ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

ଚାକୁଣ୍ଡା ବୁଣିଲେ ଉଠଇ ନାହିଁ

                ନୟାଗଡ ରାଜାଙ୍କ ଦରବାରରେ କବି ଯଦୁମଣି ଥାଆନ୍ତି । ପ୍ରତି ଦିନ ଦରବାରକୁ ଯିବା ତାଙ୍କର ନିତ୍ୟନୈମିତିକ କାର୍ଯ୍ୟ । ଦରବାରରୁ ଫେରି ସେ ପ୍ରତି ଦିନ ବଜାର ଯାଆନ୍ତି । ଘର ପାଇଁ ଚାଉଳ ପତ୍ର କିଣା କିଣି କରି ଆଣନ୍ତି । ଅନ୍ୟ ଭାଷାରେ କହିଲେ ଦାଣ୍ଡରୁ ଆଣି ହାଣ୍ଡିରେ ନ ପକାଇଲେ ରୋଷେଇ ହୁଏ ନାହିଁ । କବି ଯଦୁମଣି ଦିନେ ଦରବାରରୁ ଫେରିବା ପରେ ଘରେ ଆସି ଗୋଡ ଦେଲେଣି, ହେଲେ କିଛି ଆଣିବାକୁ ତାଙ୍କର ମୋଟେ ମନେ ନାହିଁ । ଚାଉଳ ଆଣି ନଥିବାରୁ ମନେ ମନେ ଭାଳେଣି ପଡି ଗଲା କ’ଣ କରିବେ? ଦରବାରରୁ ଫେରି ଥିବାରୁ ଆଉ ଖୋଜେ ମାତ୍ର ବାଟ ଚାଲିବା ପାଇଁ ତାଙ୍କର ଆଉ ଇଚ୍ଛା ହେଉ ନଥାଏ । ଏପଟେ ଘରେ ପୁଣି ତାଙ୍କର ଉଗ୍ର ଚଣ୍ଡୀ ସ୍ତ୍ରୀ । କ’ଣ କରିବେ ମୁଣ୍ଡରେ କିଛି ପଶୁ ନଥାଏ । ଏମିତି ଚିନ୍ତା କରୁ କରୁ କବି ଯଦୁମଣି କେତେବେଳେ ଯାଇ ଘରର ମଝି ଅଗଣାରେ ପହଁଚି ଗଲେଣି ତାଙ୍କୁ ଖୋଦ୍ ମଧ୍ୟ ଜଣା ନାହିଁ । ସଂଗେ ସଂଗେ ପତ୍ନୀ ଆସି ସାମନାରେ ହାଜର ହୋଇ ଗଲେ । ସ୍ୱାମୀଙ୍କର ମଳିନ ମୁଖ ମଣ୍ଡଳ ଏବଂ ଶୂନ୍ୟ ହସ୍ତ ଦେଖି ତାଙ୍କର ପତ୍ନୀ କ’ଣ ହୋଇଛି ଠିକ୍ ଜାଣି ପାରିଲେ । ସମସ୍ୟାର ସମାଧାନ କରିବାକୁ ଯାଇ ତାଙ୍କର ପତ୍ନୀ କହିଲେ, “କିଛି ଆଣିନ ବୋଲି ବ୍ୟସ୍ତ ହେଉଛ ଘରେ ଯାହା ଅଛି ଆଜି ଦିନକ ଚଳାଇ ଦେବା, କାଲି ସକାଳୁ ଯାହା ଚିନ୍ତା କରିବା ।”

