ଆରେ ଚହଟା ନକର ହଟା
କବି ଯଦୁମଣିଙ୍କ ବାପାଙ୍କର ଶ୍ରାଦ୍ଧ ତିଥି ହୋଇ ଥାଏ । ଏଣେ ଘରେ ଭୋଜୀ ଭାତର ବ୍ୟବସ୍ଥା ମଧ୍ୟ ହୋଇଥାଏ । କେଇ ଜଣ ବନ୍ଧୁ ବାନ୍ଧବ ମଧ୍ୟ ଡକା ହୋଇ ଆସି ଥାନ୍ତି । ସାଇ ଭାଇ ଗାଁ ଲୋକତ ଆସିବା କଥା । ଖିଆ ପିଆ ଆରମ୍ଭ ହେଲା । ପତ୍ର ପକାଇ ଧାଡି ଧାଡି ହୋଇ ଲୋକ ବସି ଗଲେ । ପରସା ପରସି ଆରମ୍ଭ ହୋଇ ଗଲା । ସମସ୍ତେ ଘର ଅଗଣାରେ ବସି ଥାନ୍ତି । ମୁଣ୍ଡ ଉପରେ ଝଟା ଶିମ୍ବ ଲତାର ଛାମୁଣ୍ଡିଆ ।
କବି ଯଦୁମଣିଙ୍କ ଶଳା ଦଶପଲ୍ଲା ଗଡରୁ ଆସି ଥାଏ । ତା’ର ପତର କବି ଯଦୁମଣିଙ୍କ ପତର ପାଖରେ ପଡି ଥାଏ । କାନିକା, ପାୟସ୍, ଡାଲି, ସାକର ଓ ଶାଗ ସବୁ ବେଶ୍ ଭଲ ହୋଇ ଥାଏ, ଯାହା କିଛି ତିଅଣରେ ଅଧିକ ପାଣି ହୋଇ ଯାଇ ଥାଏ । କବି ଯଦୁମଣିଙ୍କ ପତ୍ନୀ ଖଳନା ରୋଷେଇ ବାସରେ ବେଶ୍ ନିପୂଣା, ମାତ୍ର ପାଗ ଯୋଗ ନିଆଁ, ପାଣି କଥା, ରାନ୍ଧୁ ରାନ୍ଧୁ ତିଅଣ କେମିତି ଗୋଟେ ବିଗିଡି ଯାଇ ଥାଏ ।
ସମସ୍ତେ ଏ କଥା ଅନୁଭବ କରୁ ଥିଲେ ସୁଦ୍ଧା କେହି କାହାକୁ କିଛି କହୁ ନଥାନ୍ତି । ମାତ୍ର କବି ମହାଶୟଙ୍କ ପ୍ରିୟ ଶାଳକ ଏକଥାକୁ ବାରମ୍ବାର କବି ଯଦୁମଣିଙ୍କ କାନରେ ଫୁସ୍ ଫୁସ୍ କରି କହୁ ଥାଏ ।
କବି ଯଦୁମଣି ଦେଖିଲେ ଏଇ ଶଳା ଯୋଗୁଁ ସବୁ ବିଗିଡି ଯିବ । ବନ୍ଧୁ ବାନ୍ଧବ ସବୁ ଛି ଛାକର କରିବେ । ତା ପୂର୍ବରୁ କବି ଯଦୁମଣି ତାଙ୍କ ପ୍ରିୟ ଶଳାକୁ ଶୁଣାଇ କହିଲେ –
ଆରେ ଚହଟା ।
ଝଟା ଲଟା ତଳେ ନବର ହଟା
ତୋହର ଭଉଣୀ ମୋହର ରାଣୀ
ତିଅଣରେ ଦେଲା ଆଣ୍ଠୁଏ ପାଣି । ।
ଏ କଥା ଶୁଣି ଅନ୍ୟ ମାନେ କହିଲେ ନାଇଁ ଅବଧାନେ ମହୁର କିଛି ଖରାପ ହୋଇ ନାହିଁ ।
ସବୁ ଯାକ ରୋଷେଇ ବେଶ୍ ସୁସ୍ୱାଦୁ ହୋଇଛି ।
ଯାହା ହେଉ ସ୍ୱାମୀଙ୍କ ବୁଦ୍ଧି ଯୋଗୁଁ ପତ୍ନୀ ଖଳନାଙ୍କ ମାନ ମହତ ସେଦିନ ରହି ଗଲା । ନ ହେଲେ ସେ ଯେମିତି ଅଭିମାନିନୀ ନା ଦିନ ସାରା ନାକରେ କାନ୍ଦି ଥାନ୍ତେ ।