ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

ରାଣୀ ଫୁଲ ମାଳ ପକାଇବା

                ନୟାଗଡ ରାଜାଙ୍କ ରାଜ ନଅରଟି ଖୁବ୍ ସୁନ୍ଦର । ତା’ ଠାରୁ ଆହୁରି ସୁନ୍ଦର ହେଉଛି ରାଜାଙ୍କର ରାଣୀ ହଂସ ପୁର । ରାଜ ଉଆସ ଆଗରେ ସୁନ୍ଦର ଉଦ୍ୟାନ । କିସମ କିସମର ଫୁଲ ଫଳର ଶୋଭାରେ ରାଜ ନଅରଟି ଦୂରରୁ ଯେପରି ଝଟକୁ ଥାଏ । ଏହି ଉଦ୍ୟାନର ଯତ୍ନ ରାଜାଙ୍କର କର୍ମଚାରୀମାନଙ୍କ ହସ୍ତରେ ନ୍ୟସ୍ତ ଥାଏ । ସେହି ପରି ରାଣୀ ହଂସ ପୁର ଆଗରେ ମଧ୍ୟ ଜାତି, ଜାତିକା ଫୁଲ ଗଛ, ଫଳ ଗଛ ଲଗା ଯାଇ ଥାଏ । ସେଠାରେ ଗୋଟିଏ ବର ଗଛ ଆଉ ଗୋଟିଏ ଅଶ୍ୱତ୍ଥ ଗଛ ମଧ୍ୟ ପାଖା ପାଖି ଲଗା ଯାଇ ଥାଏ ।  ଗଛ ଦୁଇଟି ବହୁତ ପୁରୁଣା । ଲୋକ ବିଶ୍ୱାସରେ ଅଛି ଯେଉଁଠାରେ ବର ଗଛ ଓ ଅଶ୍ୱତ୍ଥ ଗଛ ପାଖା ପାଖି ଥିବ ସେମାନଙ୍କର ବିବାହ କରାଇ ଦେଲେ ପୁଣ୍ୟ ହୁଏ । ସେହି ପରି ଯୋଡିଏ ବୃକ୍ଷ ରାଣୀ ହଂସ ପୁର ସମ୍ମୁଖରେ ଥାଏ ।

ସେହି ବୃକ୍ଷ ଦୁଇଟିର ଡାଳରେ ବିଭିନ୍ନ ଜାତିର ପକ୍ଷୀ ବାସ କରନ୍ତି । ସେମାନଙ୍କର କିଚିରି ମିଚିରି ଶବଦରେ ବେଳେ ବେଳେ ଉଆସ ପ୍ରକଂପିତ ହୁଏ । ରାଜ ଉଆସ ପାଖା ପାଖି ବୃକ୍ଷ ଦୁଇଟି ଥିବାରୁ ସେଠାରେ ଶିକାରୀ ମାନଙ୍କର ଭୟ ନଥାଏ । ପକ୍ଷୀ ମାନେ ମହା ଆନନ୍ଦରେ ସେହି ବୃକ୍ଷଟିରେ ବାସ କରୁ ଥାନ୍ତି । ଅବସର ସମୟରେ ବେଳେ ବେଳେ ରାଜା ଓ ରାଣୀ ଉଆସର ଝରକା ମଧ୍ୟ ଦେଇ ସେମାନଙ୍କର ଖେଳ କୌତୁକ ଦେଖି ମହା ଆନନ୍ଦ ଲାଭ କରନ୍ତି । ପ୍ରତ୍ୟେକ ଦିନ କିନ୍ତୁ ରାଣୀ ବୃକ୍ଷଟି ଆଡକୁ କିଛି ସମୟ ଚାହିଁ  ଥାଆନ୍ତି । ଏଣୁ ତେଣୁ ଅନେକ କଥା ଭାବି ଚାଲନ୍ତି ।

