ବେଠି ଖଟିବାରୁ ଛାଡ
ନୟାଗଡ ରାଜ୍ୟରେ ଇଟାମାଟି ଥିଲା ସବୁ ଠାରୁ ବଡ ଗାଁ । ସେଇ ଗାଁରେ ନିଧି ମହାପାତ୍ର ବୋଲି ଜଣେ ତେଲି ମହାଜନ ବାସ କରୁ ଥିଲେ । ସେ ଭାରି କୁହାଳିଆ ଲୋକ, କଥା କଥାରେ ଲୋକଙ୍କୁ ବଶ କରି ଦେବେ, ମାତ୍ର ସେ ବଡ କୃପଣ ଥିଲେ । ପର ଧନକୁ ଭାରି ଯତ୍ନରେ ଆପଣାର କରି ନିଅନ୍ତି । ଏଣେ କିନ୍ତୁ ଲୋକଙ୍କ ଆଗରେ କହି ବୁଲନ୍ତି ସେ ସଚ୍ଚୋଟ୍ । ଧର୍ମପ୍ରାଣ ବ୍ୟକ୍ତି, ରାଜା ଦରବାରକୁ ତାଙ୍କର ଯିବା ଆସିବା ଲାଗି ଥାଏ । ତାଙ୍କର ଭେକ ଓ ଦେହ ସାରା ଚିତା ଚଇତନ ଦେଖି ରାଜାଙ୍କୁ କେମିତି ଧାରଣା ହୋଇ ଯାଇ ଥାଏ ଯେ ନିଧି ମହାପାତ୍ର ଜଣେ ଧର୍ମପ୍ରାଣ ବ୍ୟକ୍ତି ବୋଲି ।
ଏଇ ସୁଯୋଗରେ ଗାଁରେ ଗୋଟିଏ ମନ୍ଦିର ତୋଳାଇବା ପାଇଁ ଗୁହାରୀ କଲେ । ନୟାଗଡ ରାଜା ତ ସହଜେ ଧାର୍ମିକ ଲୋକ, ସେ ଖୁସି ହୋଇ ଏହି ପ୍ରସ୍ତାବରେ ସମ୍ମତି ପ୍ରକାଶ କଲେ । ସଙ୍ଗେ ସଙ୍ଗେ ରାଜା ରାଜ କୋଷରୁ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରାଇ ଦେଲେ ।
ମନ୍ଦିର ନିର୍ମାଣ ପାଇଁ ରାଜ କୋଷରୁ ଟଙ୍କା ପାଇଲେ, ଗାଁକୁ ଯାଇ ଲୋକ ମାନଙ୍କୁ ସେ କଥା କହିଲେ ନାହିଁ । ଓଲଟି କହିଲେ, ରାଜାଙ୍କ ଆଦେଶ ଗାଁରେ ମନ୍ଦିର ହେବ । ଗାଁ ଲୋକ ମାନେ ବେଠି ଖଟି ମନ୍ଦିର ଗଢାଇବେ ।
ରାଜା ତ ସାଧାରଣ ଲୋକ ନୁହଁନ୍ତି । ଯେପରିକି ଜଣେ ସାଧାରଣ ପ୍ରଜା ରାଜାଙ୍କ କାନକୁ କଥାଟା ନେଇ ସତ କି ମିଛ ପରଖିବ । ଗାଁ ଲୋକ ମାନେ ମଧ୍ୟ ଜାଣନ୍ତି, ରାଜାଙ୍କର ପାଖ ଲୋକ । ‘ବୋପାରାଣ ଢିଙ୍କି ଗିଳେ’ – ନ୍ୟାୟରେ ମନ୍ଦିର ଗଢିବା ପାଇଁ ବେଠି ଖଟିଲେ ।
ଲୋକ ମାନେ ବେଠି ଖଟି ମନ୍ଦିର ନିର୍ମାଣ କରିବେ, ମାତ୍ର ନିଧି ଉପରେ ଉପରେ ନାଁ କରି ନେବେ – ରାଜ କୋଷରୁ ସେଥି ଲାଗି ପ୍ରଚୁର ଟଙ୍କା ମଧ୍ୟ ପାଇବେ ।
ଏ କଥା ଶୁଣି କବି ଯଦୁମଣି ସହି ପାରିଲେ ନାହିଁ । ସେ ଗୋଟିଏ ଗୀତ ଲେଖି ଗାଁ ପିଲା ମାନଙ୍କୁ ଶିଖାଇ ଦେଲେ । ପିଲା କି ଜାଣନ୍ତି କବି ମହାଶୟଙ୍କର ଗୁମର କଥା – ସେମାନେ ସମସ୍ତେ ବଡ ପାଟିରେ ଗୀତ ଗାଇ ଗାଇ ଗାଁ ସାରା ବୁଲିଲେ ।
