ରାଜ ଗୁରୁଙ୍କୁ ଆମ୍ବୁଲ ମଗା
କବି ଯଦୁମଣିଙ୍କୁ ସୋରିଷ ବଟା ମାଛ ଝୋଳ ବହୁତ ଭଲ ଲାଗେ । ମାତ୍ର ସୋରିଷ ଝୋଳରେ ଆମ୍ବୁଲ ଦି’ ଖଣ୍ଡ ପଡିଲେ ତା’ର ସ୍ୱାଦ ବହୁତ ବଢି ଯାଏ । ସେ ବର୍ଷ ଆମ୍ବ ଭଲ ନ ଫଳିବାରୁ ଘରେ ଘରେ ଆମ୍ବୁଲ କେହି ଜଣେ ବି ରଖି ପାରି ନଥାନ୍ତି । କେବଳ ଘରୁଆ ମାନେ ଯାହା କିଛି ବଣାରେ ସାଇତି ରଖି ଥାନ୍ତି ।
କବି ଯଦୁମଣିଙ୍କୁ ଦିନେ ତାଙ୍କ ପତ୍ନୀ ଅଞ୍ଜନା ଡାକି କହିଲେ – ହଇହୋ, ଘରେ ଆମ୍ବୁଲ ଖଣ୍ଡେ ନାହିଁ … କେଉଁଠୁ ଖଣ୍ଡେ ଆଣନ୍ତ ନାହିଁ । ମାଛ ଝୋଳ, ସାକର କେମିତି ହେବ?
କବି ଯଦୁମଣିଙ୍କ ମନରେ ଏହି କଥାଟା ଥାଏ । ରାଜ ଗୁରୁଙ୍କ ଚଉପାଢୀରେ ପହଁଚି କବି ଯଦୁମଣି ଗାଇଲେ –
“ଅଚ୍ୟୁତି ଖଣ୍ଡା ଚ୍ୟୁତ ହୋଇ ଥିବ
ଆନନ୍ଦ ମୂଳକ ଦି’ଖଣ୍ଡ ଦେବ ।”
ଏ କଥା ଶୁଣି ରାଜ ଗୁରୁ ମହାଶୟ ହସିଲେ । ସଙ୍ଗେ ସଙ୍ଗେ ଦୁଇଟି ଆମ୍ବୁଲ ବଣା କବି ଯଦୁମଣିଙ୍କ ଘରକୁ ପଠାଇ ଦେବା ନିମନ୍ତେ ନିଜର ଚାକରକୁ ଆଦେଶ ଦେଲେ । କବି ଯଦୁମଣି ସେଠାରୁ ସିଧା ରାଜ ନଅର ଆଡକୁ ମୁହାଁଇଲେ । ସେଠାରେ ବସିଥିବା ଲୋକମାନେ କିଛି ମଧ୍ୟ ବୁଝି ପାରିଲେ ନାହିଁ । ରହସ୍ୟ କ’ଣ ଜାଣିବା ପାଇଁ ଚାହିଁଲେ ।
ଲୋକ ମାନେ ପଚାରିଲେ ଗୋସାଇଁ ମହାପ୍ରଭୁ । କବି ଯଦୁମଣି ଏମିତି କ’ଣ କହିଲେ କି?
ରାଜ ଗୁରୁ ହସି ହସି ବୁଝାଇ ଦେଲେ – ଏଇ କଥା ପଦକ ବୁଝି ପାରିଲ ନାହିଁ । ଅଚ୍ୟୁତ ଅର୍ଥ ବିଷ୍ଣୁ, ତାଙ୍କର ଖଣ୍ଡା ହେଉଛି ନନ୍ଦକ । ‘ଆନନ୍ଦ ମୂଳକ’ରୁ ନନ୍ଦକ ଚ୍ୟୁତ ହୋଇଲେ ରହିଲା ଆମୂଳ । ଆମୂଳ ଅର୍ଥ ହେଉଛି ଆମ୍ବୁଲ, ଅର୍ଥାତ୍ ସେ ଆମ୍ବୁଲ ଦୁଇ ଖଣ୍ଡ ମାଗୁ ଥିଲେ ।
ସମସ୍ତେ ଏହି କଥା ପଦକ ଶୁଣି ହୋ ହୋ ହୋଇ ହସି ଉଠିଲେ । ‘ଏମନ୍ତ କଥା’ ଆମ୍ବୁଲ ଦିଖଣ୍ଡ ପାଇଁ ଏତେ ପାଣ୍ଡିତ୍ୟ । ଧନ୍ୟ ଧନ୍ୟ ତୁମେ କବି ଯଦୁମଣି ।