ବର୍ଷା ଋତୁ ପରେ ପୃଥିବୀ ବକ୍ଷରେ ଶୀତ ଋତୁ ପାଦ ଦେଲା । ଶୀତ ଦିନେ ସାଧାରଣତଃ ସମସ୍ତେ ଟିକେ ବିଳାସ ବ୍ୟସନରେ ରହିବାକୁ ଭଲ ପାଆନ୍ତି । ସବୁ ଦିନ ପରି ସେଦିନ ମଧ୍ୟ ରାଣୀ ଝରକା ଖୋଲି ବୃକ୍ଷ ଯୋଡିକ ଆଡକୁ ଚାହିଁ ରହି ଥାଆନ୍ତି । ସନ୍ଧ୍ୟା ହୋଇ ଆସୁ ଥାଏ । ଏହି ସମୟରେ ଯୋଡିଏ ବାନର ଦମ୍ପତ୍ତି କେଉଁ ଆଡୁ ଆସି ସେହି ବୃକ୍ଷର ଡାଳରେ ବସିଲେ । ଚାରି ଆଡକୁ ଦୁଇ ଜଣ ଯାକ ଥରେ ଦୃଷ୍ଟି ଫେରାଇ ଆଣି ମନ ଖୁସିରେ ଆଳାପ କଲେ । କିଛି ସମୟ ପରେ ଦୁଇ ଜଣ ଯାକ ରତି କ୍ରିଡାରେ ମାତି ଗଲେ । ରାଣୀ ଅପଲକ ନୟନରେ ସେମାନଙ୍କ ଆଡକୁ ଚାହିଁ ରହି ଥାଆନ୍ତି । ଏ ସବୁ ଦେଖି ରାଣୀଙ୍କର ମଧ୍ୟ ରତି କ୍ରିଡା ପାଇଁ ମନରେ ଆଗ୍ରହ ଜନ୍ମିଲା ।

କିଛି ସମୟ ପରେ ଦରବାର କାର୍ଯ୍ୟ ଶେଷ କରି ରାଜା କବି ଯଦୁମଣିଙ୍କୁ ସାଂଗରେ ଧରି ସହାସ୍ୟ ବଦନରେ ସେହି ଉଦ୍ୟାନ ମଧ୍ୟକୁ ପ୍ରବେଶ କଲେ । ରାଜାଙ୍କର କିନ୍ତୁ ବୃକ୍ଷ ଉପରେ କ୍ରିଡାରତ ବାନର ଦମ୍ପତ୍ତିଙ୍କ ପ୍ରତି ନଜର ନଥାଏ । ଯଦୁମଣିଙ୍କ ଆଖି କିନ୍ତୁ ଚାରି ଆଡେ ବୁଲୁ ଥାଏ । ସେ ଝରକା ମଧ୍ୟ ଦେଇ ବୃକ୍ଷକୁ ଚାହିଁ ରହି ଥିବା ରାଣୀଙ୍କୁ ଦେଖି ରାଣୀଙ୍କର ମନ କଥା ବୁଝି ପାରିଲେ । କିଛି ସମୟ ପରେ ରାଣୀ ଏକ ଫୁଲ ମାଳା ରାଜାଙ୍କ ଉପରକୁ ନିକ୍ଷେପ କଲେ । ମାଳାଟି ମଧ୍ୟ ସିଧା ସଳଖ ଯାଇ ରାଜାଙ୍କ ବେକରେ ପଡିଲା । ଏହା ଦେଖି ରାଜା ହଠାତ୍ ଆଶ୍ଚର୍ଯ୍ୟ ହୋଇ ଗଲେ । ଯଦୁମଣିଙ୍କୁ ରାଣୀଙ୍କର ଉଦ୍ଧେଶ୍ୟ ସଂପର୍କରେ ରାଜା ପ୍ରଶ୍ନ ପଚାରିଲେ – “ମନ କି ପାଂଚିଲା

ହସି ହସି ଫୁଲ ଗଳାରେ ପକାଇ ଦେଲା?

ରାଜାଙ୍କର ପ୍ରଶ୍ନ ଶୁଣିବା ମାତ୍ରକେ ଯଦୁମଣି ସଂଗେ ସଂଗେ ଉତ୍ତର ଦେଲେ ।

                                “ବଟ ବୃକ୍ଷ ପରେ ବାନରୀ ରତ

                                ଦେଖି ବାନ୍ଧବୀର ବଳିଲା ଚିତ୍ତ

                                      ମନେ ସେ ଇଛିଲା

                                ହସି ଫୁଲ ମାଳା ପକାଇ ଦେଲା”

ଯଦୁମଣିଙ୍କ ଉତ୍ତର ଶୁଣିବା ପରେ ରାଜା ରାଣୀ ହଂସ ପୁରର ଝରକା ଆଡକୁ ଚାହାନ୍ତି’ତ ସତକୁ ସତ ଯଦୁମଣିଙ୍କ କଥାର ସତ୍ୟତା ଅନୁମାନ କରି ପାରିଲେ । ରାଜା କବି ଯଦୁମଣିଙ୍କର ପ୍ରଖର ବୁଦ୍ଧିକୁ ପ୍ରଶଂସା ନ କରି ରହି ପାରିଲେ ନାହିଁ । କବି ଯଦୁମଣିଙ୍କୁ ହସ ହସ ମୁଖରେ ବିଦାୟ ଦେବା ପରେ ରାଜା ମଧ୍ୟ ନିଜ ରାଣୀଙ୍କୁ ନେଇ ଖୁସି ମନରେ ରାଣୀ ହଂସ ପୁର ଅଭିମୁଖେ ଚାଲିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