“ସରିଲା ରାଜାଙ୍କ ଗଣ୍ଡି
ପରଜାଏ କଲେ ବେଠି
ଏମନ୍ତ ମଣ୍ଡପ ପ୍ରତିଷ୍ଠା ଚାଉଳ
ତେଲି ମୁଣ୍ଡେ ହେଲା ଦୃଷ୍ଟି
ଦାଣ୍ଡିକି ଦାଣ୍ଡି
ତେଲି ଘଣା ତଳେ ମଣ୍ଡପ ଗାଣ୍ଠି ।”
“ଦକ୍ଷିଣ ସାହିରେ ହାଟ
ଉପର ସାହିରେ ମାଳୀ କଟା ଘର
ବସି କାଟୁ ଥାଏ କାଠ ।”
ପିଲାଙ୍କ ମୁହଁରୁ ଏ ଗୀତ ଶୁଣି ନିଧି ରାଗି ପ୍ରଚଣ୍ଡ ହୋଇ ଗଲେ । ଖୋଜ ଖବର ନେଇ ଜାଣିଲେ – ଏ ସବୁ ସେଇ ବଢେଇ ଯଦୁମଣିର କାଣ୍ଡ । ସଙ୍ଗେ ସଙ୍ଗେ ନୟାଗଡରେ ପହଁଚି ରାଜାଙ୍କ ପାଖରେ ଫେରାଦ୍ ହେଲେ ।
ରାଜା କବି ଯଦୁମଣିଙ୍କୁ ଡକାଇ ପଠାଇଲେ । କବି ଯଦୁମଣି ଶହ ଶହ ପ୍ରଜାଙ୍କୁ ସାଂଗରେ ନେଇ ରାଜାଙ୍କ ନିକଟରେ ପହଁଚି ଗଲେ । ଅଭିଯୋଗର ସତ୍ୟାସତ୍ୟ ପ୍ରମାଣିତ କରାଗଲା । ନିଧି ମହାପାତ୍ରଙ୍କର ପ୍ରକୃତ ସ୍ୱରୂପ ଧରା ପଡିଲା । ସଙ୍ଗେ ସଙ୍ଗେ ତାଙ୍କୁ ଆଉ ରାଜାଙ୍କ ପାଖକୁ ଯିବା ଆସିବା ପାଇଁ ମନା କରି ଦିଆ ଗଲା । ଉପଯୁକ୍ତ ଦଣ୍ଡ ଦେବା ସଙ୍ଗେ ସଙ୍ଗେ ରାଜ କୋଷକୁ ତୁରନ୍ତ ଟଙ୍କା ଫେରାଇବା ନିମନ୍ତେ ମଧ୍ୟ କୁହାଗଲା । ବେଠି ଖଟିବା ଦ୍ୱାରା ପ୍ରଜା ମାନେ ଯେ କି ପ୍ରକାର କଷ୍ଟ କରୁଛନ୍ତି, ସେମାନଙ୍କର ପରିବାର ଯେ କେତେ ଭୋକ ଉପାସରେ ରହୁଛନ୍ତି – ସେ କଥା କବି ଯଦୁମଣି ରାଜାଙ୍କୁ ବୁଝାଇ ଦେଲେ ।
ସେହି ଦିନ ଠାରୁ ନୟାଗଡ ରାଜ୍ୟର ରାଜା ନିଜ ପ୍ରଜା ମାନଙ୍କୁ ବେଠି ଖଟିବାରୁ ମୁକ୍ତ କରି ଦେଲେ ।
ସତରେ ଜଣେ କବି ହିଁ ସାଧାରଣ ଲୋକଙ୍କର ଦୁଃଖ ସୁଖକୁ ନିଜର ସୁଖ ଦୁଃଖ ବୋଲି ମନେ କରି ଥାଏ । କିନ୍ତୁ ଆଜି କାଲି ସେମିତି କବି, ଲେଖକ କାହାଁନ୍ତି । ଗରୀବ ଗୁରୁବାଙ୍କ କଥା କିଏ ଭାବୁଛି । ବଡ ଚାକିରୀ କିମ୍ବା ବଡ ପଦବୀରେ ଥିଲେ – କବି । କିନ୍ତୁ ଏବେ ଆଉ ଯଦୁମଣି କି ବୈଷ୍ଣବ ପାଣିଙ୍କ ଭଳି କବି ତିଷ୍ଠି ରହି ପାରିବେ ନାହିଁ ସେମାନଙ୍କୁ ମଳି ମୁଣ୍ଡିଆ ଦେଖି କିଏ ବା ସମ୍ମାନ ଦେବ?