ମୁହଁ ଚାହିଁବି ନାହିଁ
ଯୁଗେ ଯୁଗେ ମିଛୁଆ ଖଚୁଆ ଅଛନ୍ତି । କାନକୁହା ହେଉଛି ସେମାନଙ୍କର ସ୍ୱଭାବ । କବି ଯଦୁମଣିଙ୍କୁ ରାଜା ତ ସମସ୍ତଙ୍କଠୁ ବେଶୀ ଭଲ ପାଇ ଥିଲେ । ଏ କଥାଟାକୁ କେତେକ ଲୋକ ସହ୍ୟ କରି ପାରୁ ନଥିଲେ । କେମିତି ରାଜାଙ୍କ ମନରେ କବି ଯଦୁମଣିଙ୍କ ପ୍ରତି ବିରାଗ ଭାବନା ସୃଷ୍ଟି କରିବେ, ସେଥି ପାଇଁ ସର୍ବଦା ଚେଷ୍ଟା କରୁ ଥାନ୍ତି ।
କବି ଯଦୁମଣିଙ୍କ ବିରୋଧରେ ସର୍ବଦା ବହୁ କଥା ରାଜାଙ୍କ ନିକଟରେ କୁହା ଗଲା । ସବୁ ବେଳେ ପାଖ ଲୋକଙ୍କ ମୁହଁରେ କବି ଯଦୁମଣିଙ୍କ ବିଷୟରେ ନାନା କଥା ଶୁଣି ଶୁଣି ଶେଷରେ ରାଜା ମଧ୍ୟ ଭଳି ଗଲେ ।
ରାଜା କହିଲେ ଯଦୁମଣି ଯେବେ ମୋ ବିରୁଦ୍ଧରେ ପ୍ରଜାଙ୍କ ଆଗରେ ଗପୁଛି, ତେବେ ଛାମୁଁଙ୍କ ଆଦେଶ ଏହା ଯେ ମୁଁ ମଧ୍ୟ ଆଉ କେବେ ତା ମୁହଁକୁ ଚାହିଁବି ନାହିଁ ।
ରାଜାଙ୍କ ଆଦେଶକୁ ସଙ୍ଗେ ସଙ୍ଗେ କାର୍ଯ୍ୟରେ ପରିଣତ କରା ଗଲା । କବି ଯଦୁମଣି ନିଜ ପକ୍ଷ ରଖିବା ଲାଗି ରାଜାଙ୍କ ଆଗରେ ସଫାଇ ଦେବା ପାଇଁ ଚାହିଁଲେ, ମାତ୍ର ତାଙ୍କୁ ସୁଯୋଗ ଦିଆ ଗଲା ନାହିଁ ।
ଯେଉଁଠି ସ୍ୱୟଂ ରାଜା ମୁହଁ ଚାହିଁବେ ନାହିଁ ବୋଲି କହିଛନ୍ତି; ସେଠି ଆଉ କାହାର ସାହାସ ଅଛି ଯେ କବି ଯଦୁମଣିଙ୍କୁ ଦରବାର ଭିତରକୁ ଛାଡିବେ?
