ଯଦୁମଣି ଓ ଚକ୍ରପାଣି
ପ୍ରତି ଦିନ ପରି କବି ଯଦୁମଣି ସେଦିନ ମଧ୍ୟ ନିଜର ନିତ୍ୟ କର୍ମ ଶେଷ କରି ନିତି ଦିନିଆ କାର୍ଯ୍ୟ କ୍ରମରେ ବ୍ୟସ୍ତ ଥାଆନ୍ତି । ଶୀତ ଦିନ । ଶୀତ ହେତୁ ଗାଁରେ ପ୍ରାୟ କେହି ଏତେ ଶୀଘ୍ର ବିଛଣା ଛାଡି ନଥାନ୍ତି । ଯଦୁମଣିଙ୍କ ପାଇଁ କିନ୍ତୁ ଖରା, ବର୍ଷା, ଶୀତ ସବୁ ଦିନ ସମାନ । ତେଣୁ ନିଜର ନିତ୍ୟ କର୍ମ ସକାଳୁ ସକାଳୁ ଶେଷ କରି ତରତର ହୋଇ କବି ଯଦୁମଣି ରାଜ ଦରବାର ଅଭିମୁଖେ ଚାଲି ଥାଆନ୍ତି । ଦୂରରୁ ଦେଖିଲେ କେହି ଜଣେ ଭଦ୍ର ଲୋକ ତାଙ୍କ ଆଡକୁ ଆସୁ ଛନ୍ତି । ତାଙ୍କ ରଙ୍ଗ ଢଙ୍ଗ ହାବ ଭାବରୁ ସେ ଜଣେ ବିଦେଶୀ ପରି ପ୍ରତୀୟମାନ ହେଉ ଥାଆନ୍ତି ।
କବି ତାଙ୍କ ଆଡକୁ ଟିକେ ଚାହିଁବା ପରେ ପୁର୍ନବାର ରାସ୍ତା ଉପରକୁ ଚାହୁଁ ଥାଆନ୍ତି । ଭଦ୍ର ଲୋକ ଜଣକ ଧଳା ଧୋତି ପିନ୍ଧି ଥାଆନ୍ତି ଧୋତି ଉପରେ ପଂଜାବୀ ସାଂଗକୁ କାନ୍ଧରେ ଉତ୍ତରୀୟଟି ବେଶ୍ ମାନୁ ଥାଏ ତାଙ୍କୁ । ଧୀରେ ଧୀରେ ସେ ଆସି କବି ଯଦୁମଣିଙ୍କ ସାମ୍ନାରେ ପହଁଚି ଗଲେ କବିଙ୍କୁ ପଚାରିଲେ – “ମହାଶୟ ! ଆପଣ କହି ପାରିବେ କି ନୟାଗଡ ରାଜ ନଅରଟା ଆଉ କେତେ ବାଟ?
କବି ଯଦୁମଣି କହିଲେ – ଏଇ ଠାରୁ ଅଳ୍ପ ବାଟ ।
– କାହିଁକି ରାଜାଙ୍କ ସହିତ ଆପଣଙ୍କର କ’ଣ କିଛି କାମ ଅଛି କି?
– ନା ସେମିତି କିଛି କାମ ନାହିଁ ।
– ତା’ ହେଲେ ଆପଣ ସେଠାକୁ ଯାଉଛନ୍ତି କାହିଁକି?
