ଏ ଧନ ଦରପଣ ମୁହିଁ
ଥରେ ପୁରୀ ରାଜା ଦିବ୍ୟସିଂହ ଦେବ ଓ କବି ଯଦୁମଣି ହାତୀ ଉପରେ ବସି ବଡ ଦାଣ୍ଡରେ ଯାଉ ଥାନ୍ତି । ପରସ୍ପର ମଧ୍ୟରେ ବାର୍ତ୍ତାଳାପ, ରାଜା ଦେଖିଲେ କେହି ଜଣେ ରୂପବତୀ ଯୁବତୀ ତାର ସଖୀ ମାନଙ୍କ ସହିତ ନରେନ୍ଦ୍ର ପୋଖରୀ ଆଡକୁ ସ୍ନାନ ନିମନ୍ତେ ଯାଉଛି । ଯୁବତୀଟି କେବଳ ସୁନ୍ଦରୀ ନଥିଲା … ସଖୀ ମାନଙ୍କ ସହିତ ଆଳାପରୁ ଜଣା ପଡୁ ଥିଲା ତା’ କଣ୍ଠ ମଧ୍ୟ କୋକିଳର କୁହୁତାନରୁ ବଳି ମଧୁର ।
ରାଜା କବି ଯଦୁମଣିଙ୍କୁ ଉଦ୍ଧେଶ୍ୟ କରି କହିଲେ –
“କି ଦେଖିଲି ଏ ଧନ ଦରପଣ ମୁହିଁ ।”
ରସିକ କବି ଯଦୁମଣି ଯୁବତୀକୁ ଚାହିଁ ସଙ୍ଗେ ସଙ୍ଗେ ରାଜାଙ୍କ କଥିତ ପଦର ଅବଶିଷ୍ଟ ପାଦ ପୂରଣ କଲେ –
“କି ଦେଖିଲି ଏ ଧନ ଦରପଣ ମୁହଁ
ଅଙ୍କେ ବସାଇଲେ ନ ଗଣନ୍ତି ଆଉ
ଧନ ଦରପଣ ମୁହଁ
ବଦନ … ଚିକୁର ମନୋହରା ସୁର
ପୁରବାଳା ପ୍ରତି ସାର
ସନନ୍ଦ ସନକାଦି ମୁନୀ ମୋହିନୀ
ହେବ କାହା ଗଳା ହାର ।”
କବି ଯଦୁମଣି ଜାଣି ଥିଲେ ଯେ ଦିବ୍ୟସିଂହ ଦେବ ଜଣେ ଆଦର୍ଶ ତଥାପି ଋଷି ପ୍ରତିମା । କବିତାରେ ସେ ଜାଣି ଜାଣି “ସନନ୍ଦ ସନକାଦି ମୁନୀ ମୋହିନୀ” ବୋଲି ବିଶେଷଃ ପ୍ରୟୋଗ କରି ରାଜାଙ୍କର ନିଃଷ୍କଳଙ୍କ ଚରିତ୍ରର ମହତ୍ୱ ପ୍ରତିପାଦନ କରି ଥିଲେ ।
ଦିବ୍ୟସିଂହ ଦେବ କବି ଯଦୁମଣିଙ୍କର ଆଶୁ କବିତା ରଚନାରେ ମୁଗ୍ଧ ହୋଇ ତାଙ୍କୁ ଉପହାର ପ୍ରଦାନ କରି ଥିଲେ ।