                ପତ୍ନୀଙ୍କର ଆଶ୍ୱାସନା ପୂର୍ଣ୍ଣ କଥା ଶୁଣି କବି ଯଦୁମଣି ଟିକେ ଆଶ୍ୱସ୍ତି ଅନୁଭବ କଲେ । ସଂଜ ଯାଇ ରାତି ହେଲା । ରାତ୍ରି ଭୋଜନ କରି କବି ମହାଶୟ ବିଶ୍ରାମ କଲେ । ତହିଁ ଆର ଦିନ ବଡି ସକାଳୁ ଉଠି ନିତ୍ୟ କର୍ମ ସାରି କବି  ବଜାର ଅଭିମୁଖେ ବାହାରିଲେ । ଏତେ ସକାଳୁ ବଜାରରୁ ଚାଉଳ ପତ୍ର କିଣୁ ଥିବାର ଦେଖି ଲୋକ ମାନେ ଟାହି ଟାପରା ଆରମ୍ଭ କରି ଦେଲେ । କେହି କେହି କହିଲେ ରାଜ ଦରବାରରେ ଚାକିରୀ କରି ମଧ୍ୟ କେମିତି ଦାଣ୍ଡରୁ ନେଇ ହାଣ୍ଡିରେ ନ ପକାଇଲେ ରୋଷେଇ ଅଚଳ । ଏ କଥା ଶୁଣି କବି ଯଦୁମଣି ଖୁବ୍ ମର୍ମାହତ ହେଲେ । ଚାଉଳ ପତ୍ର ରଖି ଦେଇ ରାଜ ଦରବାର ଯିବାକୁ ବାହାରି ପଡିଲେ । ରାଜ ଦରବାର ଚାଲୁ ଥିବା ସମୟରେ କବି ଯଦୁମଣି ସୁଯୋଗ ଉଣ୍ଡି କରି କହିଲେ, “ମହାରାଜ ଆପଣଙ୍କୁ ମୋର ଆଜି କିଛି ମାଗିବାର ଥିଲା । କବିଙ୍କ କଥା ଶୁଣି ରାଜା ସଂଗେ ସଂଗେ କହିଲେ, “କଣ କହିବାର ଅଛି କୁହ?” କବି ଯଦୁମଣି  କହିଲେ, “ମହାରାଜ ! ଆପଣଙ୍କ ଦୟାରୁ ମୋତେ ଖଣ୍ଡିଏ ଜମି ମିଳିଲେ, ମୋର ଅଭାବ ରହନ୍ତା ନାହିଁ ।” କବି ଙ୍କ କଥା ଶୁଣି ରାଜା ତତ୍କ୍ଷଣାତ୍ ସମ୍ମତି ପ୍ରଦାନ କଲେ ।

                ଦିନ ପରେ ଦିନ ଗଡି ଚାଲିଲା । ରାଜା ତ କାହିଁ ଜମି ଦେବାର ନାଁ ଗନ୍ଧ ଧରୁ ନାହାଁନ୍ତି । ଦିନେ ପୁଣି କବି ଯଦୁମଣି  ରାଜାଙ୍କୁ ସେହି ଜମି ଦେବା ବିଷୟରେ କହିଲେ ରାଜା ସଂଗେ ସଂଗେ ଏକ ପଥୁରିଆ ଯାଗା କବିଙ୍କ ନାମରେ ପଟ୍ଟା କରି ଦେଲେ । କବି ଯେତେ ବେଳେ ଯାଗା ଖଣ୍ଡିକ ଦେଖନ୍ତି ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ । ସେହି ଦିନ ଯାଇ ରାଜାଙ୍କ ଉଦ୍ଧେଶ୍ୟରେ ଏକ କବିତା ଲେଖିଲେ –

“ଛାମୁ ଯାହା ଦେଲେ ହରଷେ

ପାଉ ପାଉ ଗଲା ବରଷେ

ବାଛି ବାଛି କରି ଦେଲେ ପଡିଆ

ଶ୍ରାବଣ ମାସରେ ଭାଙ୍ଗେ ନଡିଆ

                ଏମନ୍ତ ଭୂଇଁ

ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।”

ନିତି ଦିନ ପରି ଯଦୁମଣି ସେଦିନ ମଧ୍ୟ ନିଜର ନିତ୍ୟକର୍ମ ସାରି ଦରବାର ଅଭିମୁଖେ ଚାଲିଲେ ।

ଦରବାରର କାର୍ଯ୍ୟ ଆରମ୍ଭ ହେବା ବେଳକୁ କବି ତତ୍କ୍ଷଣାତ୍ କବିତାଟିକୁ ରାଜାଙ୍କ ହସ୍ତକୁ ବଢାଇ ଦେଇ ନିଜେ ଆବୃତ୍ତି କରିବାକୁ ଲାଗିଲେ । କବିତାଟିର ମର୍ମ ବୁଝିବା ପରେ ରାଜା ଖୁବ୍ ଅପମାନିତ ବୋଧ କଲେ । ସଂଗେ ସଂଗେ ଘୋଷଣା କଲେ, “କବି ଯଦୁମଣି  ତମେ ତମ ମନ ଉଣା କର ନାହିଁ ।” ମୁଁ ଏଇ ସଂଗେ ସଂଗେ ତୁମ ନାଁରେ ଏକ ଭଲ ଜମିର ପଟ୍ଟା କରି ଦେଉଛି । ଜମି ପଟ୍ଟା ପାଇବା ପରେ କବି ଯଦୁମଣି ଜମି ଚାଷ କରି ଫସଲ ଫଳାଇ ବେଶ୍ ଆନନ୍ଦରେ କାଳାତିପାତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