– ଲୋକ ଜଣକ କହିଲା – ମୋର ନାମ ଚକ୍ରପାଣି ପଟ୍ଟନାୟକ । ମୁଁ ଜଣେ କବି ।
– ଲୋକଟିର କଥା ଶୁଣିବା ପରେ କବି ଯଦୁମଣି କହିଲେ ତା’ହେଲେ ମୋ ସହିତ ଆସନ୍ତୁ ମୁଁ ଆପଣଙ୍କୁ ନେଇ ଯିବି ।
କବି ଯଦୁମଣିଙ୍କ କଥା ଶୁଣି ଚକ୍ରପାଣି କହିଲେ, “ଆପଣ ମଧ୍ୟ କ’ଣ ରାଜ ନଅରକୁ ଯାଉଛନ୍ତି । ଏହି ପରି ଭାବରେ ଦୁଇ ଜଣ ଯାକ ପରସ୍ପର ବେଶ୍ ଖୁସି ଗପ କରି କରି ବାଟ ଚାଲିଲେ । କବି ଚକ୍ରପାଣି ହଠାତ୍ କହୁ କହୁ କହି ପକାଇଲେ, ‘ଜାଣିଛନ୍ତି ନା, ମୁଁ ହେଉଛି ଓଡିଶାର ଶ୍ରେଷ୍ଠ କବି । ନୟାଗଡରେ କାହିଁ କେହି କବି ଥିବାର ମୁଁ ତ’ କେବେ ଶୁଣି ନାହିଁ ।’ କବି ଚକ୍ରପାଣିଙ୍କ କଥା ଶୁଣି କବି ଯଦୁମଣି ଯେତିକି ଆଶ୍ଚର୍ଯ୍ୟ ହୋଇ ଗଲେ ମନେ ମନେ ସେତିକି ହସିଲେ ମଧ୍ୟ । କବି ଚକ୍ରପାଣିଙ୍କ କଥାର ଉତ୍ତର ଦେବାକୁ ଯାଇ କବି ଯଦୁମଣି କହିଲେ, “ମୁଁ ଯେତିକି ଶୁଣିଛି, ଏ ରାଜ୍ୟର ବଡ ବଡ କବି ମାନେ ବିଦେଶ ଭ୍ରମଣରେ ମଧ୍ୟ ଯାଇ ଛନ୍ତି । ମୁଁ ମଧ୍ୟ କିଛି କିଛି କବିତା କେତେ ବେଳେ କେମିତି ଲେଖେ । ତେଣୁ ଆପଣ କବିତା ବିଷୟରେ କିଛି ପ୍ରଶ୍ନ ପଚାରିଲେ ମୁଁ ମଧ୍ୟ ଉତ୍ତର ଦେବାକୁ ଚେଷ୍ଟା କରିବି । କବି ଯଦୁମଣିଙ୍କ କଥା ଶୁଣି କବି ଚକ୍ରପାଣି ଗର୍ବର ସହିତ ପ୍ରଶ୍ନ କଲେ –
“ପ୍ରମତ କେଶରୀ ଗଜ କପାଳକୁ
ନ ଚିରଇ କଦାସ୍ଥିତେ
ଏହାର ପାଦ ପୂରଣ କର ।
କବି ଯଦୁମଣି କିଛି ସମୟ ନୀରବ ରହି କହିଲେ –
“ମହାସାରି ରଥ ଗଣନାଥ ମାଥ
କଇଳାସ ପର ବତେ ।”
କବି ଚକ୍ରପାଣି ଏହାର ଅର୍ଥ କିଛି ବୁଝି ନପାରି କହିଲେ, “ମୁଁ କିଛି ଠିକ୍ ଭାବେ ବୁଝି ପାରି ନାହିଁ । ଆପଣ ମୋତେ ଟିକେ ଏହାର ମର୍ମ ବୁଝାଇ ଦିଅନ୍ତୁ ।” କବି ଯଦୁମଣି ବୁଝାଇବାକୁ ଯାଇ କହିଲେ – “ଆପଣ ପଚାରି ଛନ୍ତି ପ୍ରମତ କେଶରୀ ଅର୍ଥାତ୍ ଉନ୍ନତ ସିଂହ, ଗଜ କପାଳ – ହାତୀର କପାଳ, କେଉଁ ସ୍ଥାନରେ ଚିରେ ନାହିଁ, ମୋର ଉତ୍ତର ହେଲା ‘କଇଳାସ ପର୍ବତ’ । କଇଳାସ ପର୍ବତରେ ସିଂହ, ଗଜର ଶିର ସ୍ପର୍ଶ କରେ ନାହିଁ । ସେଠାରେ ସବୁ ସମୟରେ ଦେବୀଙ୍କ ବାହନ ସିଂହ ରହିଲେ ମଧ୍ୟ ଗଣେଶଙ୍କ ହସ୍ତୀ ଶିରକୁ ଦେଖି କ୍ଷତି କରେ ନାହିଁ ।
