ଦେବଦାସୀ ତିଳୋତ୍ତମା
ସେତେବେଳେ ଶ୍ରୀଜଗନ୍ନାଥ ମନ୍ଦିରର ଦେବଦାସୀ ଅତି ରୂପ ଗରବିଣୀ ଥିଲା । କବି ଯଦୁମଣିଙ୍କ ପୁରୀ ରହଣୀ କାଳରେ ସମସ୍ତ ଦେବଦାସୀ ତାଙ୍କ ପ୍ରତି ଅନୁରକ୍ତ ଥିଲେ ହେଁ ତିଳୋତ୍ତମା ନାମକ ଦେବଦାସୀ ତାଙ୍କୁ ଆଡ ଆଖିରେ ଚାହୁଁ ନଥିଲା ।
ଯେଉଁ ଦିନ ତିଳୋତ୍ତମା ର ନାଚ ଗୀତ ମନ୍ଦିରରେ ଥାଏ; ସେଦିନ ବହୁ ଲୋକ ମନ୍ଦିରକୁ ଆସନ୍ତି । କବି ଯଦୁମଣି ଶୁଣି ଥିଲେ – ତିଳୋତ୍ତମା କେବଳ ନର୍ତ୍ତକୀ ନୁହେଁ – କାବ୍ୟ ଶାସ୍ତ୍ର ପ୍ରବୀଣା ମଧ୍ୟ । ସଂସ୍କୃତ ସାହିତ୍ୟରେ ତାର ବେଶ୍ ପାଣ୍ଡିତ୍ୟ ଥିଲା ।
ଦିନେ କବି ଯଦୁମଣି କବିତାଟିଏ ଲେଖି ମନ୍ଦିର ପ୍ରାଙ୍ଗଣରେ ତିଳୋତ୍ତମାକୁ ଭେଟି ତା ହାତକୁ ବଢାଇ ଦେଲେ ।
କବିତାଟି ଥିଲା –
“ଗଦା ଧର ନଗରୀ
ନଦା ଧିପ ଲହରୀ
ଗର୍ବ ଚର୍ବକ ହାସେ ସ୍ତନ
ଶମ୍ଭୁକୁ କରାଇଛୁ ସ୍ନାନ
ମୋ ଆନନ୍ଦ କାମରେ
ବିଚାର ମରମରେ ମୋ ମାଳୀ ନୋହିଛୁ କି
ଘେନରେ,
ରସବଲ୍ଲୀ ଛଇଳି ରତନର ଛାମୁଁ
ବିଚାରି କଲି ଏ ଇଚ୍ଛା ମୁଁ
ହାଜର ହେଲେ ତୋର ସରପବାଜୀ ଚୋର
ପାଜି କରିବ ମୋତେ ଛାମୁଁରେ ।”
କବିତାଟି ପଢି ତିଳୋତ୍ତମା କହିଲା – ସେତ ଚୋରଟା, ନମସ୍କାର କରି କ’ଣ ଅଧିକ କଲା?
କବି ଯଦୁମଣି ତିଳୋତ୍ତମାଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ସେ ଭାବିଲେ ଏ କବିତାର ଅର୍ଥ ବୋଧେ ତିଳୋତ୍ତମା ଠିକ୍ ଭାବରେ ବୁଝି ପାରିଲେ ନାହିଁ । ମା ତିଳୋତ୍ତମା ସଙ୍ଗେ ସଙ୍ଗେ କବିତାର ଉତ୍ତର ଦେଲେ ।
କବିତାଟିର ଅର୍ଥ ହେଲା – ଗଦାଧର ଅର୍ଥ ପୁରୁଷୋତ୍ତମ, ନଦାଧିପ ଅର୍ଥ ସମୁଦ୍ର । ତେଣୁ ପୁରୁଷୋତ୍ତମ ନଗରୀରେ ତୁ ରହି ଥିବାରୁ ସମୁଦ୍ର ତାରି ଶୁଭ୍ର ଲହରୀ ମାଳାର ଗର୍ବକୁ ତୋର ଶୁଭ୍ର ହାସ୍ୟ ଚର୍ବଣ କରୁଛି । ସେ ହାସ୍ୟ ରୂପକ ଲହରୀ ଦ୍ୱାରା ତୋ ସ୍ତନ ଶମ୍ଭୁ ସର୍ବଦା ସ୍ନାନରତ ରହି ଆନନ୍ଦ ଦେଉଛି । ତୁ ଯଦି ମୋତେ ଆନନ୍ଦ ଦେବା ପାଇଁ ବିଚାର କରିବୁ, ତେବେ ତୁ ମୋର ନିଶ୍ଚୟ ଜପା ମାଳି ହେବୁ । ରେ ରସବଲ୍ଲୀ ଛଇଳରତ୍ନ ମୋ କଥା ବିଚାର କରିବୁ । ମୁଁ ଯଦି ତୋ ଛାମୁଁରେ ପ୍ରବେଶ ହେବାର ସୁଯୋଗ ପାଏ, ତେବେ ସାଗର ବାଜି ଚୋର ଅର୍ଥାତ୍ ସ୍ୱର୍ଗର ରାଜା ଅଶ୍ୱ ଚୋର ଇନ୍ଦ୍ର ମୋତେ ନମସ୍କାର କରିବ ।
କବି ଯଦୁମଣି ସଙ୍ଗେ ସଙ୍ଗେ କବିତାର ଶେଷ ପଦଟି ପରିବର୍ତ୍ତନ କରି ଗାଇଲେ –
“ହାଜିର୍ ହେଲେ ନେତ୍ର ରାଜି ରାଜି ରାଜିତ ଗାତ୍ର
ରାଜି କରିବ ମୋତେ ଛାମୁଁରେ । ।
ଅର୍ଥାତ୍ ହାଜର୍ ହେଲେ ଅତି ରୂପବତୀ ଅହଲ୍ୟାକୁ ହରଣ କରି ଥିବା ନେତ୍ରରାଜି ରାଜିତ ଗାତ୍ର ଯୋଗୁଁ ଗୌତମ ଅଭିଶାପରେ ଯୋନି ପ୍ରାୟ ସହସ୍ର ବିରାଜିତ ଅଙ୍ଗ ଇନ୍ଦ୍ରରାଜ ମୋତେ ନମସ୍କାର କରିବ ।
ତିଳୋତ୍ତମା ଏ ପଦକ ଶୁଣି ଆନନ୍ଦରେ କବି ଯଦୁମଣିଙ୍କ ହସ୍ତ ଧାରଣ କରି ନିଜ ରଙ୍ଗ ଭବନକୁ ନିମନ୍ତ୍ରଣ କରି ଥିଲେ ।