ସିଂଘାଣି କେଉଁ ହାତରେ ପୋଛିବ
ଯଦୁମଣି ଜାତିରେ ବଢେଇ ହେଲେ କ’ଣ ହେଲା, କିନ୍ତୁ ପାଠ ପଢାରେ ତାଙ୍କର ବିଶେଷ ମନ ଥାଏ । ପଢିବାର କୌଣସି ସୁବିଧା ନପାଇ ସୁଦ୍ଧା ସେ ପାଠ ପଢୁ ଥିଲେ । ସେ ଜାଣି ଥିଲେ ଅପାଠୁଆ ଲୋକ ଅନ୍ଧ ସଙ୍ଗେ ସମାନ । ପଶୁ ଭଳି ଖାଇ ପିଇ ବଂଚେ ସିନା, ତାକୁ ମଣିଷ ବୋଲି କେହି କହିବେ ନାହିଁ ।
କୌଳିକ ବୃତ୍ତି ଅନୁସାରେ ଘରେ କାମ ଧନ୍ଦା କରୁ ଥାନ୍ତି । ଏଣେ ପାଠ ପଢାକୁ ପାଠ ପଢା ମଧ୍ୟ ଠିକ୍ ଚାଲି ଥାଏ । ଓଡିଆ ବର୍ଣ୍ଣ ଶିକ୍ଷା ପରେ କାବ୍ୟ କବିତା ପଢିଲେ । ତା’ପରେ ସଂସ୍କୃତ ପଣ୍ଡିତଙ୍କ ପାଖକୁ ଯାଇ କାବ୍ୟ, ବ୍ୟାକରଣ ଓ ନ୍ୟାୟ ଶାସ୍ତ୍ର ଆଦି ପଢିଲେ ।
କିନ୍ତୁ କବିଟିଏ ହେବା ପାଇଁ ତାଙ୍କ ମନରେ ବାସନା ଥାଏ । ସେ ଶୁଣି ଥିଲେ କାଳି ଦାସ, ଉପେନ୍ଦ୍ରଙ୍କ ଭଳି କବି ମାନେ ଦେବତାଙ୍କ ଠାରୁ ବର ଲାଭ କରି କବି ହୋଇଛନ୍ତି ।
ଜଣେ ସାଧକ ପଣ୍ଡିତଙ୍କ ପରାମର୍ଶ କ୍ରମେ ସେ “ହୟଗ୍ରୀବ” ବିଷ୍ଣୁ ମନ୍ତ୍ର ସାଧନା କରିବାକୁ ଲାଗିଲେ । ତାନ୍ତ୍ରିକ ମାନଙ୍କ ମତରେ ସାଧନା କଲେ ଶୀଘ୍ର ଫଳ ମିଳି ଥାଏ, ଏଣୁ ଯଦୁମଣି ନିର୍ଜ୍ଜନ ଶ୍ମଶାନରେ ବସି ରାତ୍ରିରେ “ହୟଗ୍ରୀବ” ମନ୍ତ୍ର ଜପ କରିବାକୁ ଲାଗିଲେ ।
ମନରେ ପ୍ରବଳ ଆଶା ଥାଏ । ମନ୍ତ୍ର ସିଦ୍ଧି ହେଲେ ଦେବତାଙ୍କୁ କିଛି ଗୋଟାଏ ବର ନିଶ୍ଚୟ ମାଗିବେ । ଅତି ନିଷ୍ଠାର ସହିତ ସେ ମନ୍ତ୍ର ଜପ କରି ଚାଲି ଥାନ୍ତି । ରାତ୍ରିର ଶେଷ ପ୍ରହର ବେଳକୁ ଯଦୁମଣିଙ୍କୁ ସାମାନ୍ୟ ତନ୍ଦ୍ରା ମାଡି ଆସିଲା । ସେ ଆଖି ଖୋଲି ଦେଖିଲେ ଜଣେ କେହି ଘୋଡା ମୁହାଁ ମଣିଷ ତାଙ୍କ ଆଗରେ ଠିଆ ହୋଇଛି । ସେହି ମଣିଷର ଚାରି ଗୋଟି ହାତ, ଚାରି ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଫୁଲ ଧରି ଛନ୍ତି । ଯଦୁମଣି ସ୍ଥିର କରି ନେଲେ – ଏ ନିଶ୍ଚୟ ହୟଗ୍ରୀବ ଦେବତା । ସେ ଜାଣନ୍ତି ‘ହୟ’ ଅର୍ଥ ଘୋଡା ।
ଦେବତାଙ୍କର ଏ ପ୍ରକାର ରୂପ ଦେଖି ଯଦୁମଣି ନିମିଷେ କାଳ ଚାହିଁ ରହିଲେ । ତା’ପରେ କିଶୋର ସୁଲଭ ଚପଳତାରେ ହସି ଦେଲେ ।
ତା’ପରେ ହାତ ଯୋଡି ବିନୀତ ଭାବରେ କହିଲେ – ମହାପ୍ରଭୁ ! ଆପଣଙ୍କୁ ମୁଁ କି ବର ମାଗିବି? ମୋ ମନରେ ବହୁ ସଂଶୟ । ମୋତେ ବୁଝାଇ ଦିଅନ୍ତୁ । ତୁମର ସବୁ ପ୍ରକାର ଅସୁବିଧା କେମିତି ସୂଧୁରି ଯାଉଛି । କ’ଣ ବୁଝି ପାରୁ ନାହାଁନ୍ତି?