କବି ଚକ୍ରପାଣି ଏହି ଉତ୍ତର ଶୁଣି ସାରି ମନେ ମନେ ଭାବିଲେ ଇଏ କ’ଣ ଏତେ ଶୀଘ୍ର ଉତ୍ତର ଦେଇ ଦେଲେ । ଏଥର ଆଉ ଗୋଟାଏ କଷ୍ଟ ପ୍ରଶ୍ନ ପଚାରିଲେ ଉତ୍ତର ଦେଇ ପାରିବେ ନାହିଁ । ଏହା ଭାବି କବି ଚକ୍ରପାଣି ପୁନଃ ପ୍ରଶ୍ନ କଲେ ।
“କିମ୍ପା ପ୍ରଶଂସିବା ପ୍ରଶଂସା ପଦବୀ
ଅଛି ବୋଲି କଳା ରାତିରେ ।”
ଯଦୁମଣି ସଂଗେ ସଂଗେ ଉତ୍ତର ଦେଲେ –
“ମୁଁ କରି ଅଛି ଯେ ବଳା ମଣିର
ଶ୍ରୀ ଚରଣ ବେଳା ରାତିରେ ।”
ଅର୍ଥାତ୍ ଆପଣ ପଚାରିଲେ ଇନ୍ଦ୍ରଙ୍କୁ କେଉଁଥି ପାଇଁ ତପସ୍ୟା କରିବା । ଉତ୍ତର ଦେବାକୁ ଯାଇ ମୁଁ କହିଲି, ‘ଯେଉଁ ପୁରୁଷ ରତନ ବାଳାମଣିର ବା ନାରୀର ପାଦ କଳାକୁ ରାତିରେ ମୁକତୁଲ୍ୟ କରି ଅଛି, ଅର୍ଥାତ୍ ବିପରୀତ ରତି ପୂର୍ବକ ସୁଖ ଭୋଗ କରିଛି ସେ କାହିଁକି ପ୍ରଶଂସା କରିବ । କବି ଯଦୁମଣିଙ୍କ ଏହି ପରି ଉତ୍ତର ଶୁଣି କବି ଚକ୍ରପାଣି ଆଶ୍ଚର୍ଯ୍ୟ ହୋଇ ଗଲେ । ମନେ ମନେ ଭାବିଲେ, ଛୋଟ କବି ହୋଇ ମଧ୍ୟ ସେ ଏପରି ଉତ୍ତର ଦେଇ ପାରୁ ଛନ୍ତି । ଏହା ପରେ ଉଭୟ କବି ଯାଇ ନୟାଗଡ ରାଜାଙ୍କ ରାଜ ଉଆସରେ ପହଁଚିଲେ । ରାଜା ଯେତେବେଳେ କବି ଯଦୁମଣିଙ୍କର ଅସଲ ପରିଚୟ କବି ଚକ୍ରପାଣିଙ୍କ ସମ୍ମୁଖରେ ପ୍ରକାଶ କଲେ, କବି ଚକ୍ରପାଣି ମନେ ମନେ ନିଜକୁ ଖୁବ୍ ଲଜ୍ଜିତ ମନେ କଲେ ।
ଏହା ପରେ ପୁଣି କବି ଚକ୍ରପାଣି କବି ଯଦୁମଣିଙ୍କୁ ତୃତୀୟ ପ୍ରଶ୍ନ ପଚାରିଲେ । ତାହା ହେଉଛି –
“ସେହି ସମୟରେ … ବଧୂ ଶ୍ୱଶୁର ସଙ୍ଗ ଇଚ୍ଛା କରେ ।”
ଚକ୍ରପାଣି ଏହି ପ୍ରଶ୍ନ ପଚାରି କହିଲେ ଆଚ୍ଛା କବି ଯଦୁମଣି ଏହାର ପାଦ ପୂରଣ କର ।
ଯଦୁମଣି ଉତ୍ତର ଦେଲେ –
“ଦ୍ରୁପଦ ବନ୍ଦନୀ ଚାରୁ ସୁକେଶୀ
ଭୀମ ବୀର ସଙ୍ଗେ ସୁରତେ ରସି
ଗବାକ୍ଷ ମାର୍ଗରେ ବସି ବିରସେ
ଲୋଡେ ଯେତେବେଳେ ପବନକୁ ସେ
ସେହି ସମୟରେ …
ବଧୂ ଶ୍ୱଶୁର ସଙ୍ଗ ଇଚ୍ଛା କରେ ।”
ଅର୍ଥାତ୍ – ଭୀମ ହେଉଛନ୍ତି ପବନର ପୁତ୍ର । ଏଣୁ ପବନର ବଧୂ ହେଲେ ଦ୍ରୌପଦୀ ।