ଦରଜୀ କନ୍ୟା
କ୍ରମଶଃ ସୂର୍ଯ୍ୟ ପଶ୍ଚିମ ଆକାଶରେ ଅସ୍ତ ଯାଉ ଥାଆନ୍ତି । ଦରବାର କାର୍ଯ୍ୟ ସମାପନ ହୋଇ ଆସୁ ଥାଏ । ଏହି ସମୟରେ ରାଜା କବି ଯଦୁମଣିଙ୍କୁ କହିଲେ, “ ! ଆସନ୍ତା କାଲି ଦରବାର କାର୍ଯ୍ୟରେ ବିଳମ୍ବ କରିବା ନାହିଁ, ଟିକେ ଶୀଘ୍ର ସମାପନା କରିବା ।”
କବି କହିଲେ, “କାହିଁକି?”
– ବହୁ ଦିନ ହେଲା ମୁଁ ନୟାଗଡ ନଗର ଭ୍ରମଣରେ ଯାଇ ନାହିଁ । ଆଜି କାହିଁ ମୋର ଭାରି ମନ ହେଉଛି ନୟାଗଡ ବୁଲି ଯିବା ପାଇଁ ।
ରାଜାଙ୍କ କଥାରେ ସମ୍ମତି ଜଣାଇ କବି ଯଦୁମଣି ନିଜ ଘରକୁ ଫେରିଲେ । ତହିଁ ଆର ଦିନ କବି ଯଦୁମଣି ନିତ୍ୟ କର୍ମ ସାରି ରାଜ ଉଆସକୁ ବାହାରିଲା ବେଳେ ତାଙ୍କୁ ତାଙ୍କ ପତ୍ନୀ କହିଲେ, “ଆଜି ରାଜାଙ୍କ ଠାରୁ କିଛି ଅର୍ଥ ନେଇ ଆସିବ । କାହିଁକି ଜାଣ, ଏଇ ମାସ ଅଠାଇଶ ଦିନରେ ମୋ ଭଉଣୀର ବିଭାଘର । ସେଠାକୁ ଭାର ବେଭାର ଯିବ । ଏ କଥା ଶୁଣି କବି ଯଦୁମଣିଙ୍କ ମୁଣ୍ଡରେ ବଜ୍ର ପଡିଲା ପରି ଲାଗିଲା । କାରଣ ବେଭାର ମାନେ ଶହେ ଟଙ୍କା ନିହାତି କମ୍ରେ ଆବଶ୍ୟକ । ରାଜାଙ୍କୁ ମଧ୍ୟ ମାଗିବାକୁ ଇଚ୍ଛା ହେଉନି । କାହିଁକି ନା ସେ ରାଜାଙ୍କ ଠାରୁ ଏବେ ପଇସା ମାଗି ଆଣି ଛନ୍ତି । ମନେ ମନେ ଭଗବାନଙ୍କ ଉଦ୍ଧେଶ୍ୟରେ ପ୍ରାର୍ଥନା କରି କରି ବାଟ ଚାଲିଲେ ।
କିଛି ସମୟ ପରେ କବି ଯଦୁମଣି ଯାଇ ରାଜ ଦରବାରରେ ପହଁଚିଲେ । ସବୁ ଦିନ ପରି ରାଜ ଦରବାରର କାର୍ଯ୍ୟକ୍ରମ ଆରମ୍ଭ ହେଲା । କବି ଯଦୁମଣି ତାଙ୍କର ସ୍ୱରଚିତ କବିତା ଆବୃତ୍ତି କରୁ ଥିଲେ । କିନ୍ତୁ ତାଙ୍କର ମନ ଥିଲା କିପରି ପଇସା ଯୋଗାଡ କରିବେ । ରାଜ ଦରବାରର ସମସ୍ତ କାର୍ଯ୍ୟକ୍ରମ ଶେଷ ହେଲା । ରାଜା ଏକ ତାମଯାନ ମଗାଇ ନୟାଗଡ ଭ୍ରମଣରେ ବାହାରିଲେ । କବି ଯଦୁମଣି ମଧ୍ୟ ତାଙ୍କ ସାଂଗରେ ଯାଉ ଥାଆନ୍ତି । ହଠାତ୍ ରାଜା କବି ଯଦୁମଣିଙ୍କୁ କହିଲେ “ଯଦୁମଣି ! ସାମ୍ନାରେ ଏ ଦରଜୀ କନ୍ୟାକୁ ଦେଖି ଏକ କବିତା ଯଦି ଗାଇବ ତା’ହେଲେ ମୁଁ ତୁମକୁ ଶହେ ମୁଦ୍ରା ଅବଶ୍ୟ ଦେବି ।” କବି ଯଦୁମଣି କାଳ ବିଳମ୍ବ ନକରି ସଂଗେ ସଂଗେ କହିଲେ :-
“ଦରଜୀ କୁଳରେ ମୁରୁକି ଅଛି ଯେ,
ବିଧି ସମ ତୁଲ ହାସ,
ମରଜି ବୁଝି ମୁଁ ଅରଜି ଦେବାକୁ
ପାଇ ନାହିଁ ଅବକାଶ ।
ମଉଳି ପଛକେ ଯିବି ।
ମଉଳି ନଥିବା ଜବା ଅଧରୀକୁ ଆରୋଗେ ଦେବରେ ଯିବି ।”
କବି ଯଦୁମଣିଙ୍କ କବିତା ଶୁଣି ରାଜା ମନେ ମନେ ବହୁତ ଖୁସି ହେଲେ, ସଂଗେ ସଂଗେ ଶହେ ମୁଦ୍ରା ତାଙ୍କୁ ପୁରସ୍କାର ସ୍ୱରୂପ ଦେଲେ । ଶହେ ମୁଦ୍ରା ପାଇ ଥିବାରୁ, ତଥା କବି ଯଦୁମଣିଙ୍କର ମନସ୍କାମନା ପୂର୍ଣ୍ଣ ହୋଇ ଥିବାରୁ କବି ମଧ୍ୟ ମନ ଖୁସିରେ ଘରକୁ ଫେରିଲେ ।