ସମୟ ଗଡି ଚାଲିଲା । କବି ଯଦୁମଣି ନିଜର କୌଳିକ ବୃତ୍ତି କରି ଚଳୁ ଥାନ୍ତି ।
କ୍ରମେ ଆଷାଢ ମାସ ହେଲା । ରଥ ଯାତ୍ରା ହେବ । ଜଗନ୍ନାଥଙ୍କ ଅଣସର ଘର କାମ କବି ଯଦୁମଣିଙ୍କ ବଂଶଗତ ଅଧିକାର । କବି ଯଦୁମଣି ମଧ୍ୟ ବିନା ବାଧାରେ ସେ କାମ କରି ଗଲେ । ରଥ ଯାତ୍ରା ହେଲା । କବି ଯଦୁମଣି ରଥ ପାଖେ ପାଖେ ରହିବା କଥା କାରଣ ଠାକୁରଙ୍କ ବନକ ଛାଡି ଗଲେ ତୁରନ୍ତ ସେ ଦଣ୍ଡିତ କରିବେ । ତେଣୁ ସେ ଅତି ସତର୍କରେ ରହି ରଥ ପାଖେ ପାଖେ ଯାଉଥାନ୍ତି, କାରଣ ରାଜା ମଧ୍ୟ ଏହି ଯାତ୍ରାରେ ଅଛନ୍ତି । ଛତ୍ର ଦେଖା ଯାଉଛି, କାହାଳୀ ମଧ୍ୟ ବାଜୁଛି । ତମଯାନରେ ରାଜା ମଧ୍ୟ ବସି ଛନ୍ତି । ଠାକୁରଙ୍କ ପାଖେ ପାଖେ ସେ ମଧ୍ୟ ଯାଉଛନ୍ତି ।
ଯଦି ସେ କବି ଯଦୁମଣିଙ୍କ ମୁହଁକୁ ଦେଖି ଦେବେ, ତେବେ ରାଜା କାଳେ ରାଗି ଯିବେ । ତେବେ କବି ଯଦୁମଣି ଏବେ କରନ୍ତି କ’ଣ? ଶେଷରେ ଗୋଟିଏ ଭଙ୍ଗା ଡୋଲି ସଂଗ୍ରହ କଲେ । ଜଣଙ୍କ ପିଣ୍ଡାରେ ଡୋଲିଟି ଥୁଆ ହୋଇଥିଲା, ତାକୁ ହିଁ ମୁଣ୍ଡରେ ଘୋଡାଇ ମୁହଁ ଲୁଚାଇଲେ । ଡୋଲିର ଗୋଟିଏ ରନ୍ଧ୍ର ବାଟେ ଚାହିଁ ଚାହିଁ ବାଟ ଦେଖୁ ଥାନ୍ତି । ଲୋକ ଗହଳିରେ ଚମକି ଚମକି କବି ମହାଶୟ ବାଟ ଚାଲୁ ଥାନ୍ତି ।
ରାଜା ଦେଖିଲେ ଏତେ ଗହଳି ଭିତରେ ଡୋଲିଟାଏ କାହିଁକି ଚମକି ଚମକି ଯାଉଛି । କଥା କ’ଣ? ଲୋକ ପଠାଇ ବୁଝିଲେ । ଖବର ମିଳିଲା କବି ଯଦୁମଣି ସେପରି ଯାଉ ଛନ୍ତି ।
କାହିଁକି କବି ଯଦୁମଣି ସେପରି ଯାଉ ଛନ୍ତି? ରାଜା ସଙ୍ଗେ ସଙ୍ଗେ ଉତ୍ସୁକ ହୋଇ ଏହାର କାରଣ ପଚାରିଲେ ।
ପାଖ ଲୋକ ମାନେ କହିଲେ – ଛାମୁଁ, ଆପଣ ତ କବି ଯଦୁମଣିଙ୍କର ମୁହଁ ଚାହିଁବେ ନାହିଁ ବୋଲି ଆଜ୍ଞା କରିଛନ୍ତି, ଏଣୁ ସେ ମୁହଁ ନ ଦେଖାଇବା ପାଇଁ ଡୋଲିଟିଏ ମୁଣ୍ଡରେ ଘୋଡାଇ ବାଟ ଚାଲୁ ଛନ୍ତି ।
ରାଜା କବି ଯଦୁମଣିଙ୍କ ପାଖକୁ ତମଯାନ ନେବା ପାଇଁ ଆଦେଶ ଦେଲେ । ଯେମିତି ତମଯାନ ଯାଇ କବି ମହାଶୟଙ୍କ ନିକଟରେ ପହଁଚିଛି ରାଜା ହସି ହସି କବି ଯଦୁମଣିଙ୍କୁ କହିଲେ – ‘ହେ ଯାହା ହେବାର ଥିଲା ତାହା ହେଲା ଏବେ ଶ୍ରୀମୁଖ ଦେଖାଇବା ହୁଅନ୍ତୁ ।’
କବି ଯଦୁମଣି ସଙ୍ଗେ ସଙ୍ଗେ ଡୋଲିଟିକୁ ତଳକୁ ଫିଙ୍ଗି ଦେଲେ ଓ ତତ୍ପରେ ହାତ ଯୋଡି ଗାଇଲେ –
“ଅମଳ କମଳ ଦଳ ଲୋଚନ
କୁଣ୍ଡଳାଂକୃତ ଶୁଭ୍ରଦର୍ଶନ ।
କଥ୍ୟ କଥନକୁ ଦୃଢ ସଂଯମ
ବିଚ୍ୟୁତି ବିଚିତ୍ର ବିଘଟନ ।