ଧରମ ଦିଅର
କବି ଯଦୁମଣି ରଥଯାତ୍ରା ଦେଖିବାକୁ ଥରେ ପୁରୀ ଯାଇ ଥାନ୍ତି । ଦିଅଁ ରଥରେ ବସି ସାରି ଲେଣି । କବି ଠାକୁରକୁ ପ୍ରଣାମ କରି ସାରି ଲୋକ ମାନଙ୍କ ଭିତରେ କ’ଣ ଖୋଜି ବୁଲୁ ଥାନ୍ତି । କବି ଯଦୁମଣିଙ୍କ ମନରେ କେତେ ଚିନ୍ତା, କେତେ ଭାବନା? ଆମେ ସିନା ଉପର ଠାଉରିଆରେ ଦେଖି ନେଉ ହେଲେ କବି ଯଦୁମଣିଙ୍କ ଆଖିରେ ତାହା ନୂଆ ପ୍ରକାରର ରୂପ ନିଏ ।
ଲୋକ ଗହଳି ଭିତରେ ଜଣେ ଯୁବତୀକୁ ଦେଖି କବିଙ୍କର ଆଖି ତା ଉପରେ ଲାଖି ରହିଲା । ଏତେ ସୁନ୍ଦରୀ ଝିଅ ସେ କେବେହେଲେ ଆଗରୁ ଦେଖି ନଥିଲେ । ପାଖକୁ ଗଲେ ଯୁବତୀର ମଥାରେ ବିନ୍ଦୁଏ ସିନ୍ଦୂର ସୀମନ୍ତରେ ସିନ୍ଦୂର ଗାର ତେବେ ବିବାହିତା ହେଉ ସେଥିରେ ଯାଏ ଆସେ କେତେ? ଫୁଲକୁ ଛୁଇଁଲେ କି ଦଳି ମକଚି ଦେଲେ ସିନା ପାପ । ଦେଖିଲେ, ସୌନ୍ଦର୍ଯ୍ୟରେ ମୁଗ୍ଧ ହେଲେ ଅପରାଧ କେଉଁଠି ରହିଲା ।
ଯୁବତୀ ପିଛା ଧରି କବି ତେର ସମର ଯାଏଁ ପଛେ ପଛେ ବୁଲିଲେ । ତା’ର ନିକଟକୁ ଯାଇ ଗାଇଲେ –
ତୋ’ର ମୁଁ ହୁଅନ୍ତି ଦିଅର ଥରେ
କଥା କହୁ ଥାନ୍ତି ଦିଅର ଥରେ ।
ବିଜେ କରି ଛନ୍ତି ଦିଅଁ ରଥରେ
ସଂକଳ୍ପ କରି ଦିଅ ରଥରେ ।
ସେ ନବବଧୂ ସାଧାରଣ ସ୍ତ୍ରୀ ନଥିଲା, ସେ ମଧ୍ୟ କବି ଯଦୁମଣିଙ୍କ ଠାରୁ ବଳି ରସିକା । ସେ ହସି ହସି କବି ଯଦୁମଣିଙ୍କ ହାତକୁ ଟାଣି ଆଣି ରଥକୁ ଛୁଆଁଇ କହିଲା – ହଁ ମୁଁ ନିୟମ କରି କହୁଛି, ତୁମେ ଆଜି ଠାରୁ ମୋର ଦିଅର ହେଲ, ତୁମ ସହିତ ମୋର ସମ୍ପର୍କ ଜୀବନ ଥିବା ପର୍ଯ୍ୟନ୍ତ ରହିବ । ତୁମ ଥଟ୍ଟା ନକଲକୁ ମୁଁ ସହିବି ।
ସେହି ନବବଧୂର ଘର ଥିଲା ପୁରୀ ଜିଲ୍ଲାର ବାଘମାରୀ । ଶାଶୁ ଓ ଶ୍ୱଶୁରଙ୍କ ସହିତ ରଥଯାତ୍ରା ଦେଖିବା ପାଇଁ ସେ ପୁରୀ ଯାଇ ଥିଲା ।
ଭବିଷ୍ୟତରେ କବି ଯଦୁମଣିଙ୍କ ସହିତ ତା’ର ପ୍ରୀତି ବାନ୍ଧିବା ବହୁତ ଦିନ ପର୍ଯ୍ୟନ୍ତ ରହିଲା । ସେ ଧରମ ଦିଅର ହୋଇ ଗଲେ । ଗାଁ ଲୋକ ମାନେ ଓ ଯୁବତୀର ସ୍ୱାମୀ ମଧ୍ୟ ସେହି ସମ୍ପର୍କକୁ ଗ୍ରହଣ କରି ଗଲେ । କବି ଯଦୁମଣି ପୁରୀରୁ ଫେରିଲା ସମୟରେ ଧର୍ମ ଭାଉଜଙ୍କ ଘରେ ଚାରି ମାସ ଆନନ୍ଦର ସହିତ ରହି ଥିଲେ ।