ଦେବତା ସେମିତି ଠିଆ ହୋଇ ଥାଆନ୍ତି । ଯଦୁମଣି ପୁଣି କହିଲେ, କଥା କ’ଣ କି? ଚାରି ହାତରେ ତ ଚାରି ଗୋଟି ପଦାର୍ଥ ଧରିଛ । ଏଣେ ନାକ ତ ସୁଡୁ ସୁଡୁ କରୁଛ? ସିଂଘାଣି ବୋହିଲେ କେଉଁ ହାତରେ କେମିତି ପୋଛି ପାରୁଛ ଯେ?
ହୟଗ୍ରୀବ ଅବତାରରେ ପ୍ରଭୁଙ୍କର ମୁହଁଟି ଘୋଡି ମୁଖ ସଦୃଶ । ଏଣୁ ଘୋଡା ନାକ ସୁଡୁ ସୁଡୁ ହେବା ସ୍ୱାଭାବିକ ।
ଠାକୁର ହସି ହସି କୁଆଡେ କହି ଥିଲେ – ଯଦୁମଣି! ତୁମେ ମୋତେ ମଧ୍ୟ ପରିହାସ ନକରି ଛାଡିଲ ନାହିଁ । ତୁମେ ଭବିଷ୍ୟତରେ ନିର୍ଭିକ ହାସ୍ୟ ରସିକ ଭାବରେ ପ୍ରତିଷ୍ଠା ଅର୍ଜ୍ଜନ କରିବା ସଙ୍ଗେ ସଙ୍ଗେ ପଣ୍ଡିତ ଓ କବି ମଧ୍ୟ ହେବ ।
ତାହାହିଁ ହୋଇ ଥିଲା । ଯଦୁମଣି ପରବର୍ତ୍ତୀ ସମୟରେ ନିଜର ପରିଚୟ ଦେବାକୁ ଯାଇ କହି ଥିଲେ –
ହୟଗ୍ରୀବ ମହାପ୍ରଭୁ ପ୍ରତାପେ
ଥୋଡା ନୁହେଁ ଲୋଡା କରନ୍ତି ନୃପେ
ଯୋଡା ହେବା ମୋ ପ୍ରୌଢି କବିତାକୁ
ବଳି ବଳି ରସ ଦାନୀ କର୍ଣ୍ଣକୁ
ଭଲେ ଭଲ, ଖଂଟେ ଖଂଟ ଯେ
ନବ ଦୂର୍ବାଦଳ ଶ୍ୟାମଳ କୃପାରୁ
ମୋ ନାମ ଉତ୍କଳ ଘଂଟ ଯେ ।
ନବଦୂର୍ବାଦଳ ଶ୍ୟାମଳ ପ୍ରଭୁ ହୟଗ୍ରୀବଙ୍କ ଅଶେଷ କରୁଣାରୁ ମୋର ବଳିଷ୍ଠ ରସସିକ୍ତ କବିତାକୁ କେବଳ ସାଧାରଣ ଲୋକେ ନୁହଁନ୍ତି, ଶେଷରେ ରାଜା ମହାରାଜା ମାନେ ମଧ୍ୟ ଆଦର କରନ୍ତି । ମୋତେ ଯିଏ ଭଲ ବ୍ୟବହାର ଦେଖାଏ ମୁଁ ତାକୁ ଭଲ ବ୍ୟବହାର ଦେଖାଇ ଥାଏ । ଖଂଟ ସହିତ ମଧ୍ୟ ଖଂଟ ପରି ବ୍ୟବହାର କରେ । ମୋତେ ଉତ୍କଳରେ “ଉତ୍କଳ ଘଂଟ” ନାମରେ ସମସ୍ତେ ଜାଣନ୍ତି । ଘଂଟର ଧ୍ୱନି ଭଳି ମୋର କବିତାର ତୀକ୍ଷ୍ଣ ସମାଲୋଚନା ଓ ଶବ୍ଦ ସଂଯୋଜନାରେ ଉତ୍କଳ ସତର୍କ ହୋଇ ଯାଏ ।