କାଣି ଗଣିକା
କବି ଚକ୍ରପାଣି ଏଥର ଶେଷ ପ୍ରଶ୍ନ ପଚାରିଲେ – କୁହ, ଯଦୁମଣି ଏହି ପଦକୁ ବାମରୁ ଦକ୍ଷିଣକୁ ଏବଂ ଦକ୍ଷିଣରୁ ବାମକୁ ପଢିଲେ ଯେପରି ଗୋଟିଏ ପଦ ପରି ବୋଧ ହେଉଛି, ସେହି ପରି ଏହାର ଦକ୍ଷିଣ ଓ ବାମରେ ଏପରି ସମାନ ସଂଖ୍ୟକ ବର୍ଣ୍ଣ ବିନ୍ୟାସ କରି ଗୋଟିଏ ସେହି ପରି ବାକ୍ୟ ରଚନା କର ।
କବି ଯଦୁମଣି ଏହା ଶୁଣିବା ପରେ କହି ଥିଲେ –
“କଡାକୁ କାଣି ଗଣିକାକୁ ଡାକ ।”
ରାଜା ଖୁସି ହୋଇ ଗଲେ । ହସି ହସି ଏକ ପ୍ରସ୍ତାବ ଆଣିଲେ କବି ମହାଶୟ ଏତେ ପ୍ରଶ୍ନ ପଚାରିଲେଣି, ଆମର କବି ଯଦୁମଣି ଯଥୋଚିତ ଉତ୍ତର ମଧ୍ୟ ଦେଇ ସାରିଲେଣି । ଏବେ କବି ଯଦୁମଣି ପ୍ରଶ୍ନ ପଚାରନ୍ତୁ ଓ ଆପଣ ଉତ୍ତର ଦିଅନ୍ତୁ ।
କବି ଚକ୍ରପାଣି ସଙ୍ଗେ ସଙ୍ଗେ ହାତ ଯୋଡି ଠିଆ ହୋଇ କହିଲେ – ମହାରାଜ ! ମୋର କୌଣସି ଆପତ୍ତି ନାହିଁ । କାରଣ କବି ଯଦୁମଣିଙ୍କ ଶାସ୍ତ୍ର ଜ୍ଞାନରେ ମୁଁ ମୁଗ୍ଧ । ଆଶୀର୍ବାଦ କରୁଛି – ସେ ଭବିଷ୍ୟତରେ ଯଶସ୍ୱୀ ହୁଅନ୍ତୁ । ସେ ମୋର ଅନୁଜ ତୁଲ୍ୟ । ଯଦି ତାଙ୍କର ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ମୁଁ ସକ୍ଷମ ହେବି ନାହିଁ, ତେବେ ମୁଁ ମୋ ନିଜକୁ କେବେ ହେଲେ ତୁଚ୍ଛ ମନେ କରିବି ନାହିଁ ।
ରାଜା ତଥା ରାଜନ୍ୟବର୍ଗଙ୍କର ଅନୁରୋଧ କ୍ରମେ କବି ଯଦୁମଣି ଅତି ବିନମ୍ରତାର ସହିତ ପ୍ରଶ୍ନଟିଏ ପଚାରିଲେ –
“ଛବିରେ କେ ଜିଣେ ନବ ରବିଙ୍କ
କେ ପେଟ ପୋଷେ ଧନୁଶର ବିକି
ଜଳ ଠାରେ ଭୀତି କାହାର ନୀତି
କାର ଭୟ ନାହିଁ ଉରଗ ପ୍ରତି
ବିଚାରି କହିବ
ଚାରି ପଦାର୍ଥ ଏଇ ହୋଇଥିବ ।”
ମାତ୍ର ସଂସ୍କୃତଜ୍ଞ କବି ଚକ୍ରପାଣି ଏହି ପ୍ରଶ୍ନର ଉତ୍ତର ଦେଇ ପାରି ନଥିଲେ । ସମସ୍ତଙ୍କ ଅନୁରୋଧରେ କବି ଯଦୁମଣି ଏହି ପ୍ରଶ୍ନର ଉତ୍ତର ଦେଇ ଥିଲେ –
‘ଅବିର’ ବୋଇଲେ –
୧ ମ ପାଦର ଅର୍ଥ – ଅବିର ଅର୍ଥ ଫଗୁ ।
୨ ୟ ପାଦର ଅର୍ଥ – ଅବିର ଅର୍ଥ ଯେ ବୀର ନୁହେଁ ।
୩ ୟ ପାଦର ଅର୍ଥ – ଅବିର ଅର୍ଥ ଛେଳି ଅବିର – ଛେଳିର ।
୪ ର୍ଥ ପାଦର ଅର୍ଥ – ଅବିର ଅର୍ଥ ଅ-ବିଷ୍ଣୁ, ବି -ପକ୍ଷୀ, – ପକ୍ଷୀ – ଗରୁଡ ।