୀ ଯାଇ ପ୍ରଶ୍ନ କଲେ । “କଣ ଆଜି ତୁମେ ରାଜାଙ୍କ ଦରବାରକୁ ଯିବ ନାହିଁ କି?
– ନା’ କବି ଉତ୍ତର ଦେଲେ ।
– କାହିଁକି?
– ମୁଁ ଏବେ ସପ୍ତାହକ ପାଇଁ ଛୁଟି ଆଣିଛି ।
– ଏତେ ଦିନ ଛୁଟି ଆଣିଛ କ’ଣ କରିବ ।
– ଶୋଇ ବସି ଦିନ କାଟିବି ।
– ରାଜାଙ୍କୁ କଣ କହି ଛୁଟି ଆଣିଲ ।
– ଦେହ ଖରାପ୍ ଅଛି ବୋଲି କହି ଛୁଟି ଆଣିଲି ।
– ଦେହ ଖରାପ୍ ଅଛି କହିଲ ।
– ଥାଉ ଥାଉ ଆଉ ଏତେ ଭାଷଣ ମାର ନାହିଁ ।
ସ୍ୱାମୀଙ୍କ କଥା ଶୁଣି ପତ୍ନୀ କହିଲେ, “ତୁମେ ଏମିତି ମଝିରେ ମଝିରେ ଦେହ ଖରାପର ବାହାନା ଦେଖାଇ କାହିଁକି ଘରେ ରହି ଯାଉଛ । ରାଜା ମଧ୍ୟ ତୁମ କଥା ସତ ଭାବି ତୁମ ଦେହ ଖରାପ ପାଇଁ ପଇସା ପତ୍ର ଖର୍ଚ୍ଚ କରୁଛନ୍ତି । ପତ୍ନୀଙ୍କ କଥା ଶୁଣି କବି ଯଦୁମଣି କହିଲେ, “ହଁ ଭଲ ହେଲା, ତା’ ନୁହେଁ ତ ଆଉ କ’ଣ । ସ୍ୱାମୀଙ୍କ କଥା ଶୁଣି ପତ୍ନୀ କହିଲେ ଏଥରକ ଆଉ ରାଜାଙ୍କର ଧନ ଅପବ୍ୟୟ କର ନାହିଁ । ମୋର ଗୋଟିଏ କଥା ମାନ । ଘରେ ବସି ବସି ଭାରି ଖରାପ ଲାଗୁଛି । ଚାଲ ! କେଉଁ ଆଡେ ଟିକେ ଯାଇ ବୁଲି ଆସିବା । ବୁଲି ଆସିଲେ ବହୁତ ଭଲ ଲାଗିବ । ରାଜାଙ୍କ ଧନ ମଧ୍ୟ ଅପବ୍ୟୟ ହେବ ନାହିଁ । ପତ୍ନୀଙ୍କ କଥା ଶୁଣି କବି ଯଦୁମଣି କହିଲେ, “ସତେତ ! ଟିକେ କେଉଁ ଆଡେ ବୁଲି ଆସିଲେ ଦେହ ମନ ସବୁ ଫୁର୍ତି ରହିବ । ପତ୍ନୀଙ୍କ କଥାରେ ସମ୍ମତି ଜଣାଇ କବି ଯଦୁମଣି କହିଲେ, “ଉମା ! ଆମେ କାଲି ପ୍ରତ୍ୟୁଷରୁ ରଣପୁର ବୁଲିବା ପାଇଁ । ଶୀଘ୍ର କାମ ସାରିବାକୁ ପଡିବ । କବି ଯଦୁମଣିଙ୍କର କଥା ଶୁଣି ତାଙ୍କ ପତ୍ନୀ (ଉମା) ମନେ ମନେ ଭାରି ଖୁସି ହୋଇ ପଡିଲେ । ରାତି ପାହିଲା ବେଳକୁ କବି ମହାଶୟଙ୍କ ପତ୍ନୀ ସବୁ କାମ ସାରି ଯିବା ପାଇଁ ବାହାରି ପଡିଛନ୍ତି ।
ରଣପୁରରେ ପହଁଚି କିଛି ସମୟ ବୁଲା ବୁଲି କରିବା ପରେ ଦୁହେଁ ରଣପୁର ରାଜାଙ୍କ ଦରବାର ଅଭିମୁଖେ ଚାଲିଲେ । ରାଜ ଦରବାରରେ ପହଁଚିବା କ୍ଷଣି ରଣପୁର ରାଜା ଖୁବ୍ ଆଦରରେ ତାଙ୍କୁ ପାଛୋଟି ନେଲେ । କବି ଯଦୁମଣି ତ ଖୁବ୍ ମଜାଦାର ସ୍ୱଭାବର ଲୋକ । ତେଣୁ ରାଜା ପଚାରିଲେ ମହାଶୟ ! ଆପଣ କବି ମହାରଥୀଙ୍କ ପତ୍ନୀଙ୍କୁ ଦେଖିଛନ୍ତି କି?
– ଦେଖିଛି ମଣିମା, କହିଲେ କବି ।
– କିପରି ସେ?
ଉତ୍ତର ଦେବାକୁ ଯାଇ କବି କବିତାରେ ଗାଇଲେ –
“ଦୁଆରେ ଦେହଲି ଜଳୁକି ଧରିଣ
ବଳି ପଡୁ ଥିଲା ଓଳିକି
ଦେଖିଲି କାଳିକି ଲାଗିଲା ଭେଳିକି
ଚିନ୍ତିଲି ମନେ ଶୁଳିକି
ମଣିମା ତା ଭ୍ରାତା କେତେ ଜପ କରିଛି
ଓଳିକି ଓଳିକି ହୋଇଣ ବାଳିକି
କାଳକେ କାଳିକା ପାଇଛି ।”
କବିଙ୍କ ଉତ୍ତର ଦେବାର ଶୈଳୀ ରଣପୁର ରାଜାଙ୍କ ମନକୁ ବେଶ୍ ଛୁଇଁ ପାରିଲା । ପ୍ରୀତ ହୋଇ ବହୁ ଉପହାର ସହିତ କବି ଯଦୁମଣି ଓ ତାଙ୍କ ପତ୍ନୀଙ୍କୁ ସସମ୍ମାନେ ବିଦାୟ ଜଣାଇଲେ ।